News 18 Odia Digital
ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶରେ ବିଜେପି ରାଜ୍ୟ ଅଧ୍ୟକ୍ଷ ନାମକୁ ନେଇ ଦୀର୍ଘ ଦିନ ଧରି ଚାଲିଥିବା କଳ୍ପନାଜଳ୍ପନାର ଅନ୍ତ ଘଟିଛି। ରାଜ୍ୟରେ ନୂଆ ରାଜ୍ୟ ଅଧ୍ୟକ୍ଷଙ୍କ ନାମ ଘୋଷଣା କରିଛି ବିଜେପି । ଗୁରୁବାର ବିଜେପି ସାଧାରଣ ସମ୍ପାଦକ ଅରୁଣ ସିଂ, ଭୁପେନ୍ଦ୍ର ସିଂ ଚୌଧୁରୀଙ୍କ ନାମ ରାଜ୍ୟ ଅଧ୍ୟକ୍ଷ ଭାବେ ଘୋଷଣା କରିଛନ୍ତି।
ୟୁପିରେ ବିଜେପିର ନୂଆ ରାଜ୍ୟ ଅଧ୍ୟକ୍ଷଙ୍କ ବିଷୟରେ ଦୀର୍ଘ ଦିନ ଧରି କଳ୍ପନାଜଳ୍ପନା ଚାଲିଥିଲା। ଏହି ସମୟରେ ଡେପୁଟି ସିଏମ୍ କେଶବ ପ୍ରସାଦ ମୌର୍ଯ୍ୟ, ଦୀନେଶ ଶର୍ମା, ଶ୍ରୀକାନ୍ତ ଶର୍ମା, ବସ୍ତି ସାଂସଦ ହରିଶ ଦ୍ୱିବେଦୀ, କନ୍ନଜ ସାଂସଦ ସୁବ୍ରତ ପାଠକ ଓ କେନ୍ଦ୍ର ମନ୍ତ୍ରୀ ବି.ଏଲ୍ ବର୍ମାଙ୍କ ନାମ ପ୍ରମୁଖ ନାମକୁ ନେଇ ଚର୍ଚ୍ଚା ଚାଲିଥିଲା । କିନ୍ତୁ ସମସ୍ତ କଳ୍ପନାଜଳ୍ପନା ମଧ୍ୟରେ ବିଜେପି ଶେଷରେ ଦଳର ନୂଆ ଅଧ୍ୟକ୍ଷ ଘୋଷଣା କରିଛି।
ଯୋଗୀ ସରକାରରେ ମନ୍ତ୍ରୀ ସ୍ଵତନ୍ତ୍ର ଦେବ ସିଂଙ୍କ ସ୍ଥାନରେ ଭୁପେନ୍ଦ୍ର ସିଂ ଚୌଧୁରୀ ୟୁପିରେ ବିଜେପିର ନୂଆ ରାଜ୍ୟ ଅଧ୍ୟକ୍ଷ ଭାବରେ ଦାୟିତ୍ଵ ନେବେ। ଜୁଲାଇ ୧୬ରେ ସ୍ଵତନ୍ତ୍ର ଦେବ ସିଂଙ୍କ ତିନି ବର୍ଷ କାର୍ଯ୍ୟକାଳ ସମାପ୍ତ ହୋଇଥିଲା। ଏହା ପରେ ସ୍ଵତନ୍ତ୍ର ଦେବ ସିଂ ରାଜ୍ୟ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି ବୋଲି ମଧ୍ୟ ଆଲୋଚନା ହୋଇଥିଲା । ତେବେ ଏହି ଘଟଣାରେ ଦଳ ପକ୍ଷରୁ କୌଣସି ସ୍ପଷ୍ଟିକରଣ ମଧ୍ୟ ଦିଆ ଯାଇନଥିଲା।
ଏହା ସହିତ, ସ୍ଵତନ୍ତ୍ର ଦେବ ସିଂ ୟୁପି ବିଜେପିର ଅଧ୍ୟକ୍ଷ ହେବା ସହିତ ରାଜ୍ୟ ସରକାରରେ ଜଣେ ମନ୍ତ୍ରୀ ଭାବେ ଦାୟିତ୍ବ ନେଇଛନ୍ତି। ନିକଟରେ ସେ ବିଧାନ ପରିଷଦରେ ଦଳର ନେତା ପଦରୁ ମଧ୍ୟ ଇସ୍ତଫା ଦେଇଥିଲେ। ରାଜ୍ୟ ଅଧ୍ୟକ୍ଷ ଭାବରେ ସ୍ଵତନ୍ତ୍ର ଦେବ ସିଂଙ୍କ ଅଧୀନରେ ରାଜ୍ୟରେ ଗୋଟିଏ ଲୋକସଭା ନିର୍ବାଚନ ଓ ଗୋଟିଏ ବିଧାନସଭା ନିର୍ବାଚନରେ ବିଜେପି ଜିତିଛି। ବର୍ତ୍ତମାନ ପୂର୍ବ ପ୍ରଦର୍ଶନକୁ ପୁନରାବୃତ୍ତି କରିବା ନୂଆ ରାଜ୍ୟ ଅଧ୍ୟକ୍ଷଙ୍କ ପାଇଁ ଏକ ବଡ଼ ଆହ୍ନନ ହେବ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।