Maharastra Politcs: ମହାରାଷ୍ଟ୍ର ମହାସଂକଟ ପାର୍ଟ ଟୁ, ସିନ୍ଧେ -ଫଡନଭିସ୍ କ୍ୟାମେଷ୍ଟ୍ରିରେ କେଁ !

Maharastra Politcs: ମହାରାଷ୍ଟ୍ର ମହାସଂକଟ ପାର୍ଟ ଟୁ, ସିନ୍ଧେ -ଫଡନଭିସ୍ କ୍ୟାମେଷ୍ଟ୍ରିରେ କେଁ !

Maharastra Politcs: ମହାରାଷ୍ଟ୍ର ମହାସଂକଟ ପାର୍ଟ ଟୁ, ସିନ୍ଧେ -ଫଡନଭିସ୍ କ୍ୟାମେଷ୍ଟ୍ରିରେ କେଁ !

  • News18 Odia
  • Last Updated :
  • Other, India
  • Share this:


News18 Odia Digital

Maharastra Politcs:  ମହାରାଷ୍ଟ୍ରରେ ସୃଷ୍ଟି ହେବ କି ସତ୍ତା ସଙ୍କଟ ? ଗଡ଼ି ପଡ଼ିବ କି ସିନ୍ଧେ ସରକାର ? ବିରୋଧୀ କ୍ୟାମ୍ପରେ ହେବ କି କମ୍ପନ ? MVAରୁ ଓହରି ଯିବ କି NCP ? ଏକନାଥଙ୍କ ସ୍ଥାନରେ ଅଜିତ ପାୱାରଙ୍କ ନେତୃତ୍ବରେ ନୂଆ ସରକାର ଗଢ଼ିବ କି ବିଜେପି ? ବିଜେପି ଆଚରଣକୁ ନେଇ ଶିବସେନାର ଆକଳନ, ଅଜିତ ପାୱାରଙ୍କ ନିରବ ସଙ୍କେତ ଏବଂ ଶରଦ ପାୱାରଙ୍କ ‘ଇଚ୍ଛା ଶକ୍ତି’ ବୟାନ, ମହାରାଷ୍ଟ୍ର ରାଜନୀତିରେ ଆଉ ଏକ ମହାସଙ୍କଟର ଆଶଙ୍କା ଛିଡ଼ା କରିଛି । ୨୦୨୪ ଗ୍ରାଣ୍ଡ ଫିନାଲେ ପୂର୍ବରୁ, ରାଜ୍ୟ ରାଜନୀତିରେ ହଲ୍ ଚଲ୍, ବଡ଼ ପରିବର୍ତ୍ତନର ସଙ୍କେତ ଦେଉଛି ।

ମହାରାଷ୍ଟ୍ର ଏବେ ଦେଖାଦେଇଛି ମହାସଙ୍କଟ ଦ୍ବିତୀୟ ଭାଗ । ସିନ୍ଧେ-ଫଡନଭିସ୍ କେମିଷ୍ଟ୍ରିରେ କେଁ ଥିଲା ଭଳି ଲାଗୁଛି । ସେପଟେ ମୁଖ୍ୟମନ୍ତ୍ରୀ ଚୌକି ଉପରେ ଅତିତ ପାୱାରଙ୍କ ଆଖି ପଡ଼ିଥିବା ବେଳେ ଶରଦ ପାୱାରଙ୍କ ‘ଇଚ୍ଛା ଶକ୍ତି’ ବୟାନ MVAରେ ସୃଷ୍ଟି କରିଛି କମ୍ପନ । ୨୦୨୪ ଗ୍ରାଣ୍ଡ ଫିନାଲେ ପୂର୍ବରୁ ମହାରାଷ୍ଟ୍ର ରାଜନୈତିକ ସମୀକରଣରେ ହେବ କି ବଡ଼ ପରିବର୍ତ୍ତନ ? ବିଜେପି-ସିନ୍ଧେ ଶିବସେନା ସରକାରରେ ଲାଗିବ କି ଗ୍ରହଣ ? ମୁଖ୍ୟମନ୍ତ୍ରୀ ପଦ ହରାଇବେ କି ଏକନାଥ ସିନ୍ଧେ ? ଅଜିତ ପାୱାରଙ୍କ NCP ସହ ନୂଆ ଗଠବନ୍ଧନରେ ବାନ୍ଧି ହେବ କି ବିଜେପି ?

ମହାରାଷ୍ଟ୍ର ସରକାରକୁ ନେଇ ନୂଆ ଟ୍ବିଷ୍ଟ । ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେଙ୍କ ନେତୃତ୍ବାଧୀନ ଶିବସେନା-ବିଜେପି ମେଣ୍ଟ ସରକାରକୁ ନେଇ ପ୍ରତିଦିନ ନୂଆ ନୂଆ କଥା ଶୁଣିବାକୁ ମିଳୁଛି । ୧୫ ଦିନ ମଧ୍ଯରେ ସିନ୍ଧେ ସରକାରର ପତନ ଘଟିବ ବୋଲି, ଶିବସେନା ନେତା ସଞ୍ଜୟ ରାଉତଙ୍କ ବିସ୍ଫୋରକ ବୟାନ, ମହାରାଷ୍ଟ୍ର ରାଜନୀତିରେ ସୃଷ୍ଟି କରିଛି ହଟ ଚମଟ । ସେପଟେ ସଞ୍ଜୟ ରାଉତଙ୍କ ମନ୍ତବ୍ୟ ରୂପୀ ନିଆଁରେ ଘିଅ ଢାଳିଛନ୍ତି ଉଦ୍ଧବ ଠାକରେ । ଉଦ୍ଧବ କହିଛନ୍ତି, ମହାରାଷ୍ଟ୍ରରେ ଯେକୌଣସି ସମୟରେ ହୋଇପାରେ ନିର୍ବାଚନ, ଯାହା ରାଜନୈତିକ ମାହୋଲକୁ ଅଧିକ ରୋଚକ କରିଛି ।

ପ୍ରଥମେ ଶିବସେନା ମୁଖପତ୍ର ‘ସାମ୍ନା’ରେ ସଂଜୟ ରାଉତଙ୍କ ‘ଡେଥ୍ ୱାରେଣ୍ଟ’ ଉପଖ୍ୟାନ । ପରେ ଅଜିତ ପାୱାରଙ୍କ ସ୍ପଷ୍ଟୀକରଣ । ସଂଜୟ ଏବଂ ଅଜିତଙ୍କ କଥା କଟାକଟି ଅବ୍ୟାହତ ରହିଥିବା ବେଳେ, ସଂଜୟଙ୍କ ସଂକେତକୁ ଦିଶା ଦେଇଛନ୍ତି ଉଦ୍ଧବ । ଜଲଗାଓଁ ଜନସଭାରେ ଉଦ୍ଧବ ଖୁଲାସା କରିଛନ୍ତି ଯେ, ମହାରାଷ୍ଟ୍ରରେ ଯେକୌଣସି ମୁହୂର୍ତ୍ତରେ ହୋଇପାରେ ନିର୍ବାଚନ । ଆଉ ଏଥିପାଇଁ ତାଙ୍କ ଦଳ ସଂପୂର୍ଣ୍ଣ ପ୍ରସ୍ତୁତ । ଉଦ୍ଧବଙ୍କ ବୟାନର ଦୁଇଟି କଥା ସ୍ପଷ୍ଟ ବାରି ହୋଇ ପଡୁଛି ।... ପ୍ରଥମଟି, ମୁଖ୍ୟମନ୍ତ୍ରୀ ସିନ୍ଧେ ଏବଂ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସଙ୍କ କେମିଷ୍ଟ୍ରିରେ କେଉଁଠି ନାଁ କେଉଁଠି କେଁ ରହିଛି କି ? ଦ୍ବିତୀୟଟି ସୁପ୍ରିମକୋର୍ଟଙ୍କ ସମ୍ଭାବ୍ୟ ରାୟ । ଉଦ୍ଧବ ଗୋଷ୍ଠୀର ଦାବି, ଶିବସେନା ବିଧାୟକଙ୍କ ମାମଲାରେ ଖୁବ ଶୀଘ୍ର ଆସିବ ସୁପ୍ରିମକୋର୍ଟଙ୍କ ରାୟ । ଆଉ ଏହି ରାୟ ସେମାନଙ୍କ ସପକ୍ଷରେ ଯିବ । କେବଳ ସେତିକି ନୁହେଁ, ସିନ୍ଧେ ସରକାର ଉପରେ ବଡ଼ ପ୍ରଶ୍ନ ଉଠାଇଛନ୍ତି ଉଦ୍ଧବ । ମେଣ୍ଟ ସରକାର ମୁଖ୍ଯମନ୍ତ୍ରୀ ସିନ୍ଧେଙ୍କ ନେତୃତ୍ବରେ ନିର୍ବାଚନ ଲଢ଼ିବ କି ବୋଲି, ଉଦ୍ଧବ ପ୍ରଶ୍ନ କରିଛନ୍ତି ? ଉଦ୍ଧବଙ୍କ ପ୍ରଶ୍ନର ଗୁରୁତ୍ବ ବି ରହିଛି । କାରଣ ଚର୍ଚ୍ଚା ହେଉଛି ଯେ, ୨୦୨୪ ବିଧାନସଭା ନିର୍ବାଚନ ସମୟରେ ସିନ୍ଧେ ଗୋଷ୍ଠୀକୁ ଝଟକା ଦେଇପାରେ ରାଜ୍ୟ ବିଜେପି । ରାଜ୍ୟ ବିଜେପି ଅଧ୍ୟକ୍ଷ ଚନ୍ଦ୍ରକାନ୍ତ ପାଟିଲ କହୁ କହୁ କହି ପକାଇଛନ୍ତି ଯେ, ବିଧାନସଭାର ୨୮୮ ଆସନ ମଧ୍ଯମରୁ ସିନ୍ଧେ ଗୋଷ୍ଠୀକୁ ୪୮ଟି ଦେବ ବିଜେପି । ଯାହାକୁ ନେଇ ସିନ୍ଧେ ଗୋଷ୍ଠୀକୁ ନିଶାନା ବନାଇଛି ଉଦ୍ଧବ ଗୋଷ୍ଠୀ ।

ମୁଖ୍ୟମନ୍ତ୍ରୀ ସିନ୍ଧେଙ୍କୁ ଉଦ୍ଧବଙ୍କ ଶିବସେନାର ଷଣ୍ଢୁଆସି ଆକ୍ରମଣ । ମହାରାଷ୍ଟ୍ର ବିଜେପି ଅଧ୍ଯକ୍ଷଙ୍କ ବିବୃତ୍ତିକୁ ନେଇ ସିନ୍ଧେ କ୍ୟାମ୍ପକୁ ତାତ୍ସଲ୍ୟ କରିଛି ଉଦ୍ଧବ କ୍ୟାମ୍ପ । ଯିଏ ବାଲାସାହେବ ଠାକରେଙ୍କ ବିଚାରଧାରାଠାରୁ ଦୂରେଇ ଯାଇଛନ୍ତି, ସେମାନଙ୍କୁ ବିଜେପି କୋଣଠେସା କରିବା ଥୟ ବୋଲି, ସିଏମ୍ ସିନ୍ଧେଙ୍କୁ ଚେତାଇ ଦେଇଛି ଉଦ୍ଧବ ଗୋଷ୍ଠୀ । ସଞ୍ଜୟ ରାଉତଙ୍କ ‘ଡେଥ୍ ୱାରେଣ୍ଟ’ ଷ୍ଟେଟମେଣ୍ଟର ଜବାବ ‘ଫେକ୍ ଆଷ୍ଟ୍ରୋଲୋଜର’ରେ ଦେଇଛି ସିନ୍ଧେ ସେନା ।

୨୦୨୪ରେ ଲୋକସଭା ନିର୍ବାଚନ । ଏହା ସହିତ ହେବ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ । ଦୁଇଟି ଯାକର ଫଳାଫଳ ବିଜେପି ପାଇଁ ଗୁରୁତ୍ବପୂର୍ଣ୍ଣ । ୨୦୧୯ରେ ବିଜେପି-ଶିବସେନା ମିଳିତ ଭାବେ ଲଢ଼ିଥିଲେ । ରାଜ୍ୟରେ ମୋଟ ୪୮ ଲୋକସଭା ଆସନରୁ , ମେଣ୍ଟ ହାତେଇଥିଲା ୪୧ ଆସନ । ବିଜେପି ୨୩ରେ ବିଜୟୀ ହୋଇଥିବା ବେଳେ, ଶିବସେନା ଖାତାରେ ପଡ଼ିଥିଲା ୧୮ । ଏବେ କିନ୍ତୁ ଶିବସେନା ଦୁଇ ଫାଳ । ବିଜେପି ସହ ହାତ ମିଳାଇଛି ସିନ୍ଧେ ଗୋଷ୍ଠୀ । ଅପରପକ୍ଷରେ କଂଗ୍ରେସ ଏବଂ ଏନସିପି ସହ ମିଶି ମହା ବିକାଶ ଅଗାଡ଼ି-MVA ଗଢ଼ିଛି ଉଦ୍ଧବ ସିବସେନା । ତେଣୁ ୨୦୨୪ ଫଳାଫଳକୁ ନେଇ ସନ୍ଦେହରେ ବିଜେପି । ରାଜନୀତି ବିଶାରଦଙ୍କ ଆକଳନ, ଯଦି ନିର୍ବାଚନ ଯାଏଁ MVA ଅତୁଟ ରହେ, ଅର୍ଥାତ ଯଦି ୨୦୨୪ରେ ମହାରାଷ୍ଟ୍ରରେ ବିଜେପି-ସିନ୍ଧେ ଏବଂ କଂଗ୍ରେସ-ଏନସିପି-ଉଦ୍ଧବ ସେନା ମଧ୍ଯରେ ସିଧାସଳଖ ମୁକାବିଲା ହୁଏ... ତେବେ ସଂଖ୍ଯା ଗଣିତରେ ପଛରେ ପଡ଼ିପାରେ ବିଜେପି । ୨୦୨୨ରେ ସଫଳ ହୋଇଥିଲା ଅପରେସନ ଲୋଟସ । ଶିବସେନାକୁ ଦୁଇ ଭାଗ କରି ଦେଇଛି ପଦ୍ମ ଦଳ । ଏବେ ବିଜେପି ଟାର୍ଗେଟରେ ରହିଛି କି ଏନସିପି ? ୨୦୧୯ରେ ଏନସିପି ନେତା ଅଜିତ ପାୱାରଙ୍କୁ ଉମମୁଖ୍ୟମନ୍ତ୍ରୀ ପଦର ଲୋଭ ଦେଖାଇ, ରାତିଅଧିଆ ସରକାର ଗଢିଥିଲେ ବିଜେପି ନେତା ଦେବେନ୍ଦ୍ର ଫଡନଭିସ୍ । ହେଲେ ଶରଦ ପାୱାରଙ୍କ ପାୱାର ପ୍ଲେ ଆଗରେ ଫସର ଫାଟିଥିଲା ଫଡନଭିସଙ୍କ ‘ଅପରେସନ DAWN’ । ଏବେ ଅପରେସନ ଲୋଟସ-ଟୁ ଆରମ୍ଭ ହୋଇଥିବା ଚର୍ଚ୍ଚା ହେଉଛି । କାଳେ, ବିଜେପି ଅଜିତଙ୍କୁ ସିଧାସଳଖ ମୁଖ୍ୟମନ୍ତ୍ରୀ ପଦ ଅଫର କରିଥିବା ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି । ଉଦ୍ଧବ ଶିବସେନାର ଏହି ସଙ୍ଗୀନ ଅଭିଯୋଗ, ଭିତ୍ତିହୀନ ବୋଲି ନିଜେ ଅଜିତ ସ୍ପଷ୍ଟୀକରଣ ରଖି ସାରିଛନ୍ତି ସତ... ତେବେ ‘ନିଆଁ ନଥିଲେ ଧୂଆଁ ବାହାରିଲା’ ପ୍ରଶ୍ନ ଉଙ୍କି ମାରୁଛି ।

ଅଜିତ ପାୱାରଙ୍କ ଆଭିମୁଖ୍ୟ ଏବେ ବି ଅସ୍ପଷ୍ଟ । ଯାହାକୁ ବିଜେପି କିମ୍ବା ଉଦ୍ଧବ ସେନା, କେତେ ବୁଝିଛନ୍ତି, ତାହା ତ ଦୂରର କଥା, ନିଜେ NCP ସୁପ୍ରିମୋ ଶରଦ ପାୱାର ମଧ୍ଯ ସଠିକ ଭାବେ ମାପି ପାରିନାହାନ୍ତି । କେବଳ ମେଣ୍ଟ ଧର୍ମ ପାଳନ ପାଇଁ ଶରଦ ପାୱାର, ପୁତୁରା ଅଜିତଙ୍କ ଉପରେ ମାପି ଚୁପି ବୟାନ ଦେଉଛନ୍ତି । ତେବେ ଶରଦ ପାୱାରଙ୍କ ନୂଆ ବୟାନ, ମେଣ୍ଟ ସହଯୋଗୀ କଂଗ୍ରେସ ଏବଂ ଉଦ୍ଧବ ଶିବସେନାକୁ ନିରାଶ କରିଛି । ଶରଦ କହିଛନ୍ତି ଯେ, ‘ଏକାଠି ରହିବାକୁ ଇଚ୍ଛା ଅଛି, କିନ୍ତୁ କେବଳ ଇଚ୍ଛାଶକ୍ତି ଯଥେଷ୍ଟ ନୁହେଁ’ । ଆମେ ଏପର୍ଯ୍ୟନ୍ତ ସିଆସନ ଭାଗବଣ୍ଟା କିମ୍ବା ମେଣ୍ଟ ଧର୍ମର ଅନ୍ୟାନ୍ୟ ଦିଗ ଉପରେ ଆଲୋଚନା କରିନାହୁଁ । ତେଣୁ ପରବର୍ତ୍ତୀ ମେଣ୍ଟକୁ ନେଇ ଏବେଠୁ କେମିତି କହିହେବ ବୋଲି ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରେ କହିଛନ୍ତି ସିନିୟର ପାୱାର ।

କାହିଁକି ଏମିତି କହିଲେ ସିନିୟର ପାୱାର ? ଶରଦଙ୍କ ବୟାନରେ କାହା ପ୍ରତି ଥିଲା ଇଙ୍ଗିତ ? MVAକୁ ନେଇ ଖୁସି ନାହାନ୍ତି କି ଏନସିପି ସୁପ୍ରିମୋ ? ଗଣମାଧ୍ୟମ ଆଗରେ ଏପରି କହିବାର ଉଦ୍ଦେଶ୍ୟ କିଛି ଭିନ୍ନ ଅଛି କି ? MVAରୁ ଓହରିବାକୁ ଚାହୁଁଛି କି NCP ? ଅଜିତଙ୍କୁ ଢାଲ କରି MVAକୁ କଡ଼ା ବାର୍ତ୍ତା ଦେଲେ କି ଶରଦ ପାୱାର ? ଏହା ପାୱାରଙ୍କ ନିଜ ମନ କଥା... ନା ଅଜିତଙ୍କ ଚାପ ! ଅଜିତ ପାୱାରଙ୍କ ମୁଖ୍ୟମନ୍ତ୍ରୀ ହେବାର ଅଭିପ୍ସାକୁ ପୂରା କରିବାକୁ ଚାହୁଁଛନ୍ତି କି ସିନିୟର ପାୱାର ? ଅଜିତ ପାୱାର ମୁଖ୍ୟମନ୍ତ୍ରୀ ହେବା ନେଇ ପରୋକ୍ଷ ସଂକେତ ଦେଇ ସାରିଥିବା ବେଳେ, ଏନସିପିକୁ ବଞ୍ଚାଇବାକୁ ଦ୍ବନ୍ଦ୍ବରେ ନାହାନ୍ତି ତ ଶରଦ ?

ଶରଦ ପାୱାରଙ୍କ ଇଚ୍ଛା ଶକ୍ତି ବୟାନକୁ ନେଇ ବିଜେପି ଉପରକୁ ଠେଲିଛି ଉଦ୍ଧବ ଶିବସେନା । ସଞ୍ଜୟ ରାଉତଙ୍କ ଜବାବ, ବିଜେପି ସବୁ ଦଳକୁ ଖଣ୍ଡ ଖଣ୍ଡ କରିବାକୁ ଉଦ୍ୟମ କରୁଛି । ଶିବସେନା ଉପରେ ବିଜେପିର ପ୍ରୟୋଗ ସଫଳ ହୋଇଛି । ତେବେ MVA ଅତୁଟ ରହିବ ଏବଂ ୨୦୨୪ରେ ମହା ବିକାଶ ଅଗାଡ଼ି ମିଳିତ ଭାବେ ନିର୍ବାଚନ ଲଢ଼ିବ ବୋଲି ଜୋର ଦେଇ କହିଛନ୍ତି ସଂଜୟ ।

ମହାରାଷ୍ଟ୍ର ରାଜନୀତିରେ ମେଣ୍ଟ ଧର୍ମ ପାଳନ ଏକ ଆହ୍ବାନ ମାତ୍ର । କେବେ ବି ସଂପୂର୍ଣ୍ଣ ସଫଳ ହୋଇନି ମେଣ୍ଟ ରାଜନୀତି । ୨୦୨୪ ନିର୍ବାଚନ ପୂର୍ବରୁ ସୃଷ୍ଟି ହୋଇଛି ଆଉ ଏକ ବଡ଼ ଚ୍ୟାଲେଞ୍ଜ । ବିଜେପି-ସିନ୍ଧେ ସେନା ଶାସକ ମେଣ୍ଟ ହେଉ, କିମ୍ବା କଂଗ୍ରେସ-ଏନସିପି-ଉଦ୍ଧବ ଶିବସେନାଙ୍କ MVA... କାହା ମେଣ୍ଟ ରହିବ ? ଆଉ କାହା ମେଣ୍ଟରେ ସୃଷ୍ଟି ହେବ ଫାଟ ? ଏବେଠୁ ଆକଳନ କରିବା କଷ୍ଟକର । ତେବେ ଅଜିତ ପାୱାରଙ୍କ ‘ସିଏମ୍ ଫଣ୍ଡା’କୁ ହାଲକା ଭାବେ ମଧ୍ୟ ନେଇ ହେବ ନାହିଁ ।
(ରିପୋର୍ଟ- ଜୟଦେବ ଜେନା)
Published by:Sujit Swain
First published: