News18 Odia Digital
ନୂଆ ଦିଲ୍ଲୀ: ଆଜି ଠୁ ଆରମ୍ଭ ହେଉଛି ସଂସଦର ବଜେଟ ଅଧିବେଶନ । ଦୁଇଟି ପର୍ଯ୍ୟାୟରେ ଏହା ଆସନ୍ତା ଏପ୍ରିଲ ୩ ତାରିଖ ପର୍ଯ୍ୟନ୍ତ ଚ଼ାଲିବ । ପ୍ରଥମ ପର୍ଯ୍ୟାୟର ଅଧିବେଶନ ଜାନୁଆରୀ ୩୧ରୁ ଫେବ୍ରୁଆରୀ ୧୧ ତାରିଖ ଏବଂ ଦ୍ବିତୀୟ ପର୍ଯ୍ୟାୟର ଅଧିବେଶନ ମାର୍ଚ୍ଚ ୨ରୁ ଏପ୍ରିଲ ୩ ତାରିଖ ଯାଏ ଚ଼ାଲିବ ।
ଆଜି ପ୍ରଥମ ଦିନର ଆରମ୍ଭରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସଂସଦର ମିଳିତ ଅଧିବେଶନକୁ ସମ୍ବୋଧନ କରୁଛନ୍ତି । ଏହା ପରେ ସଂସଦରେ ଉପସ୍ଥାପନ କରାଯିବ ଅର୍ଥନୈତିକ ସର୍ଭେ ରିପୋର୍ଟ । ଆସନ୍ତାକାଲି ବଜେଟ ଆଗତ କରିବେ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ।
ଏଥର ବଜେଟ୍ ଅଧିବେଶନରେ ଆର୍ଥିକ ମାନ୍ଦାବସ୍ଥା, ବଢିଚାଲିଥିବା ବେକାରୀ ଏବଂ କାଶ୍ମୀର ସ୍ଥିତି ପ୍ରସଙ୍ଗ ସଂସଦ ଗୃହକୁ ଗରମ କରିପାରେ । ସବୁ ଠୁ ଅଧିକ ସରଗରମ ହେବ ନାଗରିକତା ସଂଶୋଧନ ଆଇନ (CAA) ଓ ଜାତୀୟ ନାଗରିକତା ରେଜିଷ୍ଟର (NPR) ପ୍ରସଙ୍ଗକୁ ନେଇ ଆଲୋଚ଼ନା । ଅଧିବେଶନ ପୂର୍ବରୁ ସର୍ବଦଳୀୟ ବୈଠକରେ ସବୁ ଦଳକୁ ସହଯୋଗ କରିବା ପାଇଁ ଅନୁରୋଧ କରିଛନ୍ତି ସରକାର ଓ ଉଭୟ ଗୃହର ପୀଠାଧିପତି ।

ସଂସଦର ମିଳିତ ଅଧିବେଶନରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ରାଷ୍ଟ୍ରପତିଙ୍କ ଅଭିଭାଷଣ ଶୁଣୁଛନ୍ତି । (ସାଭାର: ଲୋକସଭା ଟିଭି)
ବଜେଟ ଅଧିବେଶନ ପାଇଁ ସବୁ ଦଳ ରଣନୀତି ପ୍ରସ୍ତୁତ କରିସାରିଛନ୍ତି । ନାଗରିକତା ସଂଶୋଧନ ଆଇନ ସାମନା କରୁଥିବା ବିରୋଧ ମଧ୍ୟରେ ପାର୍ଲାମେଣ୍ଟର ବଜେଟ୍ ଅଧିବେଶନ ବସୁଛି । ବିଶେଷକରି ସିଏଏ ଓ ଏନଆରସିକୁ ନେଇ ସରକାରଙ୍କୁ ଘେରିବେ କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳ ।
‘‘ଏ ସରକାର କେବଳ ବିଲ୍ ପାସ କରିବା ନେଇ ବ୍ୟସ୍ତ । ଦେଶର ସୁରକ୍ଷା ଓ ବିକାଶ ପାଇଁ ବିରୋଧୀ ଦଳ ସରକାରଙ୍କୁ ସମର୍ଥନ ଦେବ, କିନ୍ତୁ ଆର୍ଥିକ ମାନ୍ଦାବସ୍ଥା, ବଢିଚାଲିଥିବା ବେକାରୀ, ସଂଶୋଧିତ ନାଗରିକତା ଆଇନ ଓ କାଶ୍ମୀର ସ୍ଥିତିକୁ ନେଇ ସରକାରଙ୍କୁ ଦଳ ଘେରିବ,’’ କହିଛନ୍ତି କଂଗ୍ରେସର ବରିଷ୍ଠ ନେତା ଗୁଲାମନବୀ ଆଜାଦ ।
ସେହିପରି ଜନଗଣନା ବେଳେ ଓବିସିଙ୍କ ସଂଖ୍ୟା ଗଣନା କରିବା ଓ ରାଜ୍ୟମାନଙ୍କୁ ଅଧିକ ଆର୍ଥିକ ସମ୍ବଳ ଦେବାକୁ ସର୍ବଦଳୀୟ ବୈଠକରେ ଦାବି କରିଥିଲା ବିଜେଡି । ସରକାର ଓ ପ୍ରଧାନମନ୍ତ୍ରୀ ମୋଦି ସବୁ ପ୍ରସଙ୍ଗରେ ଗଠନମୂଳକ ବିତର୍କ ପାଇଁ ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।