News18 Odia Digital
ନୂଆ ଦିଲ୍ଲୀ: ନାମିବିଆରୁ ଭାରତ ଆସୁଥିବା ଆଠଟି ଚିତା ଶନିବାର ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ମୁକ୍ତ ହେବ। ଏହାର ଗୋଟିଏ ଦିନ ପୂର୍ବରୁ ଏହି ବିଷୟରେ 'କ୍ରେଡିଟ୍ ଯୁଦ୍ଧ' ଆରମ୍ଭ ହୋଇଛି। ଶୁକ୍ରବାର ଦିନ କଂଗ୍ରେସ କହିଛି ଯେ ମନମୋହନ ସିଂଙ୍କ ସମୟରେ 'ପ୍ରୋଜେକ୍ଟ ଚିତା' ପ୍ରସ୍ତାବକୁ ଅନୁମୋଦନ କରାଯାଇଥିଲା, କିନ୍ତୁ ସୁପ୍ରିମକୋର୍ଟଙ୍କ ରୋକ କାରଣରୁ ଏହା ଏତେ ସମୟ ଲାଗିଗଲା।
କଂଗ୍ରେସ ଟ୍ୱିଟ୍ କରି କହିଛି ଯେ, ୨୦୦୮-୦୯ ମସିହାରେ ପ୍ରୋଜେକ୍ଟ ଚିତା ପାଇଁ ପ୍ରସ୍ତାବ ପ୍ରସ୍ତୁତ କରାଯାଇଥିଲା। ମନମୋହନ ସିଂଙ୍କ ସରକାର ଏହାକୁ ଅନୁମୋଦନ କରିଥିଲେ। ଏପ୍ରିଲ୍ ୨୦୧୦ ରେ ତତ୍କାଳୀନ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଜୟରାମ ରମେଶ ଜି ଆଫ୍ରିକାର ଚିତା ଆଉଟ ରିଚ୍ ସେଣ୍ଟରକୁ ଯାଇଥିଲେ। ଦଳ ଆହୁରି ମଧ୍ୟ କହିଛି ଯେ ୨୦୧୩ରେ ସୁପ୍ରିମକୋର୍ଟ ଏହି ପ୍ରକଳ୍ପ ଉପରେ ପ୍ରତିବନ୍ଧକ ଲଗାଇଥିଲେ, ୨୦୨୦ରେ ଏହି ପ୍ରତିବନ୍ଧକ ହଟାଯାଇଥିଲା। ଏବେ ଭାରତକୁ ଚିତା ବାଘ ଆସିବ।
ପ୍ରଧାନମନ୍ତ୍ରୀ ମୋଦି ଶନିବାର ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ନାମିବିଆରୁ ଭାରତକୁ ଆଣିଥିବା ଚିତାକୁ ମୁକ୍ତ କରିବେ। ୧୯୫୨ ମସିହାରେ ଭାରତ ସରକାର ଦେଶରେ ଚିତାକୁ ବିଲୁପ୍ତ ଘୋଷଣା କରିଥିଲେ। ଚିତାକୁ ୧୯୪୮ ମସିହାରେ ଛତିଶଗଡର କୋରିଆ ଜିଲ୍ଲାର ଜଙ୍ଗଲରେ ଦେଖିବାକୁ ମିଳିଥିଲା। ଅନ୍ୟପକ୍ଷରେ କେନ୍ଦ୍ର ପରିବେଶ ମନ୍ତ୍ରୀ ଭୁପେନ୍ଦ୍ର ଯାଦବ ଶୁକ୍ରବାର ଦିନ କହିଛନ୍ତି ଯେ ଅତ୍ୟଧିକ ଶିକାର ହେତୁ ଦେଶରେ ବିଲୁପ୍ତ ହୋଇଥିବା ଚିତାକୁ ଫେରାଇ ଭାରତ ପରିବେଶ ଅସନ୍ତୁଳନକୁ ଦୂର କରିବ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।