News18 Odia Digital
ମୁମ୍ବାଇ: ସୋସିଆଲ୍ ମିଡ଼ିଆରେ ନିଜ ଭିଡିଓ ଓ ପୋଷ୍ଟକୁ ନେଇ ଚର୍ଚ୍ଚାରେ ରହୁଥିବା ବଲିଉଡ୍ ଅଭିନେତ୍ରୀ ପାୟଲ ରୋହତଗୀଙ୍କୁ (Payal Rohtagi) ଅହମଦାବାଦ ପୋଲିସ ଗିରଫ କରିଛି । ସେ ଯେଉଁ ଆପାର୍ଟମେଣ୍ଟ୍ ବ୍ଲକରେ ରହନ୍ତି ସେଠାକାର ଚେୟାରମ୍ୟାନଙ୍କ ସହ ଦୁର୍ବ୍ୟବହାର କରିଥିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି । ପାୟଲ ରୋହତାଗୀଙ୍କର ଦୀର୍ଘ ଦିନ ଧରି ବିବାଦ ଚାଲିଥିଲା । ପ୍ରାୟ ପାଞ୍ଚ ବର୍ଷ ତଳେ ପାୟଲଙ୍କ ପିତା ଏହି ସୋସାଇଟିରେ ଏକ ଫ୍ଲାଟ୍ କିଣିଥିଲେ ।
‘ହେ ବେବି’, ‘ଢୋଲ୍’, ’୩୬ ଚାଇନା ଟାଉନ୍’ ଓ ‘ରକ୍ତ’ ପରି ଫିଲ୍ମରେ ଅଭିନୟ କରିଥିବା ପାୟଲ ରୋହତାଗୀଙ୍କ ବିରୋଧରେ ଅଭିଯୋଗ ହୋଇଛି ଯେ ସେ ଅହମଦାବାଦର ସୁନ୍ଦରବନ୍ ଏପିଟୋମ୍ ଆପାର୍ଟମେଣ୍ଟ୍ ସୋସାଇଟିର ଜଣେ ସଦସ୍ୟା ହୋଇ ନ ଥିବା ସତ୍ତ୍ୱେ ଜୁନ୍ ୨୦ ତାରିଖରେ ସେ ସେଠାକାର ବାର୍ଷିକ ସାଧାରଣ ବୈଠକରେ (ଏ.ଜି.ଏମ୍.) ପହଞ୍ଚିଥିଲେ । ସେଠାରେ ତାଙ୍କୁ କିଛି କହିବାକୁ ଅନୁମତି ଦିଆଯାଇ ନ ଥିଲା । ଏତିରେ ଉତ୍ୟକ୍ତ ହୋଇ ସେ ସେହି ସଭାରେ ଦୁର୍ବ୍ୟବହାର କରିଥିଲେ ଓ ଝଗଡ଼ା କରିଥିଲେ । ପାୟଲ ଅତୀତରେ ମଧ୍ୟ ଅନେକ ଥର ଏମିତି ଝଗଡ଼ା କରିଛନ୍ତି ଓ ସୋସାଇଟିର ଅଧ୍ୟକ୍ଷଙ୍କୁ ହତ୍ୟା କରିବେ ବୋଲି ଧମକ ଦେଇଛନ୍ତି ବୋଲି ଅଭିଯୋଗ ହୋଇଛି (Actress Payal Rohtagi arrested)।
ଏହା ବି ପଢ଼ନ୍ତୁ | ଓଡ଼ିଶାରୁ ବି ବାହାରିଲା କରୋନାର Delta Plus ଭ୍ୟାରିଆଣ୍ଟ୍; ଦେବଗଡ଼ରେ ରାଜ୍ୟର ପ୍ରଥମ ରୋଗୀ ଚିହ୍ନଟ
ପାୟଲଙ୍କ ସ୍ୱାମୀ ପହିଲୱାନ୍ ସଂଗ୍ରାମ ସିଂ ପାୟଲଙ୍କ ଗିରଫ ହେବା ଖବର ଶୁଣି ମୁମ୍ବାଇରୁ ପ୍ଲେନରେ ଆସି ଅହମଦାବାଦରେ ପହଞ୍ଚିଥିଲେ ଓ ଥାନାକୁ ଯାଇଥିଲେ । ସେ କହିଥିଲେ ଯେ ପାୟଲ ନିଜ ଫ୍ଲାଟ୍ ଭିତରେ ଓ ବିଲ୍ଡିଂ ପରିସରରେ କୌଣସି ପ୍ରକାରର ଭିଡିଓ ତିଆରି କରିବା ଉପରେ ସୋସାଇଟି ଆପତ୍ତି କରୁଥିଲା ଓ ବାରମ୍ବାର ତାଙ୍କୁ ଅଟକାଇ ବାଧା ଦେଉଥିଲା।

ସ୍ୱାମୀ ସଂଗ୍ରାମ ସିଂଙ୍କ ସହ ପାୟଲ ରୋହତାଗୀ
ସଂଗ୍ରାମ ସିଂ ଆହୁରି କହିଛନ୍ତି ଯେ ସୋସାଇଟି ପାୟଲଙ୍କଠାରୁ ୫ ଲକ୍ଷ ଟଙ୍କା ସୋସାଇଟିର ଡେଭଲପମେଣ୍ଟ୍ ଚାର୍ଜ ଭାବରେ ଦାବି କରୁଥିଲା ଓ ଏହାକୁ ନେଇ ବି ପାୟଲଙ୍କ ସହ ବିବାଦର ଚାଲିଥିଲା । ସେ କହିଛନ୍ତି ଯେ ପାୟଲଙ୍କୁ କୌଣସି ସୂଚନା ବା ସମନ୍ସ ନ ପଠାଇ ପୋଲିସ ଶୁକ୍ରବାର ସକାଳ ୯ଟା ବେଳେ ତାଙ୍କୁ ଗିରଫ କରିଥିଲା ଓ ଥାନାରେ ତାଙ୍କ ସହ ଦୁର୍ବ୍ୟବହାର କରିଥିଲା ।
ଏହା ବି ପଢ଼ନ୍ତୁ | ପ୍ରକାଶ ପାଇଲା Odisha Matric Exam Results: ରେଗୁଲାରରେ ପାସ୍ ହାର ୯୭.୮୯%, ଏକ୍ସ ୮୮.୩୩%
ଗତ ମାସ କଙ୍ଗନା ରାଣାୱତଙ୍କ (Kangana ranawat) ଟ୍ୱିଟର୍ ଆକାଉଣ୍ଟକୁ ସ୍ଥଗିତ ରଖାଯାଇଥିବା ବେଳେ ଏକ ଭିଡିଓ ପୋଷ୍ଟରେ ପାୟଲ ରୋହତାଗୀଙ୍କୁ କାନ୍ଦୁଥିବା ଦେଖାଯାଇଥିଲା । ସେହି ଭିଡିଓରେ ସେ ବେଙ୍ଗଲରେ ହିନ୍ଦୁମାନଙ୍କ ବିରୁଦ୍ଧରେ ହେଉଥିବା କଥିତ ହିଂସା ବିଷୟରେ କହି କାନ୍ଦୁଥିଲେ ।
ସୋସିଆଲ ମିଡିଆରେ ପାୟଲ ରୋହତାଗୀ ବହୁତ ସକ୍ରିୟ ରହନ୍ତି ଓ ଅନେକ ପ୍ରସଙ୍ଗରେ ନିଜର ମତାମତ ଦିଅନ୍ତି । ଏହି କାରଣରୁ ସେମାନଙ୍କୁ ଅନେକ ଥର ବିବାଦର ସମ୍ମୁଖୀନ ବି ହୋଇଛନ୍ତି । ୨୦୧୯ରେ ନେହେରୁ-ଗାନ୍ଧୀ ପରିବାର ବିଷୟରେ ତାଙ୍କର ଏକ ପୋଷ୍ଟ ଯୋଗୁଁ ତାଙ୍କୁ ଗିରଫ କରାଯାଇଥିଲା । ଏହି ମାମଲାରେ କୋର୍ଟ ତାଙ୍କୁ ଜେଲ୍ ପଠାଇଥିଲେ, କିନ୍ତୁ ଗୋଟିଏ ଦିନ ମଧ୍ୟରେ ତାଙ୍କୁ ଜାମିନ ମିଳିଯାଇଥିଲା ।
ପାୟଲ୍ ରୋହତାଗି ଫେମିନା ମିସ୍ ଇଣ୍ଡିଆ ପ୍ରତିଯୋଗିତାରେ ଭାଗ ନେବା ପରେ ନିଜ ସିନେମା କରିଅର୍ ଆରମ୍ଭ କରିଥିଲେ । ସେ ସୁପରମଡେଲ ମିସ୍ ଟୁରିଜିମ୍ ୱାର୍ଲ୍ଡ ଟାଇଟଲ୍ ବି ଜିତିଥିଲେ । ସେ ଅଳ୍ପ କିଛି ଫିଲ୍ମରେ ଅଭିନୟ କରିଛନ୍ତି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।