କହ୍ନେୟାଙ୍କ ପରିବାରକୁ ଭେଟିବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଉଛନ୍ତି ମୁଖ୍ୟମନ୍ତ୍ରୀ
News 18 Odia Digital
ଜୟପୁର: କହ୍ନେୟା ଲାଲ ହତ୍ୟାକାଣ୍ଡକୁ ନେଇ ରାଜସ୍ଥାନରେ ଏବେ ୧୪୪ ଧାରା ଜାରି ରହିଛି। ସମଗ୍ର ରାଜ୍ୟରେ ସମ୍ଭାବ୍ୟ ହିଂସାକାଣ୍ଡକୁ ନେଇ ପ୍ରଶାସନ ୧୪୪ ଧାରା ଜାରି କରିଛି। ସବୁଆଡୁ ଘଟଣାର ନିନ୍ଦା କରାଯାଉଛି। ଅଭିଯୁକ୍ତଙ୍କୁ ଏନଆଇଏ ଗିରଫ କରିଛି। ସେପଟେ ଆଜି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ ପିଡିତଙ୍କ ପରିବାରର ସଦସ୍ୟଙ୍କୁ ଭେଟିଛନ୍ତି। ଏକ ସ୍ୱତନ୍ତ୍ର ବିମାନରେ କହ୍ନେୟାଲାଲଙ୍କ ପରିବାରକୁ ଭେଟିବା ପାଇଁ ଗେହଲଟ୍ ଅପରାହ୍ନ ପ୍ରାୟ ଏକଟାରେ ସହରରେ ପହଞ୍ଚିଥିଲେ।
ମୁଖ୍ୟମନ୍ତ୍ରୀ ଗୃହମନ୍ତ୍ରୀ ରାଜେନ୍ଦ୍ର ଯାଦବ, ମୁଖ୍ୟ ଶାସନ ସଚିବ ଉଷା ଶର୍ମା, ମହାନିର୍ଦ୍ଦେଶକ ପୋଲିସ (ଡିଜିପି) ଏମଏଲ ଲେଥର ଏବଂ ଅନ୍ୟମାନଙ୍କ ସହ ବରିଷ୍ଠ ଅଧିକାରୀଙ୍କ ସହ ଥିଲେ ବୋଲି ନ୍ୟୁଜ୍ ଏଜେନ୍ସି ପିଟିଆଇ ରିପୋର୍ଟ କରିଛି। ଏହା ସହିତ ମୁଖ୍ୟମନ୍ତ୍ରୀ କହ୍ନେୟା ଲାଲଙ୍କ ପରିବାରକୁ ୫୧ ଲକ୍ଷ ଟଙ୍କାର ଚେକ କ୍ଷତିପୂରଣ ବାବଦରେ ପ୍ରଦାନ କରିଛନ୍ତି।
ପରିବାରଙ୍କୁ ଭେଟିବା ପରେ ସାମ୍ବାଦିକମାନଙ୍କୁ ସୂଚନା ପ୍ରଦାନ କରି କହିଛନ୍ତି କି ମାମଲାର ତଦନ୍ତ ଭାର ଏବେ ଏନଆଇଏ କରୁଛି। ଅଭିଯୁକ୍ତ ମାନଙ୍କୁ ଜେରା କରାଯାଉଛି। ଘଟଣାର ଖୋଳତାଡ଼ କରୁଛି ତଦନ୍ତକାରୀ ସଂସ୍ଥା। ସୂଚନାଯୋଗ୍ୟ ନୂପୁରଙ୍କୁ ସମର୍ଥନ ଜଣାଇଥିବାରୁ କହ୍ନେୟାଲାଲଙ୍କୁ କିଛି ଦୁର୍ବୃତ୍ତ ତାଙ୍କ ଦୋକାନରେ ପଶି ହତ୍ୟା କରିଥିଲେ।ମଙ୍ଗଳବାର ଦିନ ଦ୍ୱିପହରରେ ଦୋକାନରେ ଭିତରେ ଗ୍ରାହକ ବେଶରେ ଦୁଇଜଣ ବ୍ୟକ୍ତି ଦରଜୀ କହ୍ନୈୟାଲାଲଙ୍କ ଦୋକାନ ଭିତରେ ପଶିଲେ । କେହି କିଛି ବୁଝିବା ଆଗରୁ ତାଙ୍କ ଗଳାରେ ୨୬ଥର ଛୁରିମାଡ କରି ହତ୍ୟା କଲେ । କେବଳ ସେତିକି ନୁହେଁ ହତ୍ୟା ସମୟର ଭିଡିଓ ସୁଟିଂ କରି ସୋସିଆଲ ମିଡିଆରେ ପୋଷ୍ଟ ମଧ୍ୟ କରିଥିଲେ । ହତ୍ୟାର କିଛି ଘଂଟା ପରେ ହତ୍ୟାକାରୀଙ୍କୁ କାବୁ କରିଛି ପୁଲିସ । କାବୁ ସମୟର ଭିଡିଓ ମଧ୍ୟ ଭାଇରାଲ ହେଉଛି ।
ସେପଟେ ହତ୍ୟା କରିବା ପାଇଁ ଦୁର୍ବୃତ୍ତମାନେ ପ୍ରାୟ ଏକ ମାସ ପୂର୍ବରୁ ଯୋଜନା କରିଥିବା ନେଇ ଖବର ସାମ୍ନାକୁ ଆସିଛି। ଏନେଇ ତାଙ୍କ ପରିବାର ଲୋକେ ସୂଚନା ପ୍ରଦାନ କରିଥିଲେ। ତେବେ କିପରି ହୋଇଥିଲା ଏହି ଘଟଣାର ପାଇଁ ଷଡଯନ୍ତ୍ର ଏନେଇ କହ୍ନେୟାଲାଲଙ୍କ ଘର ଲୋକ ପ୍ରକାଶ କରିଛନ୍ତି । ଘର ଲୋକଙ୍କ କହିବା ମୁତାବକ, ଜୁନ୍ ପ୍ରଥମ ସପ୍ତାହରେ ଏହି ଘଟଣାର ଆରମ୍ଭ ହୋଇଥିଲା । କହ୍ନେୟାଙ୍କ ୮ ବର୍ଷର ପୁଅ ତାଙ୍କ ମୋବାଇଲରେ ଗେମ୍ ଖେଳୁଥିବାବେଳେ ପୈଗମ୍ବର ମହମ୍ମଦଙ୍କ ଉପରେ ବିଜେପି ନେତ୍ରୀ ନୂପୁର ଶର୍ମା ଦେଇଥିବା ବିବାଦୀୟ ବୟାନର ଏକ ଭିଡିଓ ଅଜାଣତରେ ପୋଷ୍ଟ ହୋଇଯାଇଥିଲା । ଏହି ଘଟଣାକୁ ନେଇ କହ୍ନେୟାଙ୍କୁ ସ୍ଥାନୀୟ ଲୋକ ବିରୋଧ କରିଥିଲେ ।
ଗତ ୧୧ ତାରିଖରେ କହ୍ନେୟାଙ୍କ ପଡୋଶୀ ନାଜିମ୍ ତାଙ୍କ ବିରୋଧରେ ଥାନାରେ ମାମଲା ରୁଜୁ କରିଥିଲେ । ମାମଲା ରୁଜୁ ହେବା ପରେ କହ୍ନେୟାଲାଲଙ୍କୁ ପୋଲିସ ଗିରଫ କରିଥିଲା। ପରେ ତାଙ୍କୁ ଜାମିନ ମିଳିଯାଇଥିଲା । ନିଜର ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ଜୁନ୍ ୧୫ ତାରିଖରେ ନିଜ ସୁରକ୍ଷାକୁ ନେଇ ପୋଲିସର ଦ୍ୱାରସ୍ଥ ହୋଇଥିଲେ କହ୍ନେୟା
ପୋଲିସ ଆଗରେ କହ୍ନେୟାଲାଲ କହିଥିଲେ ଯେ ନାଜିମ୍ ଓ ତାଙ୍କ ସହ ଅନ୍ୟ ୫ଜଣ ବ୍ୟକ୍ତି କହ୍ନେୟାଙ୍କ ଦୋକାନର ରେକି କରୁଥିଲେ। ଭୟ ଦେଖାଇ ତାଙ୍କୁ ଦୋକାନ ଖୋଲିବାକୁ ଦେଉନାହାଁନ୍ତି । ଦୋକାନ ଖୋଲିଲା ମାତ୍ରେ ତାଙ୍କୁ ମାରିଦେଇପାରନ୍ତି । ଏପରିକି ପଡୋଶୀ ଥିବା ନାଜିମ୍ କହ୍ନେୟାଲଲଙ୍କ ଫଟୋକୁ ସୋସିଆଲ ମିଡିଆରେ ଭାଇରାଲ କରିଥିଲେ । ଏବଂ ତାଙ୍କ ସମ୍ପ୍ରଦାୟର ଲୋକଙ୍କୁ କହିଥିଲେ ଯେ, ଫଟୋରେ ଥିବା ଲୋକ ଅର୍ଥାତ୍ କହ୍ନ୍ରେୟାଙ୍କୁ ଯେଉଁଠି ଦେଖିଲେ ବା ଦୋକାନରେ ଦେଖିଲେ ମାରିଦିଅ । ତେଣୁ ନାଜିମ୍ ଙ୍କ ସମେତ ୫ଜଣ ସନ୍ଦିଗ୍ଧଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିବା ସହ ତାଙ୍କୁ ସୁରକ୍ଷା ଦେବାକୁ ପୋଲିସରେ ଆବେଦନ କରିଥିଲେ । ହେଲେ କିଛି ଶୁଣିନଥିଲା ପୋଲିସ ।
ଏହି ଘଟଣାରେ ପୋଲିସ ନାଜିମଙ୍କୁ ଡକାଇ କହ୍ନେୟାଲାଲଙ୍କ ସହ ଆପୋଷ ବୁଝାମଣା କରାଇଥିଲା । ବୁଝାମଣା ପତ୍ରରେ ଦୁଇ ପକ୍ଷର ହସ୍ତାକ୍ଷର ମଧ୍ୟ ନେଇଥିଲା । ଏହି ଆବେଦନରେ ନାଜିମ୍ କହିଥିଲା ଯେ, ଯଦିଓ ସେ କହ୍ନେୟାଲାଲଙ୍କ ବିରୋଧରେ ଏଫଆଇଆର ଦାଏର କରିଛନ୍ତି କିନ୍ତୁ ବୁଝାମଣା ପରେ ତାଙ୍କର ଆଉ କହ୍ନେୟାଲାଲଙ୍କ ସହ କିଛି ନେଣଦେଣ ନାହିଁ । ହେଲେ ଏହି ଘଟଣାର ୬ ଦିନ ପରେ ଦୋକାନରେ ପଶି କହ୍ନେୟାଲାଲଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଥିଲେ ୩ ସଂଖ୍ୟାଲଘୁ ଯୁବକ ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।