ଟ୍ରାକ୍ଟର ଚଳାଇ ସଂସଦରେ ପହଞ୍ଚିଲେ ରାହୁଲ ଗାନ୍ଧୀ; କହିଲେ ଚାଷୀଙ୍କ ବାର୍ତ୍ତା ନେଇ ଆସିଛି

ରାହୁଲ ଗାନ୍ଧୀ କହିଛନ୍ତି ଯେ ମୁଁ ଚାଷୀଙ୍କ ବାର୍ତ୍ତା ନେଇ ସଂସଦକୁ ଆସିଛି। ସରକାର ଚାଷୀ ସ୍ୱରକୁ ଦମନ କରୁଛନ୍ତି। ସଂସଦରେ ସେମାନଙ୍କ ପ୍ରସଙ୍ଗରେ ଆଲୋଚନା ପାଇଁ ଅନୁମତି ଦିଆଯାଉ ନାହିଁ।

କଂଗ୍ରେସ ନେତା ରାହୁଲ ଗାନ୍ଧୀ ଟ୍ରାକ୍ଟର ଚଳାଇ ସଂସଦରେ ପହଞ୍ଚିଛନ୍ତି।

କଂଗ୍ରେସ ନେତା ରାହୁଲ ଗାନ୍ଧୀ ଟ୍ରାକ୍ଟର ଚଳାଇ ସଂସଦରେ ପହଞ୍ଚିଛନ୍ତି।

  • Share this:
News18 Odia Digital

ନୂଆ ଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆଜି ଟ୍ରାକ୍ଟର ଚଳାଇ ସଂସଦରେ ପହଞ୍ଚିଛନ୍ତି। ମୌସୁମୀ ଅଧିବେଶନ ପାଇଁ ସୋମବାର ସଂସଦ ଚାଲିଥିଲା। ରାହୁଲ ଗାନ୍ଧୀ କହିଛନ୍ତି ଯେ ମୁଁ ଚାଷୀଙ୍କ ବାର୍ତ୍ତା ନେଇ ସଂସଦକୁ ଆସିଛି। ଏହି ସମୟରେ କଂଗ୍ରେସ ନେତାମାନେ ତାଙ୍କ ସହ ଉପସ୍ଥିତ ଥିଲେ। ରାହୁଲ ଗାନ୍ଧୀ ଗଣମାଧ୍ୟମକୁ କହିଛନ୍ତି ସରକାର ଚାଷୀ ସ୍ୱରକୁ ଦମନ କରୁଛନ୍ତି। ସଂସଦରେ ସେମାନଙ୍କ ପ୍ରସଙ୍ଗରେ ଆଲୋଚନା ପାଇଁ ଅନୁମତି ଦିଆଯାଉ ନାହିଁ। ସରକାରଙ୍କ ଏହି ନିୟମ ହେଉଛି କଳା ନିୟମ। ସରକାରଙ୍କୁ ଏହି ଆଇନ ପ୍ରତ୍ୟାହାର କରିବାକୁ ହେବ ବୋଲି କହିଛନ୍ତି କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ।

କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି ଯେ ସରକାରଙ୍କ ଅନୁଯାୟୀ କୃଷକମାନେ ବହୁତ ଖୁସିରେ ଅଛନ୍ତି ଓ ବାହାରେ ବସିଥିବା ବା ବିରୋଧ କରୁଥିବା କୃଷକମାନେ ହେଉଛନ୍ତି ଆତଙ୍କବାଦୀ।  କିନ୍ତୁ ବାସ୍ତବରେ ଚାଷୀଙ୍କ ଅଧିକାର ଛଡ଼ାଇ ନିଆଯାଉଛି। ରାହୁଲ କହିଛନ୍ତି ଯେ ଏହି ଆଇନ ଦେଶର ମାତ୍ର ୨ରୁ ୩ ବ୍ୟବସାୟୀଙ୍କୁ ଲାଭ ଦେବାକୁ ତିଆରି ହୋଇଛି। ସରକାର ଅନେକ ସମସ୍ୟା ଭିତରେ ଅଛନ୍ତି। ରାହୁଲ ଗାଡ଼ି ଚଳାଉଥିବା ବେଳେ ଟ୍ରାକ୍ଟରରେ ରାଜ୍ୟସଭା ସଦସ୍ୟ ଦୀପେନ୍ଦ୍ର ହୁଡ଼ା, ପ୍ରତାପ ସିଂ ବାଜୱା ଏବଂ ଦଳର କିଛି ସଦସ୍ୟ ତାଙ୍କ ସହ ବସିଥିଲେ।

ଏହି ଟ୍ରାକ୍ଟର ପଦଯାତ୍ରା ପରେ କଂଗ୍ରେସ ସାଧାରଣ ସମ୍ପାଦକ ରଣଦୀପ ସୁରଜେୱାଲା, ଯୁବ କଂଗ୍ରେସ ମୁଖ୍ୟ ଶ୍ରୀନିବାସ ବିୱି ଏବଂ କିଛି ଦଳର କର୍ମୀଙ୍କୁ ଧାରା ୧୪୪ ଧାରା ଉଲ୍ଲଂଘନ ଅଭିଯୋଗରେ ଗିରଫ କରାଯାଇଥିଲା।

ଏହା ପୂର୍ବରୁ ଗୁରୁବାର ଦିନ ରାହୁଲଙ୍କ ନେତୃତ୍ୱରେ ସାଂସଦମାନେ ସଂସଦର ଗାନ୍ଧୀ ପ୍ରତିମୂର୍ତ୍ତି ନିକଟରେ ପ୍ରଦର୍ଶନ କରିଥିଲେ।  ରାହୁଲଙ୍କ ବ୍ୟତୀତ ଲୋକସଭାରେ କଂଗ୍ରେସ ନେତା ଅଧିର ରଞ୍ଜନ ଚୌଧୁରୀ, ଲୋକସଭା ସଦସ୍ୟ ମନୀଷ ତିୱାରୀ, ଗୌରବ ଗୋଗୋଇ, ରାବଣୀତ ସିଂ ବିଟୁ, ରାଜ୍ୟସଭା ସଦସ୍ୟ ପ୍ରତାପ ସିଂ ବାଜୱା ଏବଂ ଅନ୍ୟାନ୍ୟ ସାଂସଦ ଏହି ବିକ୍ଷୋଭରେ ଭାଗ ନେଇଥିଲେ।

ମୁଖ୍ୟତଃ ପଞ୍ଜାବ, ହରିୟାଣା ଏବଂ ପଶ୍ଚିମ ଉତ୍ତରପ୍ରଦେଶର କୃଷକମାନେ ଗତ ନଭେମ୍ବରରୁ ଦିଲ୍ଲୀ ସୀମାରେ କୃଷି ନିୟମକୁ ବିରୋଧ କରିଆସୁଛନ୍ତି।  ଆନ୍ଦୋଳନକାରୀ କୃଷକମାନଙ୍କ ମଧ୍ୟରୁ ୨୦୦ ଜଣ କୃଷକ ଏକ ସ୍ୱତନ୍ତ୍ର ଅନୁମତି ପାଇବା ପରେ ଏବେ କେନ୍ଦ୍ରୀୟ ଦିଲ୍ଲୀର ଜନ୍ତର ମନ୍ତରରେ କିଷାନ ସଂସଦ କରୁଛନ୍ତି।
Published by:Soumya Das
First published: