ମଧ୍ୟ ପ୍ରଦେଶ: କମଳ ନାଥ ବିଧାନ ସଭାରେ ଟ୍ରଷ୍ଟ ଭୋଟ୍ ଜିତି ପାରିବେ କି? ଜାଣନ୍ତୁ ସଂଖ୍ୟାର ଖେଳ

୨୨ ଜଣ ବିଧାୟକଙ୍କ ଇସ୍ତଫା ପରେ ଗୃହର ସଂଖ୍ୟା କମି ୨୦୬ ହୋଇଯିବ, ଫଳରେ କଂଗ୍ରେସକୁ ଟ୍ରଷ୍ଟ ଭୋଟ୍ ଜିତିବାକୁ ୧୦୪ ଜଣ ବିଧାୟକଙ୍କ ଆବଶ୍ୟକତା ପଡ଼ିବ । ହେଲେ କଂଗ୍ରେସ ପାଖରେ ବିଜେପି ଠାରୁ କମ୍ ବିଧାୟକ ରହିବେ, କାରଣ ବିଜେପିର ଏବେ ୧୦୭ ଜଣ ବିଧାୟକ ଅଛନ୍ତି । ତାହେଲେ କଣ ହେବ?

ମଧ୍ୟ ପ୍ରଦେଶ: କମଳ ନାଥ ବିଧାନ ସଭାରେ ଟ୍ରଷ୍ଟ ଭୋଟ୍ ଜିତି ପାରିବେ କି? ଜାଣନ୍ତୁ ସଂଖ୍ୟାର ଖେଳ
କମଳ ନାଥ (ଫାଇଲ୍‌ ଫଟୋ)
  • News18 Odia
  • Last Updated: March 11, 2020, 2:05 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୋପାଳ: ମଧ୍ୟ ପ୍ରଦେଶରେ ୨୨ ଜଣ କଂଗ୍ରେସ ବିଧାୟକ ମଙ୍ଗଳବାର ଦିନ ଇସ୍ତଫା ଦେଇଦେବା ପରେ ସେଠାକାର କମଳ ନାଥ ନେତୃତ୍ୱାଧୀନ କଂଗ୍ରେସ ସରକାର ଭାଙ୍ଗିଯିବାକୁ ଅପେକ୍ଷା କରିଛି । କର୍ଣ୍ଣାଟକରେ କଂଗ୍ରେସ-ଜେଡି (ଏସ) ସରକାରକୁ ବିଜେପି ଠିକ୍‌ ଏମିତି ଢଙ୍ଗରେ ଗଡ଼େଇବାର ପ୍ରାୟ ନଅ ମାସ ପରେ ଏହି ଘଟଣା ଘଟୁଛି।

ମଧ୍ୟ ପ୍ରଦେଶରେ ବରିଷ୍ଠ କଂଗ୍ରେସ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ମଙ୍ଗଳବାର ସକାଳେ ‘‘ଏବେ ମୋ’ର ଆଗକୁ ବଢ଼ିବାର ସମୟ ଆସିଛି’’ ବୋଲି କହି ଦଳ ଛାଡିବା ପରେ ବିଧାୟକମାନଙ୍କ ଇସ୍ତଫା ଆରମ୍ଭ ହୋଇଯାଇଥିଲା । ସିନ୍ଧିଆ ଆହୁରି କହିଥିଲେ ଯେ କଂଗ୍ରେସରେ ରହି ନିଜ ରାଜ୍ୟ ଓ ଦେଶର ସେବା କରିବାରେ ସେ ଅସମର୍ଥ ହେଉଛନ୍ତି । ସେ ବୁଧବାର ଦିନ ବିଜେପିରେ ଯୋଗ ଦେଇପାରନ୍ତି ବୋଲି ଜଣାପଡିଛି।

ବର୍ତ୍ତମାନ ମଧ୍ୟ ପ୍ରଦେଶର ୨୩୦ ସିଟ୍ ବିଶିଷ୍ଟ ବିଧାନ ସଭାରେ ୨୨୮ ଜଣ ବିଧାୟକ ଅଛନ୍ତି । ସଂଖ୍ୟାଗରିଷ୍ଠତା ପାଇଁ ୧୧୫ଟି ଆସନରେ ଦରକାର । ସମୁଦାୟ ବିଧାୟକଙ୍କ ମଧ୍ୟରୁ କଂଗ୍ରେସ ସରକାର ବର୍ତ୍ତମାନ ପର୍ଯ୍ୟନ୍ତ ୧୨୧ ଜଣ ବିଧାୟକଙ୍କ ସମର୍ଥନ ହାସଲ କରିଥିଲେ । ସେମାନଙ୍କ ମଧ୍ୟରେ ଚାରି ଜଣ ସ୍ୱାଧୀନ ବିଧାୟକ, ଦୁଇ ଜଣ ବହୁଜନ ସମାଜ ପାର୍ଟି (ବିଏସପି) ବିଧାୟକ ଓ ଜଣେ ସମାଜବାଦୀ ପାର୍ଟି (ଏସପି) ବିଧାୟକ ଥିଲେ ।

ସୋମବାର ସନ୍ଧ୍ୟା ଠାରୁ ହୋଇଚ଼ାଲିଥିବା ରାଜନୈତିକ ଘଟଣାବଳୀ ପରେ କଂଗ୍ରେସ ସରକାରଙ୍କ ସ୍ଥିତିକୁ ଦୁର୍ବଳ କରିଥିବା ପରି ଲାଗୁଛି । ବେଙ୍ଗାଲୁରୁର ଏକ ରିସୋର୍ଟରେ ଇସ୍ତଫା ଦେଇଥିବା ବିଧାୟକମାନଙ୍କୁ ରଖାଯାଇଛି ବୋଲି କୁହାଯାଉଛି । ତେବେ ସେମାନଙ୍କ ଇସ୍ତଫା ଗୃହର ବାଚସ୍ପତି ଏନ.ପି. ପ୍ରଜାପତି ଯଦି ଗ୍ରହଣ କରନ୍ତି, ତେବେ କଂଗ୍ରେସର ସଂଖ୍ୟା ମାତ୍ର ୯୨କୁ ଖସିଯିବ ।

ମଧ୍ୟ ପ୍ରଦେଶ ବିଧାନ ସଭାରେ ସଂଖ୍ୟା ସ୍ଥିତି


ପି.ଟି.ଆଇ.ର ଏକ ଖବର ଅନୁଯାୟୀ କଂଗ୍ରେସ ଦଳ ଦ୍ୱାରା ଆହୂତ ବିଧାନସଭା ଦଳର ଏକ ବୈଠକରେ ଚ଼ାରି ଜଣ ସ୍ୱାଧୀନ ସଦସ୍ୟଙ୍କୁ ମିଶାଇ ଅତି କମରେ ୧୦୦ ଜଣ ବିଧାୟକ ଉପସ୍ଥିତ ଥିଲେ । ବିଦ୍ରୋହୀ ବିଧାୟକ ଆଉ ବିଏସପି ଓ ଏସପିର ବିଧାୟକମାନେ ଏହି ବୈଠକରେ ନ ଥିଲେ ବୋଲି ସେହି ରିପୋର୍ଟରୁ ପ୍ରକାଶ ।

ଯଦି ବି ବୈଠକରେ ୧୦୦ ଜଣ ବିଧାୟକଙ୍କ ଉପସ୍ଥିତିର ଦାବିକୁ ମାନିନିଆଯାଏ, ତାହେଲେ ୨୨ ଜଣ ବିଧାୟକଙ୍କ ଇସ୍ତଫା ଗ୍ରହଣ କରାଯାବା ପରେ କଂଗ୍ରେସ ପାଖରେ ସଂଖ୍ୟାଗରିଷ୍ଠତା ପାଇଁ ଆବଶ୍ୟକ ସଂଖ୍ୟକ ବିଧାୟକ ନ ଥିବେ । ୨୨ ଜଣ ବିଧାୟକଙ୍କ ଇସ୍ତଫା ପରେ ଗୃହର ସଂଖ୍ୟା କମି ୨୦୬ ହୋଇଯିବ, ଫଳରେ କଂଗ୍ରେସକୁ ସଂଖ୍ୟାଗରିଷ୍ଠତା ପାଇଁ ୧୦୪ ଜଣ ବିଧାୟକଙ୍କ ଆବଶ୍ୟକତା ପଡ଼ିବ । ଏହା ହେଲେ ବି କଂଗ୍ରେସ ପାଖରେ ବିଜେପି ଠାରୁ କମ୍‌ ବିଧାୟକ ରହିବେ, କାରଣ ବିଜେପିର ଏବେ ୧୦୭ ଜଣ ବିଧାୟକ ଅଛନ୍ତି । ଏମିତି ସ୍ଥିତିରେ କମଳନାଥଙ୍କ ସରକାର ଟ୍ରଷ୍ଟ ଭୋଟ୍ ହାରି ଯାଇପାରନ୍ତି ।

କମଳ ନାଥ କହିଛନ୍ତି ତାଙ୍କ ସରକାର ପ୍ରତି କୌଣସି ବିପଦ ନାହିଁ ଓ ଏହା କେବଳ ସଂଖ୍ୟାଗରିଷ୍ଠତା ପ୍ରମାଣ କରିବାରେ ଯେ ସଫଳ ହେବ ତାହା ନୁହେଁ ବରଂ ଏହା ନିଜର ସମ୍ପୂର୍ଣ୍ଣ କାର୍ଯ୍ୟକାଳ ପୂରା କରିବ ।

କମଳ ନାଥ ରାଜ୍ୟପାଳଙ୍କୁ ଚିଠି ଲେଖି ସିନ୍ଧିଆଙ୍କ ପ୍ରତି ବିଶ୍ୱସ୍ତ ଓ ମଙ୍ଗଳବାର ଦଳ ଛାଡ଼ୁଥିବା ବିଧାୟକଙ୍କ ମଧ୍ୟରେ ଥିବା ଛଅ ଜଣ ମନ୍ତ୍ରୀଙ୍କୁ ତୁରନ୍ତ ପଦରୁ ହଟାଇବାକୁ ଅନୁରୋଧ କରିଛନ୍ତି । ଏହି ଚିଠିରେ ଇମର୍ତ୍ତୀ ଦେବୀ, ତୁଲସୀ ସିଲାୱାଟ, ଗୋବିନ୍ଦ ସିଂ ରାଜପୁତ, ମହେନ୍ଦ୍ର ସିଂ ସିସୋଦିଆ, ପ୍ରଦିମ ସିଂ ତୋମର ଏବଂ ପ୍ରଭୁରାମ ଚୌଧୁରୀଙ୍କ ନାଁ ଅଛି ।

ଏମାନଙ୍କ ବ୍ୟତୀତ ଯେଉଁମାନେ ଇସ୍ତଫା ଦେଇଛନ୍ତି ସେମାନଙ୍କ ମଧ୍ୟରେ ଅଛନ୍ତି ହାର୍ଦ୍ଦିକ ସିଂ ଡାଙ୍ଗ, ରାଜୀବର୍ଦ୍ଧନ ସିଂ, ବ୍ରଜେନ୍ଦ୍ର ସିଂ ଯାଦବ, ଜସପାଲ ଜଜଜୀ, ସୁରେଶ ଧାକଡ଼, ଜସୱନ୍ତ ଜାଟଭ, ରକ୍ଷା ସାନ୍ତ୍ରମ ସିରୋଣିଆ, ମୁନ୍ନାଲାଲ ଗୋୟଲ, ରଣଭୀର ସିଂ ଜାଟଭ, ଓପିଏସ୍ ଭଦୋରିଆ, କମଲେଶ ଜାଟଭ, ଗିରିରାଜ ଜାଟବ, ରଘୁରାଜ କାନସାନା, ଆଇଦଲ ସିଂହ କାନସାନା, ବାୟାସାହୁଲାଲ ସିଂ ଏବଂ ମନୋଜ ଚୌଧୁରୀ ।
First published: March 11, 2020, 2:05 PM IST