News18 Odia Digital
ଇଟାନଗର: ଅରୁଣାଚଳ ପ୍ରଦେଶର ସିଆଙ୍ଗ ଜିଲ୍ଲାର ଏକ ଗାଁରେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଶୁକ୍ରବାର ଦିନ ଏହି ବଡ ଦୁର୍ଘଟଣା ଘଟିଛି। ଅରୁଣାଚଳ ପ୍ରଦେଶର ସିଆଙ୍ଗ ଜିଲ୍ଲାର ସିଙ୍ଗିଙ୍ଗ ଗ୍ରାମ ନିକଟରେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି।
ସିଆଙ୍ଗ ତୁତିଙ୍ଗ ମୁଖ୍ୟାଳୟ ଠାରୁ ୨୫ କିଲୋମିଟର ଦୂରରେ। ସୂଚନାନୁସାରେ, ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟରଟି ହେଉଛି ସେନା ହେଲିକପ୍ଟର ରୁଦ୍ର, ଏହାକୁ ଭାରତୀୟ ସେନା ପାଇଁ ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ୍ ପ୍ରସ୍ତୁତ କରିଛି। ଏହା ହାଲୁକା ଧ୍ରୁବ ହେଲିକପ୍ଟରର ଏକ ଅସ୍ତ୍ର ସିଷ୍ଟମ ଇଣ୍ଟିଗ୍ରେଟେଡ୍ ସଂସ୍କରଣ।ଏନେଇ କେନ୍ଦ୍ର ଆଇନ ମନ୍ତ୍ରୀ କିରେନ୍ ରିଜିଜୁ ଟ୍ୱିଟ କରିଛନ୍ତି । ସେ ଲେଖିଛନ୍ତି ଅରୁଣାଚଳ ପ୍ରଦେଶର ଉପର ସିଆଙ୍ଗ୍ ଜିଲ୍ଲାରେ ଭାରତୀୟ ସେନାର ‘ଆଡ୍ଭାନ୍ସ୍ଡ୍ ଲାଇଟ୍ ହେଲିକପ୍ଟର୍’ ଦୁର୍ଘଟଣାଗ୍ରସ୍ତ ବିଷୟରେ ଖୁବ୍ ବିଚଳିତକାରୀ ଖବର ପାଇଛି। ଈଶ୍ବରଙ୍କ ନିକଟରେ ମୋର ଆନ୍ତରିକ ପ୍ରାର୍ଥନା।
ଉପର ସିଆଙ୍ଗ୍ ଜିଲ୍ଲାସ୍ଥିତ ତୁତିଙ୍ଗ୍ ମୁଖ୍ୟାଳୟଠାରୁ ୨୫ କିଲୋମିଟର୍ ଦୂରବର୍ତ୍ତୀ ସିନ୍ଗିଙ୍ଗ୍ ଗାଁ ନିକଟରେ ଘଟିଥିବା ଉକ୍ତ ଦୁର୍ଘଟଣାସ୍ଥଳରେ ପହଞ୍ଚିବା ପାଇଁ ସଡ଼କ ପଥ ନାହିଁ ବୋଲି ଉପର ସିଆଙ୍ଗ୍ର ବରିଷ୍ଠ ପୁଲିସ ଅଧିକାରୀ ଜୁମ୍ମାର୍ ବସର୍ ଗଣମାଧ୍ୟମକୁ କହିଛନ୍ତି।
ଘଟଣାସ୍ଥଳକୁ ଉଦ୍ଧାରକାରୀ ଦଳ ପଠାଯିବା ପରେ ଖୋଜାଖୋଜି ଆରମ୍ଭ ହୋଇଛି। ଗୋଟିଏ ଝୁଲାପୋଲ ବ୍ୟତୀତ ଗାଁକୁ ଯାନବାହନ ଯିବା ଭଳି ବାଟ ନ ଥିବାରୁ ଦୁର୍ଘଟଣାସ୍ଥଳକୁ ଦୁଇଟି ହେଲିକପ୍ଟର୍ ପଠାଯାଇଛି। ସ୍ଥାନୀୟ ଗ୍ରାମବାସୀ ମଧ୍ୟ ତଲାସ ଅଭିଯାନରେ ଲାଗିଛନ୍ତି।
ଏହାପୂର୍ବରୁ ଅକ୍ଟୋବର ୫ ରେ ଅରୁଣାଚଳ ପ୍ରଦେଶର ତାୱାଙ୍ଗ ଅଞ୍ଚଳ ନିକଟରେ ଚିତା ହେଲିକପ୍ଟର ଦୁର୍ଘଟଣାରେ ଜଣେ ଭାରତୀୟ ସେନା ପାଇଲଟଙ୍କ ମୃତ୍ୟୁ ଘଟିଥିଲା। ତାୱାଙ୍ଗ ନିକଟ ଉପରେ ଉଡ଼ୁଥିବା ହେଲିକପ୍ଟର ଚିତା ସକାଳ ପ୍ରାୟ ୧୦:୧୦ ସମୟରେ ନିୟମିତ ବିମାନ ଉଡ଼ାଣ ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଉଭୟ ପାଇଲଟଙ୍କୁ ନିକଟ ସାମରିକ ଡାକ୍ତରଖାନା ନିଆଯାଇଥିଲା ବୋଲି ଜଣେ ସାମରିକ ଅଧିକାରୀ ସୂଚନା ଦେଇଥିଲେ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।