ଟ୍ରେନରେ ଭଗବାନ ଶିବଙ୍କ ପାଇଁ ‘ରିଜର୍ଭ’ ସିଟକୁ ବିରୋଧ କଲେ ଓୱାଇସି, ସମ୍ବିଧାନ ଦେଖେଇଲେ

କାଶୀ ମହାକାଳ ଏକ୍ସପ୍ରେସରେ ଭଗବାନ ଶିବଙ୍କ ପାଇଁ ସିଟ ‘ଆରକ୍ଷଣ’କୁ ନେଇ ଓୱାଇସି ଟ୍ବିଟ୍ କରିଛନ୍ତି । ସେଥିରେ ସମ୍ବିଧାନର ମୁଖବନ୍ଧର ଫଟୋ ଲଗେଇ ପ୍ରଧାନ ମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଟ୍ୟାଗ କରିଛନ୍ତି ।

ଟ୍ରେନରେ ଭଗବାନ ଶିବଙ୍କ ପାଇଁ ‘ରିଜର୍ଭ’ ସିଟକୁ ବିରୋଧ କଲେ ଓୱାଇସି, ସମ୍ବିଧାନ ଦେଖେଇଲେ
ଅଶାଦୁଦ୍ଦିନ ଓୱାଇସି ଓ (ଡାହାଣ) ନରେନ୍ଦ୍ର ମୋଦି
  • News18 Odia
  • Last Updated: February 17, 2020, 9:05 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: କାଶୀ ମହାକାଳ ଏକ୍ସପ୍ରେସ ଟ୍ରେନରେ ଏକ ସିଟ୍‌ ଭଗବାନ ଶିବଙ୍କ ପାଇଁ ରିଜର୍ଭ କରି ସେଥିରେ ଏକ ଛୋଟ ମନ୍ଦିର ସ୍ଥାପନ କରିବା ଘଟଣାକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି । ଭଗବାନ ଶିବଙ୍କ ପାଇଁ ଟ୍ରେନରେ ସ୍ଥାନ ଆବଣ୍ଟନ କରିବାର ପଦକ୍ଷେପ ଉପରେ ପ୍ରଶ୍ନ ଉଠାଇଛନ୍ତି ଏ.ଆଇ.ଏମ୍‌.ଏଇ.ଏମ୍‌. (AIMIM) ର ଅଧ୍ୟକ୍ଷ ତଥା ସାଂସଦ ଅଶାଦୁଦ୍ଦିନ ଓୱାଇସି । ସେ ବିଷୟରେ ଉଦବେଗ ପ୍ରକାଶ କରି ସେ ଆଜି ସମ୍ବିଧାନର ପ୍ରିଆମ୍ବଲ (ମୁଖବନ୍ଧ)ର ଏକ ଫଟୋ ଟ୍ୱିଟ୍‌ କରିଛନ୍ତି ଓ ସେଥିରେ ପ୍ରଧାନ ମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଟ୍ୟାଗ କରିଛନ୍ତି ।

କାଶୀ ମହାକାଳ ଏକ୍ସପ୍ରେସକୁ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଶୁଭ ଉଦଘାଟନ କରିଥିଲେ । ସେଥିରେ ରେଳବାଇ ପକ୍ଷରୁ ଗୋଟିଏ ସିଟ୍‌ ଭଗବାନ ଶିବଙ୍କ ପାଇଁ ଆରକ୍ଷିତ କରାଯାଇଥିଲା । ଉତ୍ତର ରେଲୱେର ପ୍ରବକ୍ତା ଦୀପକ କୁମାର ରବିବାର କହିଥିଲେ ଯେ ବି୫ କୋଚ଼ର ସିଟ ନମ୍ବର ୬୪ ଦେବତାଙ୍କ ପାଇଁ ଖାଲି ଛଡ଼ାଯାଇଛି ।

‘‘ଏମିତି ପ୍ରଥମ ଥର ହୋଇଛି । ଭଗବାନ ଶିବଙ୍କ ପାଇଁ ଗୋଟେ ସିଟ୍‌ ଆରକ୍ଷିତ କରି ତାହା ଖାଲି ଛାଡ଼ି ଦିଆଯାଇଛି । ସେହି ସିଟରେ ଏକ ମନ୍ଦିର ବି ଲଗାଯାଇଛି, ଯାହା ଦ୍ୱାରା ଲୋକମାନଙ୍କୁ ଜଣା ପଡ଼ିବ ଯେ ମଧ୍ୟ ପ୍ରଦେଶର ଉଜ୍ଜୈନରେ ଥିବା ଭଗବାନ ମହାକାଳଙ୍କ ପାଇଁ ସେହି ସିଟ୍‌ ଆରକ୍ଷିତ ହୋଇଛି,’’ କହିଥିଲେ ଦୀପକ କୁମାର ।

ଆଇ.ଆର୍‌.ସି.ଟି.ସି. (IRCTC) କର୍ତ୍ତୃପକ୍ଷ ଆଜି (ସୋମବାର) ସ୍ପଷ୍ଟ କରିଛନ୍ତି ଯେ ଏହି ଟ୍ରେନ ୨୦ ତାରିଖରୁ ଚ଼ାଲିବା ଆରମ୍ଭ କଲେ ସେଥିରେ ଏମିତି କୈଣସି ଆରକ୍ଷିତ ସିଟ୍‌ ରହିବ ନାହିଁ ।

ଟ୍ରେନ୍‌ରେ ‘‘ଆରକ୍ଷିତ’’ ସିଟ୍‌ ପାଖରେ ହୋଇଥିବା ପୂଜା ସ୍ଥଳ


କାଶୀ ମହାକାଳ ଏକ୍ସପ୍ରେସ ଟ୍ରେନ୍‌ ଭାରତର ତିନି ଜ୍ୟୋତିର୍ଲିଙ୍ଗ ସ୍ଥାନ – ଇନ୍ଦୋର ପାଖରେ ଥିବା ଓଙ୍କାରେଶ୍ବର, ଉଜ୍ଜୈନର ମହାକାଳେଶ୍ବର ଓ କାଶୀ ବିଶ୍ବନାଥ – କୁ ଯୋଡ଼ୁଛି । ରେଲୱେ କର୍ତ୍ତୃପକ୍ଷ ରବିବାର କହିଥିଲେ ଯେ ଭୋଲେ ବାବାଙ୍କ ପାଇଁ ଟ୍ରେନରେ ସେହି ସିଟକୁ ସ୍ଥାୟୀ ରୂପେ ଆରକ୍ଷିତ ରଖିବା ଓ ସେଠି ଶୁଭ ଦିନ ଅବସରରେ ପ୍ରାର୍ଥନା କାର୍ଯ୍ୟକ୍ରମ ଆୟୋଜନ କରିବା ବାବଦରେ ବିଚାର କରାଯାଉଛି ।

ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ବାରାଣସୀ ଜଙ୍କସନରୁ ୧୬ ଫେବୃଆରୀ ଦିନ କାଶୀ ମହାକାଳ ଏକ୍ସପ୍ରେସ ଟ୍ରେନକୁ ଉଦଘାଟନ କରିଥିଲେ । ଏହି ଟ୍ରେନ୍‌ ଫେବୃଆରୀ ୨୦ରୁ ନିୟମିତ ଭାବେ ଚ଼ାଲିବ । ଏହା ଉତ୍ତର ପ୍ରଦେଶର ବାରାଣସୀରୁ ମଧ୍ୟ ପ୍ରଦେଶର ଇନ୍ଦୋର ପର୍ଯ୍ୟନ୍ତ ଚ଼ାଲିବ । ଏହି ଟ୍ରେନ ହେଉଛି ଆଇ.ଆର୍‌.ସି.ଟି.ସି. (IRCTC) ଦ୍ୱାରା ପରିଚ଼ାଳିତ ତୃତୀୟ କର୍ପୋରେଟ୍‌ ଟ୍ରେନ୍‌ ।

ଟ୍ରେନଟି ଲକ୍ଷ୍ନୌ ଦେଇ ବାରାଣସୀ ଓ ଇନ୍ଦୋର ମଧ୍ୟରେ ଥିବା ୧,୧୩୧ କିମି ଦୂରତା ଓ ପ୍ରୟାଗରାଜ (ଆଲାହାବାଦ) ଦେଇ ବାରାଣସୀ ଓ ଇନ୍ଦୋର ମଧ୍ୟରେ ୧,୧୦୨ କିମି ଦୂରତାକୁ ପାଖାପାଖି ୧୯ ଘଣ୍ଟାରେ ଅତିକ୍ରମ କରିବ ।

କେବଳ ୩-ଏସି କୋଚ ଥିବା ଏହି ଟ୍ରେନରେ ହାଲୁକା ଭକ୍ତି ସଂଗୀତ ବାଜୁଥିବ ଓ ଏହାର ପ୍ରତି କୋଚ଼ରେ ଦୁଇ ଜଣ ସୁରକ୍ଷା ଗାର୍ଡ଼ ରହିବେ । ବାରାଣସୀ ଓ ଇନ୍ଦୋର ମଧ୍ୟରେ ସପ୍ତାହରେ ତିନି ଥର ଚ଼ାଲିବାକୁ ଥିବା ଏହି ଟ୍ରେନରେ ସମ୍ପୂର୍ଣ୍ଣ ନିରାମିଶ ଭୋଭନ ମିଳିବ ।
First published: February 17, 2020, 9:05 PM IST