ବାଲେଶ୍ବର: ଚ଼ାନ୍ଦିପୁର ସ୍ଥିତ ଡିଆରଡିଓ କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରର ତିନି ନମ୍ବର ଲଞ୍ଚ୍ ପ୍ୟାଡ୍ରୁ ମଧ୍ୟମ ଦୂରଗାମୀ କ୍ରୁଜ୍ ମିସାଇଲ୍ ବ୍ରହ୍ମୋସ୍ର ବ୍ୟାବହାରିକ ପରୀକ୍ଷା ସଫଳତାର ସହିତ କରାଯାଇଛି । ସ୍ଥଳଭାଗରୁ ସ୍ଥଳଭାଗକୁ ଟାର୍ଗେଟ୍ କରିପାରୁଥିବା ଏହି କ୍ଷେପଣାସ୍ତ୍ରକୁ ଆଜି ସକାଳ 8ଟା 45 ମିନିଟ୍ରେ ଉତ୍କ୍ଷେପଣ କରାଯାଇଥିଲା ।
ନଭେମ୍ବର 2006 ରୁଏହି ମିସାଇଲ୍ର ଏୟାର, ନେଭାଲ, ସବ୍ମେରାଇନ୍ ଓ ଲ୍ୟାଣ୍ଡ୍ ଭର୍ସନକୁ ପ୍ରତିରକ୍ଷା ବିଭାଗରେ ବ୍ୟବହାର କରାଯାଉଛି । କ୍ଷେପଣାସ୍ତ୍ରର ଦିଗ, ଟାର୍ଗେଟ୍ ଓ ଟ୍ରାଜେକ୍ଟୋରୀ ଭଳି ବିଭିନ୍ନ କ୍ଷେତ୍ର ଅଧିକ ବିକଶିତ କରାଯାଇ ବାରମ୍ବାର ପରୀକ୍ଷା କରାଯାଉଛି ।
ଋଷ ଓ ଭାରତର ମିଳିତ ସହଯୋଗରେ ନିର୍ମିତ ଏହି କ୍ଷେପଣାସ୍ତ୍ର ବ୍ରହ୍ମୋସ୍ର (Brahmos) ନାମ ଭାରତର ବ୍ରହ୍ମପୁତ୍ର ଓ ଋଷର ମସ୍କଭା ନଦୀର ନାମ ଅନୁସାରେ ରଖାଯାଇଛି ।
‘‘ବ୍ରହ୍ମୋସ୍ ମିସାଇଲରେ ଦୁଇ ଶହରୁ ତିନି ଶହ କିଲୋଗ୍ରାମ୍ ପର୍ଯ୍ୟନ୍ତ ଉଭୟ ପାରମ୍ପରିକ ଓ ଆଣବିକ ଯୁଦ୍ଧାସ୍ତ୍ର ବ୍ୟବହାର କରାଯାଇପାରିବ । ଏହି ମିସାଇଲ୍ ଚ଼ାରି ଶହରୁ ପାଞ୍ଚ ଶହ କିଲୋମିଟର ଦୂରତା ମଧ୍ୟରେ ଶତୃ ପକ୍ଷ୍ୟର ଟ୍ୟାଙ୍କ, ଯୁଦ୍ଧ ବିମାନ, ଯୁଦ୍ଧ ଯାହାଜ ଓ କ୍ଷେପଣାସ୍ତ୍ରକୁ ଟାର୍ଗେଟ୍ କରିପାରିବ,’’ କହିଛନ୍ତି ଜଣେ ଡିଆର୍ଡିଓ (Defence Research and Development Organisation) ଅଧିକାରୀ ।

ବାଲେଶ୍ୱର ଜିଲ୍ଲାର ଚ଼ାନ୍ଦିପୁରରେ ଥିବା କ୍ଷେପଣାସ୍ତ୍ର ଘାଟି
ବ୍ରହ୍ମୋସ୍ କ୍ଷେପଣାସ୍ତ୍ର ବଙ୍କାଟଙ୍କା ହୋଇ ଗତି କରିପାରୁଥିବାରୁ ଏହାକୁ ଶତୃ ପକ୍ଷ୍ୟର ରାଡ଼ାର ସହଜରେ ଚିହ୍ନଟ କରିପାରିବ ନାହିଁ । ଏଥି ସହିତ ଇଣ୍ଟରସେପ୍ଟର ମାଧ୍ୟମରେ ମଧ୍ୟ ଏହାକୁ ଟାର୍ଗେଟ୍ କରିବା ଅସମ୍ଭବ ।
ଏହାର ଓଜନ ୨,୫୦୦ କିଲୋଗ୍ରାମରୁ ୩,୦୦୦ କିଲୋଗ୍ରାମ ହୋଇଥିବା ବେଳେ ଏହାର ଲମ୍ବ ୮.୪ ମିଟର ଓ ମୋଟେଇ ୦.୬ ମିଟର ରହିଛି । ଭୂପୃଷ୍ଠରୁ ୧୫ କିଲୋମିଟର ଉପରେ ଏହା ପ୍ରତି ସେକେଣ୍ଡରେ ଏକ କିଲୋମିଟର ବେଗରେ ଗତି କରିପାରିବ ।
ଆଜିର ଏହି ପରୀକ୍ଷା ସଫଳ ହୋଇଥିବା ନେଇ ପ୍ରତିରକ୍ଷା ବିଭାଗ ତରଫରୁ ସୂଚନା ମିଳିଛି । ଏହି ସଫଳତା ଯୋଗୁଁ ଡିଆର୍ଡିଓ କର୍ମଚ଼ାରୀମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଥିଲା ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।