ସାତ ଘଣ୍ଟାରୁ ଅଧିକ ଆଲୋଚନା ପରେ ରାଜ୍ୟ ସଭାରେ ପାସ୍‌ ହେଲା ନାଗରିକତା ସଂଶୋଧନ ବିଲ୍‌

ଲୋକ ସଭାରେ ଶିବସେନା ବିଲ୍ ସପକ୍ଷରେ ଭୋଟ ଦେଇଥିଲେ ବି ରାଜ୍ୟ ସଭାରେ ଭୋଟିଂରୁ ବିରତ ରହିଥିଲା । ବିଲ୍‌ ସପକ୍ଷରେ ୧୨୫ଟି ଭୋଟ ପଡ଼ିଥିବା ବେଳେ ବିରୋଧରେ ପଡି଼ଥିଲା ୧୦୫ଟି ଭୋଟ ।

ସାତ ଘଣ୍ଟାରୁ ଅଧିକ ଆଲୋଚନା ପରେ ରାଜ୍ୟ ସଭାରେ ପାସ୍‌ ହେଲା ନାଗରିକତା ସଂଶୋଧନ ବିଲ୍‌
ମୋଦି ଓ ଶାହଙ୍କ ପାଇଁ ଆଉ ଏକ ବଡ଼ ବିଜୟ (ଫାଇଲ୍‌ ଫଟୋ)
  • News18 Odia
  • Last Updated: December 11, 2019, 4:20 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
ନୂଆ ଦିଲ୍ଲୀ: ଲୋକ ସଭାରେ ପାସ୍‌ ହେଇଯିବା ପରେ ଆଜି ରାଜ୍ୟସଭାରେ ବି ପାସ୍‌ ହୋଇଗଲା ନାଗରିକତା ସଂଶୋଧନ ବିଲ୍‌ । ସରଗରମ ଆଲୋଚନା ପରେ ରାଜ୍ୟସଭାରେ ବିଲ୍ ଉପରେ ଭୋଟିଂ ହୋଇଥିଲା । ବିଲ୍‌ ସପକ୍ଷରେ ୧୨୫ଟି ଭୋଟ ପଡ଼ିଥିବା ବେଳେ ବିରୋଧରେ ପଡି଼ଥିଲା ୧୦୫ଟି ଭୋଟ ।

ଭୋଟିଂରୁ ବିରତ ରହିଥିଲା ଶିବସେନା । ଲୋକସଭାରେ କିନ୍ତୁ ଦଳ ବିଲ୍ ସପକ୍ଷରେ ଭୋଟ ଦେଇଥିଲା । ଭୋଟିଂ ପୂର୍ବରୁ ବିଲ୍ ଉପରେ ଛଅ ଘଣ୍ଟାରୁ ଅଧିକ ସମୟ ଧରି ଆଲୋଚନା ହୋଇଥିଲା । ବିତର୍କ ପରେ ବିରୋଧୀଙ୍କ ସମସ୍ତ ପ୍ରଶ୍ନର ଜବାବ ରଖିଥିଲେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ।

ଭାରତ କେବେବି ମୁସଲିମ-ମୁକ୍ତ ଦେଶ ହେବ ନାହିଁ ବୋଲି ଶାହ କହିଥିଲେ । ଏହାରି ଭିତରେ ବିରୋଧୀ ଦଳମାନଙ୍କର ୧୪ଟି ସଂଶୋଧନ ପ୍ରସ୍ତାବ କାଟ ଖାଇଥିଲା । ସେହିପରି ନାଗରିକତା ସଂଶୋଧନ ବିଲ୍‌ ସିଲେକ୍ଟ କମିଟିକୁ ଯିବ କି ନାହିଁ ତା’ ଉପରେ ଭୋଟିଂରେ ବିଲ୍‌କୁ ପଠାଇବା ସପକ୍ଷରେ ୯୯ ଓ ବିପକ୍ଷରେ ୧୨୪ ଭୋଟ୍‌ ପଡ଼ିଥିଲା ।

ପୂର୍ବରୁ ଯେହେତୁ ବିଲ୍‌ଟି ଲୋକସଭାରେ ଗୃହୀତ ହୋଇସାରିଛି, ଏବେ ତାକୁ ଆଇନରେ ପରିଣତ ହେବା ପାଇଁ ରାଷ୍ଟ୍ରପତିଙ୍କ ମଞ୍ଜୁରି ପାଇଁ ପଠାଯିବ ।

‘‘ଏହି ବିଲ୍‌ ପାସ ହେଲେ ଲକ୍ଷାଧିକ ଲୋକଙ୍କୁ ସୁବିଧା ମିଳିବ । ଧର୍ମ ନାମରେ ପ୍ରତାରିତ ଲୋକଙ୍କ ପାଇଁ ଏହି ବିଲ୍‌ ଅଣାଯାଇଛି । ଭାରତର ମୁସଲମାନଙ୍କୁ ଏଥିପାଇଁ ଚିନ୍ତା କରିବାର ଆବଶ୍ୟକତା ନାହିଁ । ସେମାନେ ଭାରତର ନାଗରିକ ଥିଲେ ଓ ରହିବେ। ସଂଖ୍ୟା ଲଘୁଙ୍କୁ ପୂର୍ଣ୍ଣ ସୁରକ୍ଷା ଯୋଗାଇ ଦିଆଯିବ,’’ ବିଲ୍‌ଟିକୁ ରାଜ୍ୟ ସଭାରେ ଉପସ୍ଥାପନ କରି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଥିଲେ ।

ରାଜ୍ୟସଭାରେ ନାଗରିକତା ସଂଶୋଧନ ବିଲ୍ ନେଇ ହୋଇଥିଲା ସରଗରମ ଆଲୋଚନା । ଅମିତ ଶାହ ବିଲ୍ ଆଗତ କରିଥିଲେ । କଂଗ୍ରେସ ଓ ଟିଏମସି ସଦସ୍ୟମାନେ ବିଲ୍‌କୁ ନେଇ ମୋଦି ସରକାରଙ୍କୁ ସମାଲୋଚନା କରିଥିଲେ । ଜେଡିୟୁ ଓ ବିଜେଡି ବିଲ୍‌କୁ ସମର୍ଥନ କରିଥିଲା ବେଳେ ୟୁଟର୍ଣ୍ଣ କରିଥିଲା ଶିବସେନା ।

ଏଇ ବିଲ୍ ଆଇନରେ ପରିଣତ ହେଲେ ଭାରତରେ ଅସ୍ଥାୟୀ ଭାବେ ରହୁଥିବା ଲକ୍ଷ ଲକ୍ଷ ଲୋକ ଉପକୃତ ହେବେ ବୋଲି କହିଥିଲେ ଶାହ । କେନ୍ଦ୍ର ଗୃହ ମନ୍ତ୍ରୀ କହିଥିଲେ ଯେ ଦେଶରେ ଲୋକେ ବିଲ୍‌କୁ ସମର୍ଥନ କରିଛନ୍ତି । ପଡୋଶୀ ଦେଶରେ ଧାର୍ମିକ ଭାବେ ନିର୍ଯାତିତ ହେଉଥିବା ଲୋକଙ୍କ ପାଇଁ ଏହି ବିଲ୍‌ ଅଣାଯାଇଛି । ଭାରତର ମୁସଲମାନଙ୍କୁ ଏଥିପାଇଁ ଚିନ୍ତା କରିବାର ଆବଶ୍ୟକତା ନାହିଁ । ସେମାନେ ଭାରତର ନାଗରିକ ଥିଲେ ଓ ରହିବେ

ବିତର୍କରେ ଭାଗ ନେଇ ବିଲ୍ ସପକ୍ଷରେ ଦୃଢ ଯୁକ୍ତି ବାଢିଥିଲେ ବିଜେପି କାର୍ଯ୍ୟକାରୀ ସଭାପତି ଜେ.ପି ନଡ୍ଡା । କଂଗ୍ରେସ ପକ୍ଷରୁ ବିଲ୍‌କୁ ଜୋରଦାର ଭାବେ ବିରୋଧ କରାଯାଇଛି । ଗୃହରେ କଂଗ୍ରେସର ବରିଷ୍ଠ ସଦସ୍ୟମାନେ ବିଲ୍ ନେଇ ମୋଦି ସରକାରଙ୍କ ସମାଲୋଚନା କରିଥିଲେ । ଏଇ ବିଲ୍ ଭାରତୀୟ ସମ୍ବିଧାନର ମୂଳ ଭିତ୍ତି ଉପରେ ଆକ୍ରମଣ ସଦୃଶ ବୋଲି ବରିଷ୍ଠ ନେତା ଆନନ୍ଦ ଶର୍ମା କହିଥିଲେ ।

ନାଗରିକତା ବିଲ୍‌କୁ ବିରୋଧ କରିଛି ତ୍ରୁଣମୂଳ କଂଗ୍ରେସ । ଏପରିକି ବିଲ୍‌କୁ ସମର୍ଥନ କରିଥିବାରୁ ବିଜେଡି ଓ ଜେଡିୟୁକୁ ସମାଲୋଚନା କରିଛି ଟିଏମସି । ଲୋକସଭାରେ ବିଲ୍‌କୁ ସମର୍ଥନ କରିଥିବା ଶିବସେନା ରାଜ୍ୟସଭାରେ ୟୁଟର୍ଣ୍ଣ କରିଛି ।

ନାଗରିକତା ବିଲ୍‌ ବିତର୍କରେ ଭାଗ ନେଇଥିଲେ ବିଜେଡି ସଦସ୍ୟ ଡକ୍ଟର ସସ୍ମିତ ପାତ୍ର । ଦେଶର ବୃହତ୍ତର ସ୍ବାର୍ଥ ଦୃଷ୍ଟିରୁ ବିଲ୍ ଜରୁରୀ ବୋଲି ସେ କହିଥିଲେ । ଏଥିପାଇଁ ରାଜନୀତି ନ ହେଉ ବୋଲି ସେ କହିଥିଲେ । ସୋମବାର ବିଲ୍ ଲୋକସଭାରେ ପାସ୍ ହୋଇଥିଲା ।

ପାକିସ୍ତାନ, ବାଂଲାଦେଶ ଓ ଆଫଗାନିସ୍ତାନରୁ ଆସି ଭାରତରେ ରହିଥିବା ଅଣମୁସଲିମ ପ୍ରବାସୀଙ୍କୁ ଭାରତୀୟ ନାଗରିକତା ଦେବାକୁ ବିଲ୍‌ରେ ବ୍ୟବସ୍ଥା ରହିଛି । ତେବେ ମୁସଲିମଙ୍କୁ ଏଥିରୁ ବାଦ୍ ଦିଆଯାଇଥିବାରୁ ବିଲ୍‌କୁ ବିରୋଧ କରାଯାଉଛି ।

ଆସାମ, ତ୍ରିପୁରା ଭଳି ଉତ୍ତର-ପୂର୍ବ ରାଜ୍ୟରେ ବିଲ୍‌ ବିରୋଧରେ ପ୍ରତିବାଦର ସ୍ବର ତୀବ୍ର ହୋଇଛି । ବିଭିନ୍ନ ସଂଗଠନ ପକ୍ଷରୁ ଆସାମରେ ବିକ୍ଷୋଭ ପ୍ରଦର୍ଶନ ହୋଇଥିଲା ବେଳେ ସୃଷ୍ଟି ହୋଇଛି ଆଇନ ଶୃଙ୍ଖଳା ପରିସ୍ଥିତି । ଆସାମ ଓ ତ୍ରିପୁରାରେ ସେନା ମୁତୟନ କରାଯାଇଛି । ପାଞ୍ଚ ହଜାର ଅର୍ଦ୍ଧସାମରିକ ବାହିନୀ ଯବାନଙ୍କୁ ଉତ୍ତର ପୂର୍ବ ପଠାଯାଇଛି ।
First published: December 11, 2019, 4:20 PM IST
corona virus btn
corona virus btn
Loading