News18 Odia Digital
ନୂଆ ଦିଲ୍ଲୀ: ଗାୟକ ତଥା ସଙ୍ଗୀତ ନିର୍ଦ୍ଦେଶକ ଅଦନାନ ସାମିଙ୍କୁ କେନ୍ଦ୍ର ସରକାର ପଦ୍ମଶ୍ରୀଦେବା ନେଇ ଘୋଷଣା କରିବା ପରେ ଆରମ୍ଭ ହୋଇଥିବା ବିବାଦ ଉପରେ ମନ୍ତବ୍ୟ ଦେଇ କହିଛନ୍ତି ଯେ, ଏହି ପୁରସ୍କାର କେବଳ ଯୋଗ୍ୟତା ଯୋଗୁଁ ହିଁ ମିଳିଛି ।
ଅଦନାନ ସେହି ୧୧୮ ଜଣଙ୍କ ମଧ୍ୟରେ ସାମିଲ ଅଛନ୍ତି ଯେଉଁମାନଙ୍କ ନାମ ପଦ୍ମଶ୍ରୀ ପୁରସ୍କାର ଲାଗି ସ୍ବରାଷ୍ଟ୍ରମନ୍ତ୍ରଣାଳୟ ଘୋଷଣା କରିଛି ଏବଂ ଏଥିରେ ତାଙ୍କର ଗୃହ ରାଜ୍ୟ ମହାରାଷ୍ଟ୍ର ଦର୍ଶାଯାଇଛି ।
ମାତ୍ର ଅଦନାନଙ୍କୁ ପଦ୍ମଶ୍ରୀ ପୁରସ୍କାର ଦେବା ନେଇ କେନ୍ଦ୍ରସରକାରଙ୍କ ନିଷ୍ପତ୍ତିକୁ ଅନେକ ବିରୋଧୀ ଦଳ ସମାଲୋଚନା କରିଛନ୍ତି । କଂଗ୍ରେସ ପ୍ରବକ୍ତା ଜୟବୀର ଶେରଗିଲ୍ ସରକାରଙ୍କୁ କଡ଼ା ସମାଲୋଚନା କରିବା ସହ କାରଗିଲରେ ଭାରତ ପାଇଁ ଲଢ଼େଇ କରିଥିବା ପୂର୍ବତନ ସୈନିକ ମହମ୍ମଦ ସାନଉଲ୍ଲାଙ୍କୁ ଆସାମରେ ଏନ୍ଆରସି ଲିଷ୍ଟରୁ ବାହାର କରାଯାଉଥିବାବେଳେ ଜଣେ ପାକିସ୍ଥାନୀ ବାୟୁସେନା ଅଧିକାରୀଙ୍କ ପୁଅଙ୍କୁ ଭାରତର ଅନ୍ୟତମ ବେସାମରିକ ସମ୍ମାନ ପ୍ରଦାନ କରାଯାଉଛି । ଶେରଗିଲ୍ ଅଦନାନଙ୍କ ପିତା ଅର୍ଶାଦ ସାମି ଯିଏ ପାକିସ୍ଥାନ ବାୟୁସେନାରେ କାର୍ଯ୍ୟକରିବା ସହ ୧୯୬୫ ଭାରତ ବିପକ୍ଷ ଯୁଦ୍ଧରେ ଲଢ଼ିଥିଲେ ଏବଂ ପରେ ଜଣେ ପ୍ରଶାସନିକ ଅଧିକାରୀ ଭାବେ କାର୍ଯ୍ୟକରିଥିଲେ ତାଙ୍କ ଉଦାହରଣ ଦେଇଛନ୍ତି ।

ଗାୟକ ଏବଂ ସଙ୍ଗୀତ ନିର୍ଦ୍ଦେଶକ ଅଦନାନ ସାମି
ଏନେଇ ଅଦନାନଙ୍କୁ ପଚରା ଯିବାରୁ ‘‘ଯେପରି ଜଣେ ପୁଅର କାର୍ଯ୍ୟ ପାଇଁ ଯେପରି ବାପାଙ୍କୁ ଦାୟୀ କରାଯାଇପାରିବ ନାହିଁ ସେହିପରି ବାପାଙ୍କ କାର୍ଯ୍ୟ ପାଇଁ ପୁଅକୁ ମଧ୍ୟ କେବେବି ଦାୟୀ କରାଯାଇପାରିବ ନାହିଁ । ମୋ ବାପା ପାକିସ୍ଥାନ ପାଇଁ ଜଣେ ସମ୍ମାନସ୍ପଦ ସୈନିକ ଥିବା ବେଳେ ସେ ତାଙ୍କ ଦେଶ ପାଇଁ ନିଜର ଦେଶଭକ୍ତି ଦେଖାଇଥିଲେ ଏବଂ ଏଥିପାଇଁ ମୁଁ ଗର୍ବିତ । ମୁଁ ତାଙ୍କ ପାଖରୁ କିପରି ଜଣେ ଦାୟିତ୍ବପୂର୍ଣ ନାଗରିକ ହେବି ସେନେଇ ଅନେକ କିଛି ସିଖିଛି ବୋଲି ସିଏନ୍ଏନ୍-ନ୍ୟୁଜ୧୮କୁ ଏକ ସାକ୍ଷାତକାର ଦେଇ କହିଛନ୍ତି‘‘ ।
ଆଜି ମୁଁ ଜଣେ ଗର୍ବିତ ଭାରତୀୟ ଏବଂ ମୋର ଦେଶଭକ୍ତି ଓ ନିଷ୍ଠା ସୁନ୍ଦର ଦେଶ ପାଇଁ ରହିଛି । ଏହି ପୁରସ୍କାର କେବଳ ମୋର ଯୋଗ୍ୟତା ଆଧାରରେ ହିଁ ମିଳିଛି ନା କି ମୋ ବାପାଙ୍କ ଲାଗି ।
‘‘ମୋତେ ଏହି ବିରଳ ସମ୍ମାନ ଦିଆଯାଇଛି ଯାହାକି ଜଣେ ଦେଶର ନାଗରିକଙ୍କୁ ମିଳିଥାଏ । ଏନେଇ ମୋତେ ଗର୍ବ ଏବଂ ଉତ୍ସାହିତ ହେବାରେ କିଛି ନାହିଁ । କିନ୍ତୁ ଦୁଃଖର ବିଷୟ ଏହା ହେଉଛି ଯେ, ଏହାକୁ ସମ୍ପୂର୍ଣ୍ଣ ରାଜନୈତିକ କରଣ କରାଯାଉଛି । ଯଦି ଆପଣଙ୍କ ପାଖରେ ସରକାରଙ୍କୁ ନେଇ ଅନ୍ୟ ମାମଲାରେ ଦ୍ବନ୍ଦ ରହିଛି ତାହା ଠିକ୍ । କିନ୍ତୁ ପୁରସ୍କାର ଭଳି ଏକ ଅପ୍ରାସଙ୍ଗିକ ବିଷୟ ଉପରେ ବିବାଦ ସୃଷ୍ଟି କରିବା ଦୁର୍ଭାଗ୍ୟପୂର୍ଣ୍ଣ ଅଟେ । ମୁଁ କଳା କ୍ଷେତ୍ରରେ ପୁରସ୍କାର ହାସଲ କରିଛି ଯାହା ସମସ୍ତ ସୀମା ସରହଦଠୁ ବାହାରେ‘‘ ।
ଲୋକମାନଙ୍କୁ ଏହା ବୁଝିବାକୁ ହେବ ଯେ, କଳା ଏବଂ ରାଜନୀତି ଦୁଇଟି ଅଲଗା ବିଷୟ ଏବଂ ଏ ଦୁଇଟିକୁ ମିଶାଯାଇ ପାରିବ ନାହିଁ । ଯଦି ଲୋକମାନେ ଏପରି କରିବାକୁ ଚାହାନ୍ତି ତାହାଲେ କରନ୍ତୁ କିନ୍ତୁ ଏହା ଦ୍ବାରା ମୋର ସାକାରାତ୍ମକତାକୁ କେବେବି ଭାଙ୍ଗିପାରିବେ ନାହିଁ ।
ଅଦନାନଙ୍କୁ ପଦ୍ମଶ୍ରୀ ଦିଆଯିବାର କିଛି ସମୟପରେ ରାଜ ଠାକରେଙ୍କ ନବନିର୍ମାଣସେନା ପକ୍ଷରୁ ଏହାକୁ ବିରୋଧ କରାଯିବା ସହ ସାମି ଭାରତର ମୂଳ ନାଗରିକ ନୁହନ୍ତି ତେଣୁ ସେ ଏହି ପୁରସ୍କାର ପାଇଁ ଯୋଗ୍ୟ ନୁହନ୍ତି କୁହାଯାଇଥିଲା । ଦଳ ପକ୍ଷରୁ ଅଭିଯୋଗ କରାଯାଇଥିଲା ଯେ, ସାମି ଭାରତ ସରକାରଙ୍କୁ ନାଗରିକତା ସଂଶୋଧନ ଆଇନ ସମ୍ବନ୍ଧରେ ସମର୍ଥନ କରିଥିବାରୁ ତାଙ୍କୁ ଏହି ପୁରସ୍କାର ମିଳିଛି ।
ସେହିପରି ଏନସିପି ମୁଖପାତ୍ର ନବାବ ମଲ୍ଲିକ କହିଛନ୍ତି ଯେ, ଯଦି ଜଣେ ପାକିସ୍ଥାନୀ ‘ଜୟ ମୋଦି’ ବୋଲି ନାରା ଦିଏ ତାହାଲେ ତାଙ୍କୁ ଭାରତର ନାଗରିକତ୍ବ ପ୍ରଦାନ କରାଯିବା ସହ ପଦ୍ମଶ୍ରୀ ମଧ୍ୟ ମିଳିଯିବ ।
ସାମି ପାକିସ୍ଥାନର ଲାହୋରରେ ଜନ୍ମ ହୋଇଥିବାବେଳେ ୧୩ ମାର୍ଚ୍ଚ ୨୦୦୧ରେ ଗୋଟିଏ ବର୍ଷର ଭିଜିଟରସ୍ ଭିଜା ନେଇ ଭାରତ ଆସିଥିଲେ । ତାଙ୍କର ପାକିସ୍ଥାନୀ ପାସପୋର୍ଟର ଅବଧି ୨୬ ମେ ୨୦୧୫ରେ ସମାପ୍ତ ହେବା ପରେ ତାଙ୍କୁ ୨୦୧୬ ଜାନୁଆରୀ ୧ରେ ଭାରତୀୟ ନାଗରିକତ୍ବ ମିଳିଥିଲା । ସାମି କେନ୍ଦ୍ରସରକାରଙ୍କୁ ମାନବିକତା ଦୃଷ୍ଟିକୋଣରୁ ତାଙ୍କୁ ଭାରତୀୟ ନାଗରିକତ୍ବ ପ୍ରଦାନ କରିବା ପାଇଁ କହିଥିଲେ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।