News18 Odia Digital
ମୁମ୍ବାଇ: କଥାରେ ଅଛି ଯାହାକୁ ରଖିବେ ଅନନ୍ତ, କି କରିପାରେ ବଳବନ୍ତ । ଆପଣ ନିଶ୍ଚିତ ଭାବରେ ଏହି କଥାକୁ ଅନେକ ଥର ଶୁଣିଥିବେ, କିନ୍ତୁ ଏବେ ଏହି ଭିଡିଓ (viral video) ଦେଖି ପୁଣି ଥରେ ସେହି କଥାରେ ଥିବା ସତ୍ୟକୁ ଅନୁଭବ କରିବେ । ଜଣେ ଅନ୍ଧୁଣୀ ମା’ଙ୍କ ସାମନାରେ ତାଙ୍କ ପାଞ୍ଚ-ଛଅ ବର୍ଷର ପୁଅ ଟ୍ରେନ୍ ଆସୁଥିବା ବେଳେ ପ୍ଲାଟଫର୍ମରୁ ରେଳ ଧାରଣା ଉପରକୁ ଖସିପଡ଼ିବା ପରେ ତାକୁ ଆଶ୍ଚର୍ଯ୍ୟଜନକ ଭାବେ ମୃତ୍ୟୁ ମୁଖରୁ ରକ୍ଷା କରାଯାଇଛି ।
ଭାଇରାଲ୍ ହେଉଥିବା ଏହି ଭିଡିଓଟି ମହାରାଷ୍ଟ୍ରର (Maharashtra) ମୁମ୍ବାଇ ରେଳ ଡିଭିଜନର (Mumbai division) ଘଟଣା । ୱାଙ୍ଗଣୀ ଷ୍ଟେସନର ପ୍ଲାଟଫର୍ମ ନମ୍ବର ୨ରେ ଶନିବାର ଦିନ କୁନି ପିଲାଟି ନିଜ ଅନ୍ଧୁଣୀ ମା’ର ହାତ ଧରି ଚାଲି ଚାଲି ଯାଉଥିଲା । ଏହି ସମୟରେ ସେ ପ୍ଲାଟଫର୍ମର ଧାର ଆଡ଼କୁ ଚାଲିଗଲା । ତା’ର ସନ୍ତୁଳନ ବିଗିଡ଼ିଯିବାରୁ ତା’ ଗୋଡ଼ ଖସିଗଲା ଓ ସେ ପ୍ଲାଟଫର୍ମରୁ ତଳକୁ ଖସି ପଡ଼ିଲା ।
ଏହା ବି ପଢ଼ନ୍ତୁ | ଆସନ୍ତା ଶନିବାରଠାରୁ ସାରା ଓଡ଼ିଶାରେ ଲାଗୁ ହେବ ସପ୍ତାହାନ୍ତ ସଟ୍ଡାଉନ୍; କରୋନା ଅଣାୟତ୍ତ ହେଉଛି
ପିଲାଟି ଖସି ପଡ଼ି ରେଳ ଧାରଣା ଉପରେ ପଡ଼ିଲା । ଏହି ସମୟରେ ସାମନାରୁ ଦ୍ରୁତ ଗତିରେ ଏକ ଟ୍ରେନ୍ ଆସୁଥିଲା ।ଟ୍ରେନ୍ ଆସୁଥିବା ଶବ୍ଦ ଶୁଣି ତା’ ଅନ୍ଧୁଣୀ ମା’ ବଡ଼ ବ୍ୟସ୍ତ ହୋଇ ପୁଅକୁ ପ୍ଲାଟଫର୍ମ ଉପରେ ଇଆଡ଼େ ସିଆଡ଼େ ଖୋଜି ପାଉ ନ ଥିଲା ଓ ବଡ଼ ପାଟିରେ କାନ୍ଦୁଥିଲା । ହେଲେ ପିଲାଟିକୁ ମୃତ୍ୟୁ ମୁଖରୁ ବଞ୍ଚେଇ ଦେଲେ ଜଣେ ଦେବଦୂତ ସାଜି ଆସି ପହଞ୍ଚିଥିବା ଜଣେ ରେଲୱେ ସ୍ୱିଚମ୍ୟାନ୍ ।
ଏଇଠି ଦେଖନ୍ତୁ ସେହି ଭାଇରାଲ୍ ଭିଡିଓ:
ପିଲାଟି ରେଳ ଧାରଣାରୁ ଉଠି ପ୍ଲାଟଫର୍ମ ଉପରକୁ ଚଢ଼ିବାକୁ ଚେଷ୍ଟା କରୁଥିବା ବେଳେ ଟ୍ରେନ୍ ନିକଟବର୍ତ୍ତୀ ହୋଇ ଆସିଥିଲା । ଏହି ଦୃଶ୍ୟ ଦେଖି ହଠାତ୍ ରେଲୱେ ସ୍ୱିଚମ୍ୟାନ୍ ମୟୂର ଶେଲକେ ଦୌଡ଼ି ଆସିଥିଲେ ଓ ପିଲାଟିକୁ ଉଦ୍ଧାର କରିଥିଲେ । ପିଲାଟିକୁ ସେ ବଞ୍ଚାଉଥିବାର ସିସିଟିଭି କ୍ୟାମେରା ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ ହୋଇଛି (Maharashtra man saves child in front of train)।
ଏହା ବି ପଢ଼ନ୍ତୁ | ପିପିଲି Bypoll: ସ୍ୱର୍ଗତ ଅଜିତ ମଙ୍ଗରାଜଙ୍କ ପତ୍ନୀ ବନ୍ଦନା ମଙ୍ଗରାଜଙ୍କୁ କଂଗ୍ରେସ ପ୍ରାର୍ଥୀ କରିପାରେ
ଏହି ଭିଡିଓକୁ ନ୍ୟୁଜ୍ ଏଜେନ୍ସି ଏ.ଏନ୍.ଆଇ. ଶେୟାର୍ କରିବା ପରେ ଏହା ଖୁବ୍ ଭାଇରାଲ ହୋଇଥିଲା । ଏହି ଘଟଣା ଦେଶ ଓ ବିଦେଶରେ ବହୁତ ଚର୍ଚ୍ଚାରେ ରହିଛି । ପିଲାଟିର ଜୀବନ ରକ୍ଷା କରିଥିବା ରେଲୱେ ସ୍ୱିଚମ୍ୟାନ୍ ମୟୂର ଶେଲକେ କହିଛନ୍ତି ଯେ ପିଲାଟିକୁ ବଞ୍ଚାଇ ଖୁବ୍ ଖୁସି ଅନୁଭବ କରୁଛନ୍ତି ।
ଏହା ବି ପଢ଼ନ୍ତୁ | କରୋନା ପଜିଟିଭ୍ ହେଲା ଗ୍ୟାଙ୍ଗଷ୍ଟର୍ ହାଇଦର୍; ତାକୁ ଏବେ ରିମାଣ୍ଡରେ ନେବ ନାହିଁ ପୋଲିସ
‘‘ମୁଁ ଶନିବାର ଦିନ ଡ୍ୟୁଟିରେ ଥିବା ବେଳେ ସି.ଏସ୍.ଟି. ଆଡକୁ ଯାଉଥିବା ଉଦ୍ୟାନ୍ ଏକ୍ସପ୍ରେସ୍ ଟ୍ରେନ୍ ଆସୁଥିଲା । ସେତିକି ବେଳେ ଜଣେ ଅନ୍ଧ ମହିଳା ନିଜ ପିଲା ସହିତ ପ୍ଲାଟଫର୍ମ ଉପରେ ଯାଉଥିଲେ ।ମୁଁ ଦେଖିଲି ଏକ ଛଅ ବର୍ଷର ପିଲା ଟ୍ରାକ୍ ଉପରେ ପଡି଼ ଯାଇଛି, ଆଉ ସାମନାରୁ ଏହି ଟ୍ରେନ୍ ଆସୁଛି ।ମୁଁ ଭାବିଲି ପିଲାଟିକୁ ବଞ୍ଚାଇବା ଅତି ଜରୁରୀ ।ତେଣୁ ମୁଁ ସଙ୍ଗେ ସଙ୍ଗେ ଦୌଡ଼ି ଗଲି ଓ ତାକୁ ଉଠାଇ ପ୍ଲାଟଫର୍ମ ଉପରକୁ ଆଣିଲି,’’ କହିଛନ୍ତି ମୟୂର ଶେଲକେ (Mayur Shelke) ।
ଦେଶ ଓ ବିଦେଶରେ ମୟୂର ଶେଲକେଙ୍କର ଖୁବ୍ ପ୍ରଶଂସା ହେଉଛି । ତାଙ୍କୁ ଭାରତର ଜଣେ ନାୟକ (ହିରୋ) ବୋଲି ବିଦେଶୀ ଖବରକାଗଜମାନେ ବର୍ଣ୍ଣନା କରୁଛନ୍ତି । ବାସ୍ତବରେ ମୟୂର ଶେଲକେ ପିଲାଟିକୁ ରକ୍ଷା କରି ନ ଥିଲେ ତା’ ଜୀବନ ଚାଲିଯାଇଥାନ୍ତା ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।