ବିଜେପି ସାଂସଦ ସନ୍ନି ଦେଓଲଙ୍କୁ ମିଳିଲା Y ଶ୍ରେଣୀର ସୁରକ୍ଷା; ସାଥିରେ ରହିବେ ୧୧ ଜଣ ଯବାନ ଓ ୨ ଜଣ PSO
ସନ୍ନି ଦେଓଲ (Sunny Deol) ପଞ୍ଜାବ ଗୁରୁଦାସପୁରରୁ (Punjab Gurudaspur) ଭାରତୀୟ ଜନତା ପାର୍ଟିର (BJP) ସାଂସଦ ଅଟନ୍ତି । ଭାରତ ଓ ପାକିସ୍ଥାନ ସୀମା ନିକଟରେ ଗୁରୁଦାସପୁର ରହିଛି । ଏପରି ପରିସ୍ଥିତିରେ ବିପଦ ଲଗାତାର ରହିଥାଏ ।

BJP ସାଂସଦ ସନ୍ନି ଦେଓଲଙ୍କୁ ମିଳିଲା Y ଶ୍ରେଣୀ ସୁରକ୍ଷା
- News18 Odia
- Last Updated: December 16, 2020, 12:41 PM IST
ନୂଆଦିଲ୍ଲୀ: ବଲିଉଡର ଅଭିନେତାରୁ ବିଜେପି ସାଂସଦ ହୋଇଥିବା ସନ୍ନି ଦେଓଲଙ୍କୁ (Sunny Deol) କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ Y ଶ୍ରେଣୀର ସୁରକ୍ଷା ଦିଆଯାଇଛି । ବର୍ତ୍ତମାନ କେନ୍ଦ୍ରୀୟ ସୁରକ୍ଷା ବାହିନୀର ଏକ ଦଳ ତାଙ୍କ ସହିତ ସର୍ବଦା ଉପସ୍ଥିତ ରହିବେ । ତାଙ୍କ ଜୀବନ ପ୍ରତି ବିପଦ ଥିବାରୁ ସନି ଦେଓଲଙ୍କ ଏହି ସୁରକ୍ଷା ବୃଦ୍ଧି ପାଇଛି । Y ଶ୍ରେଣୀର ସୁରକ୍ଷା ଅଧୀନରେ ତାଙ୍କ ସହ ୧୧ ଜଣ ଯବାନ ଓ ୨ ଜଣ PSO ରହିବେ । ସନି ଦେଓଲ ପଞ୍ଜାବର ଗୁରୁଦାସପୁରର ଜଣେ ବିଜେପି ସାଂସଦ । ଗୁରୁଦାସପୁର ଭାରତ ଓ ପାକିସ୍ଥାନ ସୀମା ନିକଟରେ ରହିଛି ।
ନିକଟରେ ସନ୍ନି ଦେଓଲ ଟୁଇଟ୍ କରି ଚାଷୀଙ୍କୁ ଆନ୍ଦୋଳନ ଶେଷ କରିବାକୁ କହିଥିଲେ । ସେ କହିଥିଲେ, 'ମୁଁ ସମଗ୍ର ବିଶ୍ୱକୁ ଅନୁରୋଧ କରୁଛି ଯେ ଏହା ଆମ କୃଷକ ଓ ସରକାରଙ୍କ ମଧ୍ୟରେ ଏକ ପ୍ରସଙ୍ଗ । ସେମାନଙ୍କ ଏହା ମଧ୍ୟରେ ଆସନ୍ତୁ ନାହିଁ କାରଣ ଆଲୋଚନା ପରେ ଉଭୟ ନିଶ୍ଚିତ ଭାବରେ ଏକ ବାଟ ଖୋଜିବେ । ମୁଁ ଜାଣେ ଯେ ଅନେକ ଲୋକ ଏହାର ଫାଇଦା ନେବାକୁ ଚାହାଁନ୍ତି ଓ ସେମାନେ ସମସ୍ୟା ସୃଷ୍ଟି କରୁଛନ୍ତି । ସେମାନେ ଚାଷୀଙ୍କ ବିଷୟରେ ଚିନ୍ତା କରୁନାହାଁନ୍ତି । ସେମାନଙ୍କର ନିଜସ୍ୱ ଏଜେଣ୍ଡା ଅଛି ।
ସୁରକ୍ଷା ବର୍ଗ କ’ଣ?
X ଶ୍ରେଣୀ ସୁରକ୍ଷା: ଏହି ଶ୍ରେଣୀରେ ୨ ଜଣ ସୁରକ୍ଷା କର୍ମୀ ନିୟୋଜିତ ରହିଥାନ୍ତି । ଯାହା ଜଣେ PSO କୁ (ବ୍ୟକ୍ତିଗତ ସୁରକ୍ଷାକର୍ମୀ) ନେଇ ଗଠିତ ।
Y- ଶ୍ରେଣୀ ସୁରକ୍ଷା: ସମୁଦାୟ ୧୧ ଜଣ ସୁରକ୍ଷା କର୍ମୀ ନିୟୋଜିତ ରହିଥାନ୍ତି । ଯେଉଁଥିରେ ଦୁଇ PSO (ବ୍ୟକ୍ତିଗତ ସୁରକ୍ଷାକର୍ମୀ) ମଧ୍ୟ ଅଛନ୍ତି । ଏହି ଶ୍ରେଣୀରେ କୌଣସି କମାଣ୍ଡୋ ନିୟୋଜିତ ହୋଇ ନଥାନ୍ତି ।
Y Plus ବର୍ଗ ସୁରକ୍ଷା: ଏଥିରେ ୧୧ ଜଣ ସୁରକ୍ଷା କର୍ମୀ ନିୟୋଜିତ ରହିଥାନ୍ତି । ଏଥିମଧ୍ୟରେ ଜଣେ କିମ୍ବା ଦୁଇ ଜଣ କମାଣ୍ଡୋ ଓ ୨ ଜଣ PSO ମଧ୍ୟ ଅନ୍ତର୍ଭୁକ୍ତ । ଏହି ସୁରକ୍ଷା ଅଧୀନରେ କପିଲ ମିଶ୍ରଙ୍କୁ ୨୪ ଘଣ୍ଟା ଦିଲ୍ଲୀ ପୋଲିସ ଅଧୀନରେ ବ୍ୟକ୍ତିଗତ ସୁରକ୍ଷା ଅଧିକାରୀ ଭାବରେ ମିଳିଛି ।
Z- ଶ୍ରେଣୀ ସୁରକ୍ଷା: ଚାରିରୁ ପାଞ୍ଚ NSG କମାଣ୍ଡୋ ସମେତ ମୋଟ ୨୨ ସୁରକ୍ଷାକର୍ମୀ Z- ଶ୍ରେଣୀର ସୁରକ୍ଷା କ୍ଷେତ୍ରରେ ନିୟୋଜିତ ରହିଥାନ୍ତି । ଦିଲ୍ଲୀ ପୋଲିସ୍, ଆଇଟିବିପି କିମ୍ବା CRPF ଓ ସ୍ଥାନୀୟ ପୋଲିସ୍ କର୍ମଚାରୀ ମଧ୍ୟ ଏଥିରେ ଜଡିତ ରହିଥାନ୍ତି ।
Z Plus ଶ୍ରେଣୀ ସୁରକ୍ଷା: ସ୍ୱତନ୍ତ୍ର ସୁରକ୍ଷା ଗ୍ରୁପର ସୁରକ୍ଷା ପରେ Z Plus ହେଉଛି ଭାରତର ସର୍ବୋଚ୍ଚ ସୁରକ୍ଷା ଶ୍ରେଣୀ । ଏହି ଶ୍ରେଣୀରେ ୩୬ ଜଣ କର୍ମଚାରୀ ସମ୍ପୃକ୍ତ ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କ ସୁରକ୍ଷା ପାଇଁ ନିୟୋଜିତ ରହିଥାନ୍ତି । ଏଥିରେ ଦିଲ୍ଲୀ ପୋଲିସ୍, ଆଇଟିବିପି କିମ୍ବା CRPF ର କମାଣ୍ଡୋ ଓ ୧୦ ରୁ ଅଧିକ NSG କମାଣ୍ଡୋ ଓ ରାଜ୍ୟ ପୋଲିସ୍ କର୍ମଚାରୀ ରହିଥାନ୍ତି ।