କୁଣାଳ କାମରା ଇଣ୍ଡିଗୋ ଏଆରଲାଇନ ଠାରୁ କ୍ଷମା ଓ ୨୫ ଲକ୍ଷ ଟଙ୍କା କ୍ଷତିପୂରଣ ମାଗି ନୋଟିସ ପଠେଇଛନ୍ତି

ଇଣ୍ଡିଗୋ ଏଆରଲାଇନକୁ ପଠାଯାଇଥିବା ଲିଗାଲ୍ ନୋଟିସରେ କାମରାଙ୍କ ଓକିଲ କହିଛନ୍ତି ଯଦିଓ କାମରାଙ୍କ କଥିତରୂପେ ଅଶୋଭନୀୟ ଶବ୍ଦାବଳୀ ଅର୍ଣ୍ଣବ ଗୋସ୍ବାମୀଙ୍କ ଉଦ୍ଦେଶ୍ୟରେ ଥିଲା, ଗୋସ୍ୱାମୀ ସେ ବିଷୟରେ ନା କୌଣସି ଅଭିଯୋଗ କରିଥିଲେ ନା ଫ୍ଲାଇଟର କ୍ୟାବିନ୍ କର୍ମଚ଼ରୀମାନଙ୍କୁ ହସ୍ତକ୍ଷେପ ପାଇଁ ଅନୁରୋଧ କରିଥିଲେ ।

କୁଣାଳ କାମରା ଇଣ୍ଡିଗୋ ଏଆରଲାଇନ ଠାରୁ କ୍ଷମା ଓ ୨୫ ଲକ୍ଷ ଟଙ୍କା କ୍ଷତିପୂରଣ ମାଗି ନୋଟିସ ପଠେଇଛନ୍ତି
ଷ୍ଟାଣ୍ଡ୍‌-ଅପ୍‌ କମେଡ଼ିଆନ୍ କୁଣାଲ କାମରା
  • News18 Odia
  • Last Updated: February 2, 2020, 3:53 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ବରିଷ୍ଠ ସାମ୍ବାଦିକ ଅର୍ଣ୍ଣବ ଗୋସ୍ବାମୀଙ୍କ ସହ ଏକ ବିମାନ ଭିତରେ ଅଶୋଭନୀୟ ଭାଷାରେ ଉଚ୍ଚବାଚ଼ କରିବା ଘଟଣା ଯୋଗୁଁ ଇଣ୍ଡିଗୋ ଏଆରଲାଇନ କମେଡ଼ିଆନ୍ କୁଣାଲ କାମରାଙ୍କ ଉପରେ ଛଅ ମାସ ପାଇଁ ପ୍ରତିବନ୍ଧ ଲଗେଇବା ପରେ କାମରା ଏୟାରଲାଇନକୁ ଏକ ଆଇନଗତ ନୋଟିସ୍ ପଠାଇ ତା’ ଠାରୁ ବିନା ସର୍ତ୍ତରେ କ୍ଷମାପ୍ରାର୍ଥନା ଓ କ୍ଷତିପୂରଣ ବାବଦରେ ୨୫ ଲକ୍ଷ ଟଙ୍କା ଦାବି କରିଛନ୍ତି ।

ଆଇନଗତ ନୋଟିସରେ କାମରାଙ୍କ ଓକିଲ କହିଛନ୍ତି ଯେ ତାଙ୍କ ମହକିଲଙ୍କୁ ଏଆରଲାଇନର ‘‘ବେଆଇନ ଓ ମନମୁଖୀ ନିର୍ଣ୍ଣୟ’’ କାରଣରୁ ‘‘ମାନସି କଷ୍ଟ ଓ ଯନ୍ତ୍ରଣା’’ ସହିବାକୁ ପଡ଼ିଛି । ଗତ ମଙ୍ଗଳବାର ଦିନ ଇଣ୍ଡିଗୋର ଏକ ମୁମ୍ବାଇ-ଲକ୍ଷ୍ନୌ ଫ୍ଲାଇଟରେ ଗୋସ୍ୱାମୀଙ୍କୁ କଥିତରୂପେ ହଇରାଣ କରିଥିବାରୁ ଏଆରଲାଇନ କାମରାଙ୍କ ଉପରେ ଛ ମାସର ଉଡ଼ାଣ ପ୍ରତିବନ୍ଧିନ ଲଗେଇଥିଲା ।

ଏ ଘଟଣା ପରେ ନାଗରିକ ଉଡ଼୍ଡୟନ ମନ୍ତ୍ରୀ ହରଦୀପ ସିଂ ପୁରୀ ଅନ୍ୟ ଏଆରଲାଇନମାନଙ୍କୁ ଉପଦେଶ ଦେଇଥିଲେ ଯେ ସେମାନେ ବି କାମରାଙ୍କ ଉଡ଼ାଣ ଉପରେ ପ୍ରତିବନ୍ଧକ ଲଗାନ୍ତୁ । ତା’ ପରେ କମେଡ଼ିୟାନଙ୍କ ଉପରେ ସ୍ପାଇସ୍ ଜେଟ୍, ଗୋ ଏୟାର୍ ଓ ଏୟାର ଇଣ୍ଡିଆ ଏକା ପ୍ରକାର ପ୍ରତିବନ୍ଧକ ଲଗାଇଥିଲେ, ମାତ୍ର ତାହା କେତେ ଦିନ ପାଇଁ ତାହା ସ୍ପଷ୍ଟ କରି ନ ଥିଲେ । ପରେ ଟାଟା ସମୂହର ଦୁଇଟି ଏଆରଲାଇନ – ବିସ୍ତରା ଓ ଏଆର୍ ଏସିଆ – କହିଥିଲେ ଯେ ସେମାନେ ଏହି ମାମଲାର ‘‘ସମୀକ୍ଷା’’ କରୁଛନ୍ତି ।

ଶନିବାର ଦିନ ଇଣ୍ଡିଗୋ ଏକ ବିବୃତିରେ କହିଛି: ‘‘କମ୍ପାନୀ ଏହି ମାମଲା ସମ୍ବନ୍ଧରେ ପାଇଥିବା କୈଣସି ବି ଆଇନଗତ ନୋଟିସର ବିଧିବଦ୍ଧ ଜବାବ ଦେବ ।’’

ବିମାନ ନିୟାମକ ଡ଼ି.ଜି.ସି.ଏ. ବୁଧବାର କହିଥିଲେ ଯେ ଚାରିଟି ଏଆରଲାଇନଙ୍କ ଦ୍ବାରା ଲଗାଯାଇଥିବା ପ୍ରତିବନ୍ଧ ନିୟମ ସହିତ ‘‘ପୂର୍ଣ୍ଣ ସହମତିରେ’’ ଅଛି । ହେଲେ ଗୁରୁବାର ଦିନ ଇଣ୍ଡିଗୋର ସେହି ମୁମ୍ବାଇ-ଲକ୍ଷ୍ନୌ ଫ୍ଲାଇଟର ପାଇଲଟ୍- ଇନ୍-କମାଣ୍ଡ୍ ଏଆରଲାଇନର ପ୍ରବନ୍ଧନକୁ କହିଥିଲେ ଯେ କାମରାଙ୍କ କାର୍ଯ୍ୟକଳାପ ଯଦିଓ ‘‘ଅରୁଚିକର’’ ଥିଲା, ତାହା ‘‘ବିଶୃଙ୍ଖଳିତ’’ ନ ଥିଲା ଓ ସେହି ଘଟଣା କୌଣିସି ମତେ ରିପୋର୍ଟ କରିବା ଯୋଗ୍ୟ ନ ଥିଲା ।

କ୍ୟପ୍ଟେନଙ୍କ ଏହି ପତ୍ର ଗୁରୁବାର ଦିନ ସାର୍ବଜନିକ ହେବାର କିଛି ଘଣ୍ଟା ପରେ ଉଡ଼୍ଡୟନ ମନ୍ତ୍ରୀ ଇଣ୍ଡିଗୋର କାର୍ଯ୍ୟ ପ୍ରକ୍ରିୟାକୁ ସମର୍ଥନ କରି କହିଥିଲେ ଯେ ଏଆରଲାଇନମାନେ ଯାତ୍ରୀମାନଙ୍କ ସୁରକ୍ଷାକୁ ବିପଦରେ ପକାଉଥିବା କୌଣସି ବି କାର୍ଯ୍ୟ ଆଡ଼କୁ ‘‘ଶୂନ୍ୟ ସହିଷ୍ଣତା’’ ନୀତି ଗ୍ରହଣ କରିବା ଉଚ଼ିତ ।

ଇଣ୍ଡିଗୋର ସି.ଇ.ଓ. ରଣଜୟ ଦତ୍ତଙ୍କୁ ପଠାଯାଇଥିବା ଏହି ଆଇନଗତ ନୋଟିସରେ କାମରାଙ୍କ ଓକିଲ ପ୍ରଶାନ୍ତ ଶିବରଞ୍ଜନ କହିଛନ୍ତି ଯେ ଯଦିଓ କାମରାଙ୍କ କଥିତରୂପେ ଅଶୋଭନୀୟ ଶବ୍ଦାବଳୀ ଗୋସ୍ବାମୀଙ୍କ ଉଦ୍ଦେଶ୍ୟରେ ଥିଲା, ଗୋସ୍ୱାମୀ ସେ ବିଷୟରେ ନା କୌଣସି ଅଭିଯୋଗ କରିଥିଲେ ନା ସମଗ୍ର ଉଡ଼ାଣରେ କୌଣସି ସମୟରେ ଫ୍ଲାଇଟର କ୍ୟାବିନ୍ କର୍ମଚ଼ରୀମାନଙ୍କୁ ହସ୍ତକ୍ଷେପ ପାଇଁ ଅନୁରୋଧ କରିଥିଲେ ।
First published: February 2, 2020, 3:53 PM IST