News18 Odia Digital
ପାଟନା: ବିହାରରେ ନିକଟରେ ଗଠିତ ଗ୍ରାଣ୍ଡ ଆଲାଇନ୍ସ ସରକାରରେ ବିବାଦ ଆରମ୍ଭ ହୋଇଯାଇଛି। ରାଜ୍ୟରେ ସିବିଆଇ ତଦନ୍ତ ଉପରେ ପ୍ରତିବନ୍ଧକ ଲଗାଯାଇଥିବା ନେଇ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଜେଡିୟୁ ଓ ଡେପୁଟି ସିଏମ ତେଜସ୍ୱୀ ଯାଦବ ମୁହାଁମୁହିଁ ହୋଇଛନ୍ତି। ବିନା ଅନୁମତିରେ ରାଜ୍ୟରେ ସିବିଆଇ ଯାଞ୍ଚ ଉପରେ ରୋକ ଲଗାଇବାକୁ ଆରଜେଡି ନେତା ଶିବାନନ୍ଦ ତିୱାରୀ ଦାବି କରିଛନ୍ତି। ଏହି ପ୍ରସଙ୍ଗରେ ସିଏମ୍ ନୀତିଶ କୁମାରଙ୍କ ନେତୃତ୍ୱରେ ଗ୍ରାଣ୍ଡ ଆଲାଏନ୍ସ ସରକାରଙ୍କ ଏକ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଥିଲା।
ଜେଡିୟୁ ଶିବାନନ୍ଦ ତିୱାରୀଙ୍କ ବିବୃତ୍ତିକୁ ପ୍ରତ୍ୟାଖ୍ୟାନ କରିଛି। ଜେଡିୟୁ ନେତା ଉପେନ୍ଦ୍ର କୁଶୱା କହିଛନ୍ତି ଯେ ଏ ବାବଦରେ କୌଣସି ବୈଠକ ଅନୁଷ୍ଠିତ ହୋଇନାହିଁ। ଆରଜେଡି ନେତା ଶିବାନନ୍ଦ ତିୱାରୀ କହିଛନ୍ତି ଯେ ବିରୋଧୀଦଳଙ୍କ ବିରୋଧରେ କେନ୍ଦ୍ର ସରକାର ଯେଉଁଭଳି ଭାବରେ ସିବିଆଇ ବ୍ୟବହାର କରୁଛନ୍ତି, ଗ୍ରାଣ୍ଡ ଆଲାଇନ୍ସ ସରକାର ଏଜେନ୍ସିକୁ ଯାଞ୍ଚର ଅନୁମୋଦନ ପ୍ରତ୍ୟାହାର କରିବା ଉଚିତ। ଏହା ବ୍ୟତୀତ ନୀତିଶ ସରକାର ମଧ୍ୟ କୋର୍ଟଙ୍କ ନିକଟକୁ ଯିବା ଉଚିତ ବୋଲି ସେ କହିଛନ୍ତି। ସିବିଆଇ, ଇଡି ପରି କେନ୍ଦ୍ରୀୟ ଏଜେନ୍ସିଗୁଡ଼ିକ ଏନଡିଏ ସରକାରଙ୍କ ଅଧୀନରେ ନିଜର ବିଶ୍ୱସନୀୟତା ହରାଇଛନ୍ତି।
ଜେଡିୟୁ ସଂସଦୀୟ ବୋର୍ଡର ଜାତୀୟ ସଭାପତି ଉପେନ୍ଦ୍ର କୁଶୱା ସୋମବାର କହିଛନ୍ତି ଯେ ଶିବାନନ୍ଦ ତିୱାରୀଙ୍କର ଭୁଲ ତଥ୍ୟ ରହିଛି। ଏ ବାବଦରେ ଗ୍ରାଣ୍ଡ ଆଲାଇନ୍ସ ସରକାରଙ୍କ କୌଣସି ବୈଠକ ହୋଇନାହିଁ। ଶିବାନନ୍ଦ ଗ୍ରାଣ୍ଡ ଆଲାଇନ୍ସର ଜଣେ ବଡ ନେତା, କିନ୍ତୁ ଏଥିରୁ ଜଣାପଡୁଛି ଯେ ତାଙ୍କୁ ଭୁଲ ତଥ୍ୟ ମିଳିଛି। ସେଥିପାଇଁ ସେ ଏପରି ବିବୃତ୍ତି ଦେଇଛନ୍ତି। ବିନା ଅନୁମତିରେ ସିବିଆଇ ତଦନ୍ତ ଉପରେ କୌଣସି ଆଲୋଚନା ହୋଇନାହିଁ।
କୁଶୱା କହିଛନ୍ତି ଯେ କୌଣସି ରାଜ୍ୟରେ ଏଭଳି ନିଷ୍ପତ୍ତି ନିଆଯିବା ଉଚିତ ନୁହେଁ। ଏଥିରେ ସିବିଆଇ ଭଳି ଅନୁଷ୍ଠାନର କୌଣସି ଦୋଷ ନାହିଁ। ଭୁଲ ଉଦ୍ଦେଶ୍ୟରେ ବିଜେପି ସରକାର ଏଜେନ୍ସିଗୁଡ଼ିକୁ ଅପବ୍ୟବହାର କରୁଛନ୍ତି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।