News18 Odia Digital ନୂଆ ଦିଲ୍ଲୀ : ଗତକାଲି ଏନଡିଏ ପ୍ରାର୍ଥିନୀ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ନିର୍ବାଚନ ପାଇଁ ନିଜର ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ଏହି ଉତ୍ସବରେ ପ୍ରଧାନମନ୍ତ୍ରୀଙ୍କ ସମେତ ବହୁ ମାନ୍ୟଗନ୍ୟ ବ୍ୟକ୍ତି ଯୋଗ ଦେଇଥିଲେ । ଗୃହମନ୍ତ୍ରୀ, ପ୍ରତିରକ୍ଷା ମନ୍ତ୍ରୀ, ସଡ଼କ ପରିବହନ ମନ୍ତ୍ରୀଙ୍କ ସହ ରାଷ୍ଟ୍ରୀୟ ସଭାପତି ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଏଥିସହ ମନ୍ତ୍ରୀମଣ୍ଡଳର ବହୁ ସଦସ୍ୱ ଓ କିଛି ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ପ୍ରାର୍ଥୀପତ୍ର ଦାଖଲ ସମୟରେ ଦେଖିବାକୁ ମିଳିଥିଲା । ଚର୍ଚ୍ଚାର ବିଷୟ ହେଉଛି ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁଙ୍କ ପ୍ରାର୍ଥୀପତ୍ର ଦାଖଲ ସମୟରେ ଉପସ୍ଥିତ ନଥିଲେ ଓଡ଼ିଆ ପୁଅ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଭାରତର ସର୍ବୋଚ୍ଚ ପଦବୀ ପାଇଁ ପ୍ରାର୍ଥୀପତ୍ର ଦାଖଲ ସମୟରେ ଧର୍ମେନ୍ଦ୍ର ପ୍ରଧାନ ଅନୁପସ୍ଥିତ ରହିବା ଅନେକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ଧର୍ମେନ୍ଦ୍ରଙ୍କ ଅନୁପସ୍ଥିତ ନେଇ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ଆସିନଥିବା ବେଳେ କାହିଁକି ଅନୁପସ୍ଥିତ ଥିଲେ ଏନେଇ ଜନତାଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ପୂର୍ବ ରାଷ୍ଟ୍ରପତି ମାନଙ୍କ ସହ ଧର୍ମେନ୍ଦ୍ରଙ୍କର ସୁସମ୍ପର୍କ ଥିବାନେଇ ଅନେକ ସମୟରେ ଦେଖିବାକୁ ମିଳୁଥିଲା । କାରଣ ରାଷ୍ଟ୍ରପତି ଓଡ଼ିଶା ଆସିଲେ ଧର୍ମେନ୍ଦ୍ର ବେସ୍ ଚଳଚଞ୍ଚଳ ହୋଇପଡନ୍ତି । ରାଷ୍ଟ୍ରପତିଙ୍କୁ ଭେଟିବା ସହ ଅନେକ ଗୁରୁତ୍ୱପୁର୍ଣ୍ଣ କଥା ଆଲୋଚନା ମଧ୍ୟ କରନ୍ତି । ସବୁଠୁ ବଡ଼କଥା ହେଉଛି ରାଷ୍ଟ୍ରପତିଙ୍କ ପାଖେପାଖେ ରହିବାକୁ ପସନ୍ଦ କରନ୍ତି ଧର୍ମେନ୍ଦ୍ର । ଅନ୍ୟ ନେତା,ମନ୍ତ୍ରୀଙ୍କ ପରି ପ୍ରାର୍ଥୀପତ୍ର ଦାଖଲ ସମୟରେ ଅନ୍ୟନେତାଙ୍କ ଗହଣରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ରହିବା କଥା । ସବୁଠୁ ବଡ଼ କଥା ହେଉଛି, ପ୍ରାର୍ଥୀପତ୍ର ଦାଖଲ ସମୟରେ ଧର୍ମେନ୍ଦ୍ର ପ୍ରଧାନ ସଂସଦ ଭବନରେ ଥିବା ନେଇ ଶୁଣିବାକୁ ମିଳୁଛି । କିନ୍ତୁ ଯଦି ଥିଲେ ତେବେ ପ୍ରାର୍ଥୀପତ୍ର ଦାଖଲ ସମୟରେ କୁଆଡେ ଗଲେ?