News18 Odia Digital
Indian Students China Visa: ଚୀନ ଭାରତୀୟ ଛାତ୍ରଛାତ୍ରୀଙ୍କୁ ଆଶ୍ବସ୍ତି ପ୍ରଦାନ କରିଛି। ଦୁଇ ବର୍ଷରୁ ଅଧିକ ସମୟ ପରେ କୋଭିଡ ପ୍ରତିବନ୍ଧକ ଯୋଗୁଁ ଫସି ରହିଥିବା ଶତାଧିକ ଛାତ୍ରଛାତ୍ରୀଙ୍କୁ ଚୀନ ଭିସା ପ୍ରଦାନ କରିବାକୁ ଘୋଷଣା କରିଛି। ଏହା ବ୍ୟତୀତ ଭାରତୀୟଙ୍କ ପାଇଁ ବ୍ୟବସାୟ ଭିସା ସମେତ ବିଭିନ୍ନ ବର୍ଗ ପାଇଁ ଭିସା ପ୍ରଦାନ କରିବାକୁ ଯୋଜନା ଘୋଷଣା କରାଯାଇଛି।
ଚୀନ ବୈଦେଶିକ ମନ୍ତ୍ରଣାଳୟର ଏସୀୟ ବ୍ୟାପାର ବିଭାଗର ପରାମର୍ଶଦାତା ଜି ରୋଙ୍ଗ ଏକ ଟ୍ବିଟ କରି କହିଛନ୍ତି, ‘‘ଭାରତୀୟ ଛାତ୍ରମାନଙ୍କୁ ହାର୍ଦ୍ଦିକ ଅଭିନନ୍ଦନ। ତୁମର ଧୌର୍ଯ୍ୟ ମୂଲ୍ୟବାନ ପ୍ରମାଣିତ ହେଲା। ମୁଁ ବାସ୍ତବରେ ତୁମର ଉତ୍ସାହ ଓ ଖୁସି ବାଣ୍ଟିପାରିବି। ଚୀନକୁ ସ୍ୱାଗତ।’’
ଚୀନର ଘୋଷଣାରେ କ’ଣ ବିଶେଷ?ଚୀନର ଘୋଷଣା ଅନୁଯାୟୀ, ଉଚ୍ଚଶିକ୍ଷା ପାଇଁ ଅଧିକ ସମୟରୁ ଚୀନ ଯିବାକୁ ଚାହୁଁଥିବା ଛାତ୍ରଛାତ୍ରୀଙ୍କୁ X1- ଭିସା ପ୍ରଦାନ କରାଯିବ। ନୂଆ ଛାତ୍ରଛାତ୍ରୀଙ୍କ ବ୍ୟତୀତ, ଏହି ଛାତ୍ରମାନେ ଅନ୍ତର୍ଭୁକ୍ତ, ଯେଉଁମାନେ ଅଧ୍ୟୟନ ଜାରି ରଖିବାକୁ ଚୀନକୁ ଫେରିବାକୁ ଚାହୁଁଛନ୍ତି।
୨୩ ହଜାର ଭାରତୀୟ ଛାତ୍ରଛାତ୍ରୀ ଫେରି ଆସିଥିଲେକୋଭିଡ ଭିସା ପ୍ରତିବନ୍ଧକ ହେତୁ ୨୩,୦୦୦ରୁ ଅଧିକ ଭାରତୀୟ ଛାତ୍ରଛାତ୍ରୀ ଘରକୁ ଫେରିଥିଲେ। ସେମାନଙ୍କ ମଧ୍ୟରୁ ଅଧିକାଂଶ ଡାକ୍ତରୀ ଛାତ୍ରଛାତ୍ରୀ ଥିଲେ। ଯେଉଁମାନେ ଅଧ୍ୟୟନ ପାଇଁ ତୁରନ୍ତ ଫେରିବାକୁ ଚାହୁଁଛନ୍ତି ସେମାନଙ୍କ ନାମ ଚୀନ ପଚାରିଥିଲା ଓ ଏହା ପରେ ଭାରତ ଶହ ଶହ ଛାତ୍ରଛାତ୍ରୀଙ୍କ ତାଲିକା ଦାଖଲ କରିଥିଲା।
ଶ୍ରୀଲଙ୍କା, ପାକିସ୍ଥାନ, ଋଷ ଓ ଅନ୍ୟାନ୍ୟ ଦେଶର କିଛି ଛାତ୍ରଛାତ୍ରୀ ଗତ ସପ୍ତାହରେ ଚାର୍ଟାର୍ଡ ବିମାନରେ ଚୀନ୍ରେ ପହଞ୍ଚି ସାରିଛନ୍ତି। ଦିଲ୍ଲୀର ଚୀନ ଦୂତାବାସର ୱେବସାଇଟରେ ପ୍ରକାଶିତ ଏକ ଘୋଷଣାରେ ଦର୍ଶାଯାଇଛି ଯେ କୋଭିଡ ଭିସା ପ୍ରତିବନ୍ଧକ ହେତୁ ନୂଆ ଛାତ୍ରଛାତ୍ରୀ ତଥା ପୁରୁଣା ଛାତ୍ରଛାତ୍ରୀଙ୍କୁ ଛାତ୍ର ଭିସା ପ୍ରଦାନ କରାଯିବ। ଚୀନର ଦୂତାବାସ ଏହାର ୱେବସାଇଟରେ କହିଛି ଯେ ଏହା 'ଚୀନ ଭିସା ଆବେଦନ ପ୍ରକ୍ରିୟା ଓ ବିଷୟବସ୍ତୁ ଆବଶ୍ୟକତା' କୁ ଅପଡେଟ୍ କରିଛି, ଯାହା ଅଗଷ୍ଟ ୨୪ରୁ କାର୍ଯ୍ୟକାରୀ ହେବ ଓ ନୂଆ ପ୍ରକ୍ରିୟାର ପଦକ୍ଷେପଗୁଡିକ ଅଂଶୀଦାର କରିଛି।
ସରକାରୀ ସୂତ୍ର ଅନୁଯାୟୀ, ୧୦୦୦ରୁ ଅଧିକ ପୁରୁଣା ଭାରତୀୟ ଛାତ୍ରଛାତ୍ରୀ ଅଧ୍ୟୟନ ଜାରି ରଖିବାକୁ ଇଚ୍ଛା ପ୍ରକାଶ କରିଛନ୍ତି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।