News18 Odia Digital
ବେଜିଂ: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ଦ୍ବାରା ଆୟୋଜିତ ହେବାକୁ ଥିବା କ୍ବାଡ଼ ସମ୍ମିଳନୀ ୨୦୨୧କୁ ଟାର୍ଗେଟ କରି ଚୀନ୍, ବାଇଡେନଙ୍କ ସମାଲୋଚନା କରିଛି । ଚୀନ ପକ୍ଷରୁ କୁହାଯାଇଛି ଯେ 'ଗୋଷ୍ଠୀବାଦ' ଅନ୍ୟ ଦେଶକୁ ଟାର୍ଗେଟ କରିବା ପାଇଁ କାମ କରିବ ନାହିଁ ଓ ଏହାର କୌଣସି ଭବିଷ୍ୟତ ମଧ୍ୟ ନାହିଁ ।
ଏମାନ ୨୪ରେ ୱାଶିଂଟନରେ ଆୟୋଜିତ ହେବାକୁ ଥିବା ପ୍ରଥମ କ୍ୱାଡ଼ ସମ୍ମିଳନୀ ୨୦୨୧କୁ ରାଷ୍ଟ୍ରପତି ବାଇଡେନ ସିଧାସଳଖ ଆୟୋଜନ କରିବେ, ଯେଉଁଥିରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି, ଅଷ୍ଟ୍ରେଲିଆ ପ୍ରଧାନ ମନ୍ତ୍ରୀ ସ୍କଟ ମୋରିସନ୍ ଓ ଜାପାନ ପ୍ରଧାନ ମନ୍ତ୍ରୀ ୟୋସିହିଡେ ସୁଗା ଅଂଶଗ୍ରହଣ କରିବେ ।
ଆସନ୍ତା କ୍ୱାଡ଼ ଶିଖର ସମ୍ମିଳନୀ ଉପରେ ଚୀନର ମତାମତା ମାଗାଯିବାକୁ ବୈଦେଶିକ ମନ୍ତ୍ରଣାଳୟର ମୁଖ ପାତ୍ର ଜାଓ ଲିଜିଆନ୍ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଦେଶ ମଧ୍ୟରେ ସହଯୋଗ ମାଧ୍ୟମରେ ତୃତୀୟ ପକ୍ଷଙ୍କୁ ଟାର୍ଗେଟ କରାଯିବା ଉଚିତ ନୁହେଁ ।
ସେ କହିଛନ୍ତି ଯେ ଚୀନ୍ ବିଶ୍ୱାସ କରେ ଯେ ଯେକୌଣସି ଆଞ୍ଚଳିକ ସହଯୋଗ ଢ଼ାଞ୍ଚା ସମୟର ଧାରା ସହିତ ଅନୁରୂପ ହେବା ଉଚିତ ଓ ଏହି ଅଞ୍ଚଳ ମଧ୍ୟରେ ପାରସ୍ପରିକ ବିଶ୍ୱାସ ଓ ସହଯୋଗ ପାଇଁ ସହାୟକ ହେବ । ଏଥିରେ କୌଣସି ତୃତୀୟ ପକ୍ଷକୁ ଟାର୍ଗେଟ କରିବା କିମ୍ବା ସେମାନଙ୍କ ସ୍ୱାର୍ଥକୁ କ୍ଷତି ପହଞ୍ଚାଇବା ଉଚିତ୍ ନୁହେଁ ।
ଅନ୍ୟ ଦେଶକୁ ଟାର୍ଗେଟ କରିବା ପାଇଁ କୌଣସି ଗୋଷ୍ଠୀବାଦ ରହିବା ଉଚିତ ନୁହେଁ ଓ ଏହି ପଦ୍ଧତିଗୁଡ଼ିକ କାମ କରିବ ନାହିଁ କିମ୍ବା ଏହାର କୌଣସି ଭବିଷ୍ୟତ ମଧ୍ୟ ନାହିଁ ବୋଲି ଲିଜିଆନ୍ କହିଛନ୍ତି ।
ସେ ଆହୁରି କହିଛନ୍ତି, ‘‘ମୁଁ ଉଲ୍ଲେଖ କରିବାକୁ ଚାହେଁ ଯେ ଚୀନ୍ କେବଳ ଏସିଆ ପ୍ରଶାନ୍ତ ମହାସାଗରରେ ଅର୍ଥନୈତିକ ବିକାଶର ଇଞ୍ଜିନ୍ ନୁହେଁ, ଏହା ମଧ୍ୟ ଶାନ୍ତି ରକ୍ଷା କରିବାର ମୁଖ୍ୟ ଶକ୍ତି । ଏହା ମଧ୍ୟ କହିଛି ଯେ ବିଶ୍ବରେ ଚୀନର ଅଗ୍ରଗତି ଶାନ୍ତି ପାଇଁ ଭଲ ଖବର ।’’
ଚୀନ୍ କହିଛି ଭୌଗୋଳିକ ପ୍ରତିଦ୍ୱନ୍ଦ୍ୱିତା ତ୍ୟାଗ କର
ଲିଜିଆନ୍ କହିଛନ୍ତି ଯେ ସମ୍ପୃକ୍ତ ଦେଶଗୁଡ଼ିକ ଶୀତଳ ଯୁଦ୍ଧ ମାନସିକତା ଓ ସଂକୀର୍ଣ୍ଣ ମନୋଭାବର ଭୂ-ରାଜନୈତିକ ପ୍ରତିଦ୍ୱନ୍ଦ୍ୱିତା ପରିତ୍ୟାଗ କରିବା ଉଚିତ୍ । ସଠିକ୍ ଦେଖାଯିବା ଓ ଅଞ୍ଚଳର ଲୋକଙ୍କ ଆକାଂକ୍ଷାକୁ ସମ୍ମାନ ଦେବା ସହିତ ଆଞ୍ଚଳିକ ଏକତା ଓ ସହଯୋଗ ପାଇଁ ଅଧିକ କରିବା ଆବଶ୍ୟକ ଅଛି ।
ନଭେମ୍ବର ୨୦୧୭ରେ ଭାରତ, ଜାପାନ, ଆମେରିକା ଓ ଅଷ୍ଟ୍ରେଲିଆ ଭାରତ-ପ୍ରଶାନ୍ତ ମହାସାଗରରେ ଗୁରୁତ୍ୱପୂର୍ଣ୍ଣ ସମୁଦ୍ର ମାର୍ଗକୁ ଖୋଲା ରଖିବା ପାଇଁ ଏକ ନୂଆ ରଣନୀତି ପ୍ରସ୍ତୁତ କରିବା ପାଇଁ କ୍ୱାଡ୍ ଗଠନ ପାଇଁ ଏକ ବିଚାରାଧୀନ ପ୍ରସ୍ତାବକୁ ରୂପ ଦେଇଥିଲେ।
ମାର୍ଚ୍ଚରେ ରାଷ୍ଟ୍ରପତି ବାଇଡେନ ଡିଜିଟାଲ୍ ଭାବରେ କ୍ୱାଡ୍ ସମ୍ମିଳନୀର ଆୟୋଜନ କରିଥିଲେ । ଦକ୍ଷିଣ ଚୀନ୍ ସାଗରରେ ଚୀନର ବଢୁଥିବା ଆକ୍ରୋଶ ମଧ୍ୟରେ କ୍ୱାଡର ଶିଖର ସମ୍ମିଳନୀ ଅନୁଷ୍ଠିତ ହେବ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।