News18 Odia Digital
ମସ୍କୋ: ୟୁକ୍ରେନକୁ ନେଇ ଆମେରିକା ଓ ଋଷ ମଧ୍ୟରେ ଚାଲିଥିବା ବିବାଦ ଧୀରେ ଧୀରେ ଯୁଦ୍ଧ ଆଡ଼କୁ ଗତି କରୁଛି। ଉଭୟ ଦେଶ ମଧ୍ୟରେ କୂଟନୈତିକ ପ୍ରୟାସର ବିଫଳତା ପରେ ଦିନକୁ ଦିନ ସ୍ଥିତି ଖରାପ ହେବାରେ ଲାଗିଛି ଓ ଦୁନିଆରେ ଆଉ ଏକ ମହାଯୁଦ୍ଧର ଆଶଙ୍କା ଦେଖାଦେଇଛି। ଏହି ସମୟରେ, ଇମାନୁଏଲ୍ ମାକ୍ରୋନଙ୍କ ସହ ଆଲୋଚନା ପରେ ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବିବୃତ୍ତି ସାମ୍ନାକୁ ଆସିଛି। ସେ ବୁଝାମଣା କରିବାକୁ ପ୍ରସ୍ତୁତ ବୋଲି କହିଛନ୍ତି।
ସୋମବାର ହୋଇଥିବା ଆଲୋଚନାରେ ଫ୍ରାନ୍ସର ନେତା ଇମାନୁଏଲ୍ ମାକ୍ରୋନ୍ ଦେଇଥିବା ପ୍ରସ୍ତାବ ଉପରେ ଦୃଷ୍ଟି ଦିଆଯିବ ବୋଲି ପୁଟିନ କହିଛନ୍ତି। ବାସ୍ତବରେ, ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ୍ ଏହି ସମସ୍ୟା ଦୂର କରିବାକୁ ପଦକ୍ଷେପ ନେଇଥିଲେ। ସୋମବାର ମସ୍କୋରେ ପହଞ୍ଚି ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଏବିଷୟରେ କଥା ହୋଇଥିଲେ।
କ୍ରେମଲିନ୍ରେ ପ୍ରାୟ ପାଞ୍ଚ ଘଣ୍ଟା ଆଲୋଚନା ପରେ ଦୁଇ ଦେଶର ମୁଖ୍ୟ ଆଶା ପ୍ରକଟ କରିଛନ୍ତି ଯେ ଋଷ ଓ ପାଶ୍ଚାତ୍ୟ ଦେଶ ମଧ୍ୟରେ ତିକ୍ତତା ଦୂର ହୋଇପାରେ। ବାରମ୍ବାର ମସ୍କୋ ଗସ୍ତ ପାଇଁ ମାକ୍ରୋନଙ୍କୁ ଧନ୍ୟବାଦ ଜଣାଇ ପୁଟିନ ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଫ୍ରାନ୍ସର ନେତା ଅନେକ ତଥ୍ୟ ଉପସ୍ଥାପନ କରିଛନ୍ତି।
ପୁଟିନ କହିଛନ୍ତି ଯେ ସମସ୍ତଙ୍କ ପାଇଁ ଏକ ଚୁକ୍ତିନାମା ଖୋଜିବା ପାଇଁ ଆମେ ସବୁକିଛି କରିବୁ। ସେ ଅଧିକ କିଛି ବିବରଣୀ ଦେଇନାହାନ୍ତି ମାତ୍ର କହିଛନ୍ତି ଦୁଇ ଦେଶର ନେତା ଏନେଇ ଆଲୋଚନା କରିବେ।
ଇମାନୁଏଲ୍ ମାକ୍ରନ୍ ସୋମବାର କହିଛନ୍ତି ଯେ ୟୁକ୍ରେନରେ ଉତ୍ତେଜନା କମ କରିବା ନେଇ ସେ ଚେଷ୍ଟା କରିବେ । ସେ ମସ୍କୋରେ ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଆଲୋଚନା ମଧ୍ୟ କରି ପୁଣି ମସ୍କୋକୁ ଫେରିଛନ୍ତି।
ପୁଟିନ ମାକ୍ରୋନଙ୍କୁ ଭାବରେ ପ୍ରଶଂସା କରି କହିଛନ୍ତି ଯେ ୟୁରୋପରେ ସୁରକ୍ଷାକୁ ନେଇ ଋଷ ଏବଂ ଫ୍ରାନ୍ସ ଚିନ୍ତା କରୁଛନ୍ତି ଓ ବର୍ତ୍ତମାନର ଫ୍ରାନ୍ସ ନେତୃତ୍ୱରେ ଏହି ସମସ୍ୟାର ସମାଧାନ କରିବାକୁ ଚେଷ୍ଟା ଚଳାଇଛନ୍ତି । ଯେକୌଣସି ନୂତନ ସାମରିକ କାର୍ଯ୍ୟାନୁଷ୍ଠାନ, ଏକ ନୂଆ ରଣନୀତିକ କଥାବାର୍ତ୍ତା ଆରମ୍ଭ କରିବା ନେଇ ମଧ୍ୟ ଉଦ୍ୟମ ହେଉଛି । ୟୁକ୍ରେନରେ ଶାନ୍ତି ବଜାୟ ରଖିବା ପାଇଁ ୟୁକ୍ରେନ ସୀମା ନିକଟରେ ଏକ ଲକ୍ଷରୁ ଅଧିକ ଋଷ ସୈନ୍ୟ ନିୟୋଜିତ ଅଛନ୍ତି।
ଡିସେମ୍ବରରେ ଏପରି ସଙ୍କଟ ଦେଖାଦେବା ପରେ ଇମାନୁଏଲ ମାକ୍ରୋନ୍ ପ୍ରଥମ ପାଶ୍ଚାତ୍ୟ ନେତା ଭାବେ ପୁଟିନଙ୍କ ସହ ସାକ୍ଷାତ କରିଥିଲେ । ଆମେରିକାର ଅଧିକାରୀମାନେ କହିଛନ୍ତି ଯେ ମସ୍କୋ ୟୁକ୍ରେନ ସୀମା ନିକଟରେ ୧୧୦,୦୦୦ ସୈନ୍ୟ ଠୁଳ ହୋଇଛନ୍ତି । ଫେବୃଆରୀ ମଧ୍ୟଭାଗରେ ସଂପୂର୍ଣ୍ଣ ଆକ୍ରମଣ ପାଇଁ ପ୍ରାୟ ୧,୫୦,୦୦୦ସୈନ୍ୟ ଏକତ୍ର ହେବେ। ତେବେ ଆକ୍ରମଣ କରିବାର କୌଣସି ଯୋଜନା ନାହିଁ ବୋଲି ଋଷ କହିଛି। ୟୁକ୍ରେନକୁ ନାଟୋର ସଦସ୍ୟ ନକିରବାକୁ ଋଷ ଆମେରିକା ନିକଟରେ ଦାବି ରଖିଛି। ମାତ୍ର ଆମେରିକା ଏହାକୁ ଅସ୍ୱୀକାର କରିଛି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।