ଏଟିଏମରୁ ବାହାରିଲା ୨ଶହ ଟଙ୍କିଆ ଜାଲ ନୋଟ; ଉପରେ ଲେଖାଥିଲା 'Full of Fun'
- News18 Odia
- Last Updated :
- Uttar Pradesh, India
News 18 Odia Digital
ନୂଆଦିଲ୍ଲୀ; ଉତ୍ତରପ୍ରଦେଶର ଆମେଠୀରେ ଯେତେବେଳେ ଜଣେ ଯୁବକ ଏଟିଏମରୁ ୫ହଜାର ଟଙ୍କା ଉଠାଇଥିଲେ, ସେତେବେଳେ ୨ଶହ ଟଙ୍କିଆ ନୋଟ୍ ଜାଲ୍ ବାହାରିଥିଲା । ଯାହା ଉପରେ 'ଫୁଲ୍ ଅଫ ଫନ୍' ଲେଖାଯାଇଥିଲା । ଯୁବକ ଜଣକ ତୁରନ୍ତ ପୋଲିସକୁ ଏହା ଜଣାଇଥିଲେ । ଦୁଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରି ଚାଲିଗଲେ । ପୀଡିତ କୌଣସି ଲିଖିତ ଅଭିଯୋଗ ଦାଖଲ କରିନାହାଁନ୍ତି । ଏଟିଏମରୁ ଜାଲ ନୋଟ ବାହାରିବା ଖବର ସ୍ଥାନୀୟ ଅଞ୍ଚଳରେ ନିଆଁ ପରି ବ୍ୟାପି ଯାଇଥିଲା ଏବଂ ଏଟିଏମ ନିକଟରେ ଜନସମାଗମ ହୋଇଥିଲା । କ୍ରୋଧିତ ଲୋକମାନେ ବ୍ୟାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।
ଏହି ଘଟଣା ଆମେଠୀରେ ମୁନ୍ସିଗଞ୍ଜ ରୋଡର ପରିବା ମଣ୍ଡି ନିକଟରେ ଅବସ୍ଥିତ ଏକ ବ୍ୟାଙ୍କ ଏଟିଏମର ଅଟେ । ଗତ ସୋମବାର ଯୁବକ ଜଣଙ୍କ ଟଙ୍କା ଉଠାଇବାକୁ ଯାଇଥିଲେ, ହେଲେ ଅସଲି ବଦଳରେ ୨୦୦ ଟଙ୍କିଆ ନକଲି ନୋଟ୍ ବାହାରିଥିଲା । ଏହା ପରେ ସେଠାରେ ଏକ ଉତ୍ତେଜନା ଦେଖାଦେଇଥିଲା ଏବଂ ଭିଡ଼ ଜମା ହୋଇଥିବା ଦେଖିବାକୁ ମିଳିଥିଲା । ଘଟଣା ଘଟିବା ସମୟରେ ଏଟିଏମରେ କୌଣସି ରକ୍ଷୀ ଉପସ୍ଥିତ ନଥିଲେ । ଏଟିଏମ୍ ମେସିନରୁ ନକଲି ନୋଟ୍ ବାହାରିବା ପରେ କିଛି ଲୋକ ସୋସିଆଲ ମିଡିଆରେ ଫଟୋ ଏବଂ ଭିଡିଓ ଭାଇରାଲ କରି ବ୍ୟାଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଥିଲେ ।
ପୀଡିତ ଯୁବକ କିଶାନ ବିଶ୍ୱକର୍ମା କହିଛନ୍ତି ଯେ ସେ ଇଣ୍ଡିଆ 1 ଏଟିଏମରୁ ପାଞ୍ଚ ହଜାର ଟଙ୍କା ଉଠାଇ ଥିଲେ। କିନ୍ତୁ ଏଥିରୁ ଦୁଇ ଶହ ଟଙ୍କାର ଏକ ନକଲି ନୋଟ୍ ବାହାରିଥିଲା । ଏହା ଉପରେ ପୋଲିସ ଅଧୀକ୍ଷକ ଇଲାମାରନ୍ କହିଛନ୍ତି, ନକଲି ନୋଟ୍ ବାହାରିବା ସମ୍ବନ୍ଧୀୟ ତଥ୍ୟ ତାଙ୍କ ନଜରକୁ ଆସିଛି । କିନ୍ତୁ ଏହି ମାମଲା ବ୍ୟାଙ୍କ ସହିତ ଜଡିତ, ତେଣୁ ବ୍ୟାଙ୍କ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ । ଯଦି ପୋଲିସ ନିକଟରେ କୌଣସି ଅଭିଯୋଗ ଆସେ ତେବେ ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।