News18 Odia Digital
ବେଙ୍ଗାଲୁରୁ: ବାସବରାଜ ବୋମାଇ (Basavaraj Bommai) କର୍ଣ୍ଣାଟକର ପରବର୍ତ୍ତୀ ମୁଖ୍ୟ ମନ୍ତ୍ରୀ ହେବେ । ଭାରତୀୟ ଜନତା ପାର୍ଟିର ବିଧାୟକ ଦଳର ବୈଠକ ପରେ ବିଜେପି କେନ୍ଦ୍ରୀୟ ନେତୃତ୍ୱର ପର୍ଯ୍ୟବେକ୍ଷକ ଭାବେ ଆସିଥିବା କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ (Dharmendra Pradhan) ମଙ୍ଗଳବାର ଦିନ ଏହି ଘୋଷଣା କରିଛନ୍ତି ।
ସୋମବାର ଦିନ କର୍ଣ୍ଣାଟକର ମୁଖ୍ୟ ମନ୍ତ୍ରୀ ପଦରୁ ବି.ଏସ୍. ୟେଦ୍ୟୁରପ୍ପା (BS Yediyurappa) ଇସ୍ତଫା ଦେବା ପରେ ରାଜ୍ୟର ନୂଆ ମୁଖ୍ୟ ମନ୍ତ୍ରୀ ଚୟନ ପ୍ରକ୍ରିୟା ଉପରେ ଆଲୋଚନା ପାଇଁ ବିଧାୟକ ଦଳର ଏକ ବୈଠକ ଡକାଯାଇଥିଲା । ଏହି ବୈଠକରେ ବିଜେପି କେନ୍ଦ୍ରୀୟ ନେତୃତ୍ୱର ପର୍ଯ୍ୟବେକ୍ଷକ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜି. କିଶନ ରେଡ୍ଡୀ ଯୋଗ ଦେଇଥିଲେ।
ଏହା ବି ପଢ଼ନ୍ତୁ | ଓଡ଼ିଶାରେ ଆତଙ୍କ ଖେଳାଇଲା ଡେଙ୍ଗୁ; ଭୁବନେଶ୍ୱରରେ ୧୫-ବର୍ଷୀୟା ବାଳିକାର ମୃତ୍ୟୁ ହେଲାବାସବରାଜ ପୂର୍ବରୁ ୟେଦ୍ୟୁରୁପ୍ପାଙ୍କ କ୍ୟାବିନେଟରେ ଗୃହ ମନ୍ତ୍ରୀ ତଥା ଆଇନ ମନ୍ତ୍ରୀ ଦାୟିତ୍ୱ ତୁଲାଇଥିଲେ। ବାସଭାରାଜ ବୋମାଇଙ୍କ ପିତା ଏସ.ଆର୍. ବୋମାଇ ଜଣେ କେନ୍ଦ୍ର ମନ୍ତ୍ରୀ ଥିଲେ ଓ କର୍ଣ୍ଣାଟକର ମୁଖ୍ୟ ମନ୍ତ୍ରୀ ବି ଥିଲେ । ଲିଙ୍ଗାୟତ ସମ୍ପ୍ରଦାୟରୁ ଆସୁଥିବା ବାସବରାଜ ବୋମାଇ ରାଜ୍ୟର ବିଜେପି ସରକାରରେ ଦୁଇ ନମ୍ବର ନେତା ଭାବରେ ବିବେଚିତ ହେଉଥିଲେ । ବି.ଏସ୍. ୟେଦ୍ୟୁରପ୍ପାଙ୍କ ନିକଟତର ରହିଥିବା ବୋମାଇ 'ଜନତା ପାରିବାର'ର ଅଙ୍ଗ ରହିଛନ୍ତି । ସେ ୨୦୦୮ରେ ବିଜେପିରେ ଯୋଗ ଦେଇଥିଲେ ।

ପୂର୍ବ ମୁଖ୍ୟ ମନ୍ତ୍ରୀ ବି.ଏସ୍. ୟେଦ୍ୟୁରପ୍ପା
ୟେଦ୍ୟୁରପ୍ପା ନିଜ କାର୍ଯ୍ୟକାଳର ଦୁଇ ବର୍ଷ ପୂରଣ ହେବା ପରେ ସୋମବାର ଦିନ ମୁଖ୍ୟ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ୭୮ ବର୍ଷୀୟ ୟେଦ୍ୟୁରପ୍ପା ଜୁଲାଇ ୨୬ ତାରିଖରେ ରାଜ ଭବନରେ ପହଞ୍ଚି ରାଜ୍ୟପାଳ ଗେହଲୋତଙ୍କ ନିକଟରେ ଇସ୍ତଫା ଦେଇଥିଲେ । ତା’ ପରେ ସେ କହିଥିଲେ ଯେ ତାଙ୍କ ଇସ୍ତଫା ପତ୍ର ଗ୍ରହଣ କରାଯାଇଛି ଓ ସେ 'ସ୍ୱେଚ୍ଛାକୃତ ଭାବେ' ଇସ୍ତଫା ଦେଇଛନ୍ତି । ଦକ୍ଷିଣ ଭାରତରେ ପ୍ରଥମ ବିଜେପି ସରକାର ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ୟେଦ୍ୟୁରପ୍ପା ଚାରି ଥର ରାଜ୍ୟର ନେତୃତ୍ୱ ନେଇଥିଲେ ।
ବାସବରାଜ ବୋମାଇ ସାଦରା ଲିଙ୍ଗାୟତ (Sadara Lingayat) ସମ୍ପ୍ରଦାୟର ବ୍ୟକ୍ତି । ସେ ବି.ଏସ୍. ୟେଦ୍ୟୁରପ୍ପାଙ୍କର ଜଣେ ଘନିଷ୍ଠ ଓ ବିଶ୍ୱସ୍ତ ସହଯୋଗୀ ରହିଆସିଛନ୍ତି । ସେ ବୃତ୍ତିରେ ଜଣେ ଇଞ୍ଜିନିୟର ଓ ଟାଟା ଗୃପ୍ ସହିତ ନିଜର କରିଅର୍ ଆରମ୍ଭ କରିଥିଲେ ।
ଏହା ବି ପଢ଼ନ୍ତୁ | ACF ସୌମ୍ୟ ମୃତ୍ୟୁ: ସ୍ତ୍ରୀ ବିଦ୍ୟାଙ୍କ ଆଉ ଏକ ହାତଲେଖା ମିଳିଲା; ଜନୈକ ‘ଅକ୍ଷୟ’ଙ୍କ ନାଁକୁ ନେଇ ଚର୍ଚ୍ଚାବାସବରାଜ ବୋମାଇ ହାଭେରୀ ଜିଲ୍ଲାର ଶିଗ୍ଗାଓଁରୁ ତିନି ଥର ବିଧାୟକ ରହିଛନ୍ତି ଓ ଦୁଇ ଥର ବିଧାନ ପରିଷଦର ସଦସ୍ୟ ରହିଛନ୍ତି । ବିଦାୟୀ ମୁଖ୍ୟ ମନ୍ତ୍ରୀ ବି.ଏସ୍. ୟେଦ୍ୟୁରପ୍ପା ଭେରାଶାଇଭା-ଲିଙ୍ଗାୟତ (Veerashaiva-Lingayat) ସମ୍ପ୍ରଦାୟର ବ୍ୟକ୍ତି । ଲିଙ୍ଗାୟତ ସମ୍ପ୍ରଦାୟ କର୍ଣ୍ଣାଟକରେ ବିଜେପିର ସମର୍ଥନର ଆଧାର ଭାବରେ ପରିଗଣିତ । ଏହା ରାଜ୍ୟ ରାଜନୀତିରେ ପ୍ରଭାବ ପକାଇ ଆସୁଛି । ଗଲା ୬୮ ବର୍ଷରେ କର୍ଣ୍ଣାଟକରେ ଯେଉଣ ୨୦ ଜଣ ମୁଖ୍ୟ ମନ୍ତ୍ରୀ ହୋଇଛନ୍ତି ସେମାନଙ୍କ ମଧ୍ୟରୁ ଆଠ ଜଣ ଏହି ଲିଙ୍ଗାୟତ ସମ୍ପ୍ରଦାୟର ।
ରାଜନୈତିକ ରୂପେ ପ୍ରଭାବଶାଳୀ ଲିଙ୍ଗାୟତ ସମ୍ପ୍ରଦାୟ କର୍ଣ୍ଣାଟକର ୨୨୪ଟି ବିଧାନ ସଭା ନିର୍ବାଚନ ମଣ୍ଡଳୀ ମଧ୍ୟରୁ ପ୍ରାୟ ୧୪୦ଟିରେ ଭଲ ସଂଖ୍ୟାରେ ଅଛି । ଏହା ପ୍ରାୟ ୯୦ଟି ଆସନରେ ନିର୍ଣ୍ଣାୟକ ଭୂମିକା ନିର୍ବାହ କରେ । ବର୍ତ୍ତମାନ ଏହି ସମ୍ପ୍ରଦାୟ କର୍ଣ୍ଣାଟକର ଜନସଂଖ୍ୟାର ପ୍ରାୟ ୧୭ ପ୍ରତିଶତ । ଲିଙ୍ଗାୟତ ସମ୍ପ୍ରଦାୟକୁ କୌଣସି ରାଜନୈତିକ ଦଳ ନାରାଜ କରିବାକୁ ସାହସ କରନ୍ତି ନାହିଁ ବୋଲି କୁହାଯାଏ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।