ଖୁବଶୀଘ୍ର କାର୍ଯ୍ୟକାରୀ ହେବାକୁ ଯାଉଛି ସିଏଏ ଆଇନ
News 18 Odia Digital
ନୂଆଦିଲ୍ଲୀ: ବହୁ ପ୍ରତିକ୍ଷିତ ସିଏଏ ଆଇନ କାର୍ଯ୍ୟକାରୀ ହେବାକୁ ଯାଉଛି । ମହାମାରୀ କରୋନରୁ ରକ୍ଷା ପାଇବା ପାଇଁ ଦେଶବ୍ୟାପୀ ବୁଷ୍ଟର୍ ଡୋଜ୍ ଅଭିଯାନ ସରିବା ପରେ କେନ୍ଦ୍ର ସରକାର ନାଗରିକତ୍ୱ ସଂଶୋଧନ ଆଇନ କାର୍ଯ୍ୟକାରୀ କରିବାକୁ ଯୋଜନା କରୁଛନ୍ତି। ପଶ୍ଚିମବଙ୍ଗର ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କ ସହ ଏକ ଵୈଠକରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏହି ସୂଚନା ଦେଇଛନ୍ତି।
ଶୁଭେନ୍ଦୁ ଅଧିକାରୀ ମଙ୍ଗଳବାର ସଂସଦ ଗୃହରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଛନ୍ତି। ଏହି ସମୟରେ ସେ ଅମିତ ଶାହାଙ୍କୁ ଶୀଘ୍ର ସିଏଏ କାର୍ଯ୍ୟକାରୀ କରିବାକୁ ଅନୁରୋଧ କରିଥିଲେ। ଯେଉଁଥିରେ କେନ୍ଦ୍ର ମନ୍ତ୍ରୀ ଆଶ୍ୱାସନା ଦେଇଛନ୍ତି ଯେ କୋଭିଡ -୧୯ ଟୀକାକରଣର ବୁଷ୍ଟର ଡୋଜ ଦେବା ଶେଷ ହେବା ପରେ ସିଏଏ କାର୍ଯ୍ୟକାରୀ କରିବାକୁ ଯୋଜନା ହେବ।
ଶୁଭେନ୍ଦୁ ଆଧିକାରୀ ଗଣମାଧ୍ୟମକୁ କହିଛନ୍ତି ଯେ ପଶ୍ଚିମବଙ୍ଗ ପାଇଁ ସିଏଏ କାର୍ଯ୍ୟକାରୀ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ବଙ୍ଗଳାର ଅନେକ ଲୋକ ଏହାର ଲାଭ ପାଇପାରିବେ। ନାଗରିକତ୍ୱ ସଂଶୋଧନ ଅଧିନିୟମ ଯଥା ସିଏଏ ୧୧ ଡିସେମ୍ବର ୨୦୧୯ ରେ ସଂସଦରେ ପାରିତ ହୋଇଥିଲା ଓ ଏହାକୁ ୧୨ ଡିସେମ୍ବରରେ ମଧ୍ୟ ସୂଚିତ କରାଯାଇଥିଲା। ତଥାପି, ସେବେଠାରୁ ନିୟମକୁ ବିରୋଧ ଯୋଗୁଁ ଏହା କାର୍ଯ୍ୟକାରୀ ହୋଇନାହିଁ ।
ସଂସଦରେ କେନ୍ଦ୍ର ସରକାରଙ୍କ ଦ୍ୱାରା ପାରିତ ହୋଇଥିବା ସିଏଏ ଆଇନ ବିରୋଧରେ ସାରା ଦେଶରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଅନେକ ସମାଲୋଚକ ଏହାକୁ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟ ବିରୁଦ୍ଧରେ କାର୍ଯ୍ୟ ବୋଲି କହିଥିଲେ। କିନ୍ତୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏହି ସିଏଏ ର କାର୍ଯ୍ୟକାରିତାକୁ କରିବାକୁ କହିସାରିଛନ୍ତି।
ମେ ମାସରେ ବଙ୍ଗଳାରେ ଏକ ରାଲିରେ ସେ କହିଥିଲେ ଯେ କରୋନା ମହାମାରୀ ଶେଷ ହେବା ପରେ ସିଏଏ ଆଇନ କାର୍ଯ୍ୟକାରୀ ହେବ। ଅମିତ ଶାହା ସିଏଏ ବିଷୟରେ ତାଙ୍କ ସଭାରେ କହିଥିଲେ ଯେ ୩୧ ଡିସେମ୍ବର ୨୦୧୪ ସୁଦ୍ଧା ଭାରତ ଆସିଥିବା ପଡୋଶୀ ଦେଶ ବାଂଲାଦେଶ, ପାକିସ୍ଥାନ ଓ ଆଫଗାନିସ୍ତାନରୁ ନିର୍ଯାତିତ ସଂଖ୍ୟାଲଘୁଙ୍କୁ ନାଗରିକତ୍ୱ ପ୍ରଦାନ ବିଷୟରେ ଏହି ଆଇନରେ ଆଲୋଚନା କରାଯାଉଛି।
Published by:Sujit Swain
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।