ତାରକା ବ୍ୟାଟ୍ସମ୍ୟାନ ସ୍ମୃତି ମନ୍ଧାନାଙ୍କ ୨୫ତମ ଜନ୍ମ ଦିନ
News18 Odia Digital
ନୂଆ ଦିଲ୍ଲୀ: ଭାରତୀୟ ମହିଳା କ୍ରିକେଟ୍ ଟିମର ତାରକା ବ୍ୟାଟର୍ ସ୍ମୃତି ମନ୍ଧାନା ଆଜି ବୟସର ଆଉ ଏକ ପାହାଚ଼ରେ ପାଦ ଥାପିଛନ୍ତି । ଆଜି ତାଙ୍କ ୨୫ତମ ଜନ୍ମ ଦିନ । ଗତ କିଛି ବର୍ଷରୁ ପ୍ରତ୍ୟେକ ଫର୍ମାଟରେ ଭାରତୀୟ ଟିମର ବ୍ୟାଟିଂରେ ସ୍ମୃତି ଏକ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ରହିଆସୁଛନ୍ତି । ସେ ଏହି ସପ୍ତାହରେ ଇଂଲଣ୍ଡ ବିପକ୍ଷରେ ଟି-୨୦ (ENGW vs INDW T20)ରେ ଅର୍ଦ୍ଧଶତକ ହାସଲ କରିଥିଲେ। ମନ୍ଧାନା ୫୧ ବଲରେ ୭୦ ରନ୍ କରି ବେଶ୍ ପ୍ରଶଂସା ସାଉଁଟିଥିଲେ । ବିଦେଶରେ ଟି-୨୦ରେ ଏହା ମନ୍ଧାନାଙ୍କର ସପ୍ତମ ଅର୍ଦ୍ଧଶତକ ଥିଲା । କୌଣସି ଭାରତୀୟ ମହିଳା କ୍ରିକେଟର ଏତେ ଥର ବିଦେଶରେ ୫୦ରୁ ଅଧିକ ରନ୍ ସ୍କୋର କରିନାହଁନ୍ତି । ତାଙ୍କ ଜନ୍ମ ଦିନ ଅବସରରେ ଆସନ୍ତୁ ଜାଣିବା ତାଙ୍କ ବିଷୟରେ କିଛି ବିଶେଷ କଥା…
୧୯୯୬ ଜୁଲାଇ ୨୫ରେ ଜନ୍ମିତ ସ୍ମୃତିଙ୍କ ମହାରାଷ୍ଟ୍ରରୁ ଟିମ୍ ଇଣ୍ଡିଆରେ ସାମିଲ ହେବାର ଯାତ୍ରା ବେଶ୍ ଆକର୍ଷଣୀୟ ଥିଲା । ସେ ମାତ୍ର ୯ ବର୍ଷ ବୟସରେ ପ୍ରଥମ ଥର ପାଇଁ କ୍ରିକେଟ୍ ଟ୍ରାଏଲ ଦେବାକୁ ପହଞ୍ଚିଥିଲେ। ଏହାର ଦୁଇ ବର୍ଷ ପରେ ମହାରାଷ୍ଟ୍ର ଅଣ୍ଡର-୯ ଟିମରେ ସାମିଲ ହୋଇଥିଲେ। ଆଉ ଚାରି ବର୍ଷ ପରେ ସେ ସିନିୟର ଟିମର ଟିକେଟ୍ ଅକ୍ତିଆର କରିବାରେ ସଫଳ ହୋଇଥିଲେ।
ମାତ୍ର ୧୭ ବର୍ଷ ବୟସରେ ସ୍ମୃତି ମନ୍ଧାନା ୱାନ’ଡେ ଫର୍ମାଟରେ ଦ୍ବିଶତକ ହାସଲ କରିଥିଲେ । ସେ ଏହା କରିବାରେ ପ୍ରଥମ ଭାରତୀୟ ମହିଳା କ୍ରିକେଟର୍ ସାଜିଥିଲେ । ୨୦୧୩ ଅକ୍ଟୋବରରେ ଅଣ୍ଡର-୧୯ ୱେଷ୍ଟ ଜୋନ୍ ଟୁର୍ଣ୍ଣାମେଣ୍ଟରେ ମଧ୍ୟ ସେ ଖେଳିଥିଲେ । ତା’ପରେ ସେ ୧୫୦ ବଲରେ ୨୨୩ ରନ୍ ସ୍କୋର କରିଥିଲେ। ସେ ଏହି ଇନିଂସରେ ୩୨ ଚୌକା ମାରିଥିଲେ।
ହୁଏତ ତାଙ୍କ କମ୍ ଫ୍ୟାନମାନଙ୍କୁ ଏହା ଜଣା ଥିବ ଯେ ଯେଉଁ ବ୍ୟାଟ୍ ସହ ମନ୍ଧାନା ଦ୍ବିଶତକ ହାସଲ କରିଥିଲେ, ତାହା ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ରାହୁଲ ଦ୍ରାବିଡ଼ଙ୍କର ଥିଲା । ଏହାର ଖୁଲାସା ସ୍ମୃତି ନିଜେ ଗୌରବ କପୁରଙ୍କ ଶୋ ‘ବ୍ରେକଫାଷ୍ଟ ୱିଥ୍ ଚାମ୍ପିଆନ୍ସ’ରେ କରିଥିଲେ। ଦ୍ରାବିଡ଼ ସାଇନ୍ କରିଥିବା ଏହି ବ୍ୟାଟ୍ ସ୍ମୃତିଙ୍କ ଭାଇ ଶ୍ରବଣଙ୍କୁ ଦେଇଥିଲେ । ମନ୍ଧାନା ଏହି ବ୍ୟାଟ୍ ଜରିଆରେ ଇତିହାସ ରଚ଼ିବା ଭଳି ଇନିଂସ ଖେଳିଥିଲେ।
ଶୋରେ ଏହି ବ୍ୟାଟ୍ ସମ୍ବନ୍ଧୀୟ ପୂରା କାହାଣୀ ଶୁଣାଇଥିଲେ ମନ୍ଧାନା । ସେ କହିଥିଲେ, “ମୋ ଭାଇ ଶ୍ରବଣ ମୋ ପାଇଁ ଦ୍ରାବିଡ଼ ସାରଙ୍କୁ ଅଟୋଗ୍ରାଫ୍ ଥିବା ବ୍ୟାଟ୍ ମାଗିଥିଲେ। ସେ ମଧ୍ୟ ଉଦାରତା ଦେଖାଇ ଭାଇଙ୍କୁ ଏହି ବ୍ୟାଟ୍ ଦେଇଥିଲେ । ମୁଁ ଏହି ବ୍ୟାଟକୁ ସୁରକ୍ଷିତ ରଖିବାକୁ ଚାହୁଁଥିଲି। ହେଲେ ମୁଁ ଏହାକୁ ହାତରେ ଉଠାଇବା ମାତ୍ରେ ଏହାର ବାଲାନ୍ସ ଦେଖି ମୁଁ ଆଶ୍ଚର୍ଯ୍ୟ ହୋଇଯାଇଥିଲି। ଏହି ବ୍ୟାଟର ବାଲାନ୍ସ ଓ ଓଜନ ଆଶ୍ଚର୍ଯ୍ୟଜନକ ଥିଲା । ଏହା ପରେ ମୁଁ ଏହି ବ୍ୟାଟରେ ଖେଳିବା ଆରମ୍ଭ କଲି। ପ୍ରଥମ ୱାନ’ଡେ ଫର୍ମାଟରେ ଡବଲ୍ ଶତକ କରିଥିଲି। ଏହା କେବଳ ରାହୁଲ ସାରଙ୍କ ଅଟୋଗ୍ରାଫ୍ ଜରିଆରେ ସମ୍ଭବ ହୋଇପାରିଥିଲା।“
୨୦୧୭ ୱାନ’ଡେ ୱାର୍ଲ୍ଡ କପ୍ ଓ ୨୦୨୦ର ଟି-୨୦ ବିଶ୍ବ କପ୍ ଫାଇନାଲରେ ଟିମକୁ ଆଗେଇ ନେବାରେ ମନ୍ଧାନାଙ୍କ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଥିଲା। ସେ ଅଷ୍ଟ୍ରେଲିଆର ଟି-୨୦ ଲିଗ୍ ବିଗ ବ୍ୟାସରେ ମଧ୍ୟ ସୁନ୍ଦର ପ୍ରଦର୍ଶନ କରିସାରିଛନ୍ତି। ଇଂଲଣ୍ଡରେ ଅନୁଷ୍ଠିତ ହେବାକୁ ଥିବା (The Hundred) ରେ ଖେଳିବା ପାଇଁ ତାଙ୍କୁ ଚ଼ନୟ କରାଯାଇଛି। ମନ୍ଧାନା ୫୯ ୱାନ’ଡେରେ ୪୨ ଆଭରେଜ୍ ସହ ୨୨୫୩ ରନ୍ ସଂଗ୍ରହ କରିସାରିଛନ୍ତି । ସେ ୪ଟି ଶତକ ସହ ୧୮ ଅର୍ଦ୍ଧଶତକ କରିଛନ୍ତି। ଭାରତ ପାଇଁ ସର୍ବାଧିକ ରନ୍ ସ୍କୋର କରିବାରେ ଶ୍ରେଷ୍ଠ ମହିଳା ବ୍ୟାଟ୍ସମ୍ୟାନରେ ସାମିଲ ଅଛନ୍ତି ସେ। ଏହାସହ ସେ ୮୧ ଟି-୨୦ରେ ୨୬ ଆଭରେଜରେ ୧୯୦୧ ରନ୍ କରିସାରିଛନ୍ତି।
Published by:Lipina Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।