News 18 Odia Digital
ନୂଆଦିଲ୍ଲୀ: ଭାରତ ଉପରେ ଚୀନର ନଜର । ଭାରତର ପ୍ରତିରକ୍ଷା ସଂପର୍କିତ କାର୍ଯ୍ୟକଳାପ ଉପରେ ଆଖି ପକାଇଛି ଚୀନ (china) । ନିକଟରେ ଆମେରିକାରେ ଯେଉଁଭଳି ଚୀନ ଗୁଇନ୍ଦା ବେଲୁନ (balloon) ଉଡ଼ିଥିଲା, ଠିକ୍ ସେହିଭଳି ବେଲୁନ୍ ଉଡ଼ିଥିଲା ଭାରତରେ । ତାହାପୁଣି ଆଣ୍ଡାମାନ୍ ଓ ନିକୋବର ଦ୍ବୀପରେ ଥିବା ଭାରତର କ୍ଷେପଣାସ୍ତ୍ର (misail) ପରୀକ୍ଷଣ ଅଞ୍ଚଳ ଉପରେ । ପ୍ରତିରକ୍ଷା ବିଭାଗ ଖବର ପାଇ କାର୍ଯ୍ୟାନୁଷ୍ଠାନ ନେବା ପୂର୍ବରୁ ହଠାତ୍ ଏହି ବେଲୁନ୍ ସେହି ଅଞ୍ଚଳରୁ ଦୂରେଇ ଯାଇଛି । ଗତବର୍ଷର ଏହି ଘଟଣା ଏବେ ନଜରକୁ ଆସିଛି ।
ଆପଣଙ୍କୁ ଏହା ଆଶ୍ଚର୍ଯ୍ୟ ଲାଗୁଥାଇପାରେ । ହେଲେ ଏହା ହିଁ ସତ । ୨୦୨୨ ମସିହାରେ ଘଟିଥିବା ଏହି ଘଟଣା ଏବେ ନଜରକୁ ଆସିଛି । ଭାରତର ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜରେ ଗତବର୍ଷ ଉଡ଼ିଥିଲା ଚୀନ୍ ବେଲୁନ୍ । ଭାରତୀୟ ଦ୍ବୀପ ଚେନ୍ରେ ଏହି ସନ୍ଦିଗ୍ଧ ବେଲୁନକୁ ଦେଖିବା ମାତ୍ରେ ଲୋକେ ଏହାର ଫଟୋ ଉଠାଇଥିଲେ । ଆଉ ଏହାକୁ ଜୁମ୍ କରିବା ପରେ ଦେଖିବାକୁ ମିଳିଲା ବେଲୁନର ତଳ ଭାଗରେ କଳା ରଙ୍ଗର ୮ଟି ପ୍ୟାନେଲ୍ ଲାଗିଥିଲା । ଏହା ତଳେ କିଛି ବସ୍ତୁ ଖଞ୍ଜା ହୋଇ ରହିଥିଲା । ଭାରତୀୟ ପ୍ରତିରକ୍ଷା ବିଭାଗକୁ ଏହି ଖବର ଜଣାଇ ଦିଆଯାଇଥିଲା । ହେଲେ ପ୍ରତିରକ୍ଷା ବିଭାଗର କାର୍ଯ୍ୟାନୁଷ୍ଠାନ ପୂର୍ବରୁ ହଠାତ୍ ବେଲୁନଟି ସେହି ଅଞ୍ଚଳରୁ ଦୂରେଇ ଯାଇଥିଲା । ଭାରତ ମହାସାଗର ଉପରେ ଉଡୁଥିଲା ଚୀନ ଗୁଇନ୍ଦା ବେଲୁନ୍ ।
ବଡ଼ କଥା ହେଉଛି ବଙ୍ଗୋପସାଗରରେ ଥିବା ଆଣ୍ଡାମାନ ଓ ନିକୋବରର ଏହି ଅଞ୍ଚଳ, ଯେଉଁଠି ଭାରତ ମିସାଇଲ ପରୀକ୍ଷଣ କରିଥାଏ । ସେହିପରି ଏହା ମାଲାକା ଷ୍ଟ୍ରେଟ୍ର ନିକଟବର୍ତ୍ତୀ ଅଞ୍ଚଳ, ଯେଉଁ ବାଟ ଦେଇ ବହୁ ଜାହାଜ ଚଳାଚଳ କରିଥାଏ । ତେଣୁ ଏହି ଗୁଇନ୍ଦା ବେଲୁନ ଜରିଆରେ ଚୀନ ମଲାକା ଷ୍ଟ୍ରେଟରେ ଭାରତ ତଥା ଅନ୍ୟ ଦେଶଗୁଡ଼ିକର ଗତିବିଧି ନିରୀକ୍ଷଣ କରିଥାଇପାରେ । ଏହାକୁ ନେଇ ଚୀନ୍ ଅଧିକ ତଥ୍ୟ ସଂଗ୍ରହ କରିଥାଇପାରେ । କାରଣ ଗତବର୍ଷ ସେହିପରି ଶ୍ରୀଲଙ୍କାର ଉପକୂଳରେ ଚୀନର ଗୁଇନ୍ଦା ଜାହାଜ ୬ ଦିନ ଡେରା ପକାଇଥିଲା । ସେତେବେଳେ ଭାରତ ବ୍ରହ୍ମୋସ କ୍ଷେପଣାସ୍ତ୍ରର ପରୀକ୍ଷଣ କରିବାର ଥିଲା ।
ଏହି ଖବର ପଢ଼ନ୍ତୁ -
http://ITR ତଥ୍ୟ ଲିକ୍ ମାମଲାରେ ବଡ଼ ଖୁଲାସା: ସେକ୍ସ ଭିଡିଓ ପଠାଇ ଜାଲରେ ଫସାଇଥିଲେ ଯୁବତୀ !ଗତ ଜାନୁଆରୀ ୨୮ ତାରିଖରେ ଚୀନ୍ର ଗୁଇନ୍ଦା ବେଲୁନ୍ ପ୍ରବେଶ କରିଥିଲା ଆମେରିକା ଆକାଶରେ । ଆଲାସ୍କା ପରେ ଫେବ୍ରୁଆରୀ ୩ରେ ମୋଣ୍ଟାନା ଅଞ୍ଚଳରେ ଏହା ଦେଖିବାକୁ ମିଳିଲା । ମୋଣ୍ଟାନା ହେଉଛି ଆମେରିକାର ଆଣବିକ ମିସାଇଲ ଅଞ୍ଚଳ । ପ୍ରତିରକ୍ଷା ବିଭାଗ ପେଣ୍ଟାଗନ ପକ୍ଷରୁ ଘନଘନ ବୈଠକ ପରେ ବେଲୁନ୍କୁ ଖସାଇ ଦେବାକୁ ନିଷ୍ପତ୍ତି ନେଇଥିଲେ ରାଷ୍ଟ୍ରପତି ଜୋ ବିଡେନ୍ । କ୍ୟାରୋଲିନା ତଟ ପାଖରେ ଏହାକୁ ଏଫ-22 ଯୁଦ୍ଧ ବିମାନରୁ ମିସାଇଲ ମାଡ଼ କରି ଖସାଇଦେଇଥିଲା ଆମେରିକା । ସେତେବେଳେ ଏହି ସ୍ପାଏ ବେଲୁନ୍ରୁ ବହୁ ସନ୍ଦିଗ୍ଧ ସାମଗ୍ରୀ ଜବତ ହୋଇଥିଲା ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।