News 18 Odia Digital
ଲଣ୍ଡନ : ବ୍ରିଟେନ ମହାରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ୯୬ ବୟସରେ ଦେହାନ୍ତ । ଗୁରୁବାର ଅପରାହ୍ନରେ ତାଙ୍କର ଦେହାନ୍ତ ହୋଇଛି । ମହାରାଣୀଙ୍କ ପରିବାର ସଦସ୍ୟମାନେ ଏବେ ସ୍କଟଲ୍ୟାଣ୍ଡରେ ପହଁଚିଛନ୍ତି । ଗୁରୁବାର ରାତିରେ ରୟାଲ ଫ୍ୟାମିଲି ଏକ ସରକାରୀ ଘୋଷଣା କରିଛନ୍ତି । ରାତି ୧୧ ଟା ସମୟରେ ଏକ ଟ୍ୱିଟ୍ କରି କହିଛନ୍ତି, " ରାଣୀ ଗୁରୁବାର ଅପରାହ୍ନରେ ବାଲମୋରଲରେ ତାଙ୍କର ଦେହାନ୍ତ ହୋଇଛି। କିଙ୍ଗ ଏବଂ ରାଣୀ କନସର୍ଟ ଗୁରୁବାର ସନ୍ଧ୍ୟାରେ ବାଲମୋରଲରେ ରହି ଆସନ୍ତାକାଲି ଲଣ୍ଡନକୁ ଫେରିବେ।"
ରାଣୀଙ୍କ ପରଲୋକ ପର ସାରା ବିଶ୍ବରୁ ତାଙ୍କ ପାଇଁ ଶାେକ ବାର୍ତାର ଶୁଅ ଛୁଟିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଗଭୀର ଶୋକ ପ୍ରକାଶ କରିଛନ୍ତି । ମହାରାଣୀଙ୍କ ପୁଅ ପ୍ରିନ୍ସ ଚାର୍ଲ୍ସ , ତାଙ୍କର ପତ୍ନୀ , ନାତି ପ୍ରିନ୍ସ ୱିଲିୟମ୍ସ ଏବେ ସ୍କଟଲ୍ୟାଣ୍ଡରେ ପହଁଚିଛନ୍ତି । ମହାରାଣୀଙ୍କ ବୟସ ବଢ଼ିବା ସହ ଶରୀର ଅସୁସ୍ଥ ଲାଗି ରହୁଥିଲା । ଆଜି ସକାଳୁ ମହାରାଣୀଙ୍କ ଶରୀର ଅସୁସ୍ଥ ହୋଇପଡ଼ିଥିଲା । ମହାରାଣୀ ଏଲିଜାବେଥ ଶେଷଥର ସାର୍ବଜନିନ କାର୍ଯ୍ୟକ୍ରମରେ ମଙ୍ଗଳବାର ଦିନ ନୂତନ ପ୍ରଧାନମନ୍ତ୍ରୀଙ୍କ ସହ ଦେଖାଦେଇଥିଲେ ।
ରାଣୀଙ୍କ ମୃତ୍ୟୁରେ ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ଲିଜ ଟ୍ରସ ମଧ୍ୟ ଶୋକ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ରାଣୀଙ୍କ ମୃତ୍ୟୁରେ ବ୍ରିଟେନ ଗଭୀର ଦୁଃଖିତ। ରାଣୀ ସେହି ପଥର ଥିଲେ ଯେଉଁଥିରେ ଆଧୁନିକ ବ୍ରିଟେନ ନିର୍ମାଣ ହେଉଥିଲା।
ରାଣୀଙ୍କ ମୃତ୍ୟୁ ଖବର ବ୍ରିଟେନ ତଥା ସମଗ୍ର ବିଶ୍ୱକୁ ଚକିତ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ତାଙ୍କ ମୃତ୍ୟୁରେ ସମବେଦନା ଜଣାଇଛନ୍ତି । ମହାରାଣୀ ଏଲିଜାବେଥ୍ ଦ୍ୱିତୀୟ ଆମ ସମୟର ଜଣେ ପ୍ରତିଷ୍ଠିତ ବ୍ୟକ୍ତି ଭାବରେ ସ୍ମରଣୀୟ ହୋଇ ରହିବେ ବୋଲି ମୋଦି ଟ୍ୱିଟ୍ କରି କହିଛନ୍ତି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।