News18 Odia Digital
ନୂଆ ଦିଲ୍ଲୀ: ଅମୁଲ ଓ ମଦର ଡାଏରୀ କ୍ଷୀର ଲିଟର ପିଛା ୨ ଟଙ୍କା ଲେଖାଏଁ ବୃଦ୍ଧି କରିଛି। ଆସନ୍ତାକାଲି ଅର୍ଥାତ୍ ଅଗଷ୍ଟ ୧୭ରୁ ଏହି ନୂଆ ହାର ଲାଗୁ ହେବ। ମାର୍ଚ୍ଚ ପୂର୍ବରୁ ଏହାର ମୂଲ୍ୟ ବୃଦ୍ଧି କରାଯାଇଥିଲା। ସେହିପରି ଗତ ମାସରେ କ୍ଷୀର ଜାତୀୟ ସାମଗ୍ରୀ ଉପରେ ସରକାର ଜିଏସଟି ଲଗାଇବା ପରେ ଏହାର ପ୍ରଭାବ ଏବେ ଖାଉଟିଙ୍କ ଉପରେ ପଡ଼ିବାକୁ ଯାଉଛି।
ପୂର୍ବରୁ ୫୦୦ ମିଲି ଲିଟର ଅମୁଲ ଗୋଲ୍ଡର ମୂଲ୍ୟ ୩୦ ଟଙ୍କା ରହିଥିବା ବେଳେ ଏବେ ଏହା ୩୧ ଟଙ୍କାରେ ମିଳିବ। ସେହିପରି ୫୦୦ ମିଲି ଲିଟର ଅମୁଲ ତାଜା ପ୍ୟାକେଟ ଏବେ ୨୫ ଟଙ୍କାରେ ମିଳିବ। ପୂର୍ବରୁ ଏହାର ମୂଲ୍ୟ ୨୪ ଟଙ୍କା ଥିଲା। ୫୦୦ ମିଲି ଲିଟର ଅମୁଲ ଶକ୍ତିର ପ୍ୟାକେଟ ଏବେ ୨୮ ଟଙ୍କାରେ ବିକ୍ରି ହେବ। ପୂର୍ବରୁ ଏହାର ମୂଲ୍ୟ ୨୫ ଟଙ୍କା ଥିଲା। ଏନେଇ ଅମୁଲ କମ୍ପାନୀ ପକ୍ଷରୁ ମଧ୍ୟ ଘୋଷଣା କରାଯାଇଛି।
ମୂଲ୍ୟ ବୃଦ୍ଧିକୁ ଅପରେସନ ମୂଲ୍ୟ ଓ ଦୁଗ୍ଧ ଉତ୍ପାଦନ ମୂଲ୍ୟରେ ବୃଦ୍ଧି ବୋଲି ଅମୁଲ ଦର୍ଶାଇଛି। ଗତ ବର୍ଷ ତୁଳନାରେ ପଶୁ ଫିଡର ମୂଲ୍ୟ ପ୍ରାୟ ୨୦% ବୃଦ୍ଧି ପାଇଛି। ଇନପୁଟ୍ ମୂଲ୍ୟ ଓ ପଶୁ ଫିଡ୍ ବୃଦ୍ଧିକୁ ଦୃଷ୍ଟିରେ ରଖି ଅମୁଲ ଫେଡେରେସନ୍ ସହିତ ଜଡିତ ଦୁଗ୍ଧ ସଙ୍ଘ ମଧ୍ୟ ଗତ ବର୍ଷ ତୁଳନାରେ କୃଷକଙ୍କ ଦୁଗ୍ଧ କ୍ରୟ ମୂଲ୍ୟ ୮-୯% ବୃଦ୍ଧି କରିଛନ୍ତି।
ଏହାର ନୀତି ଅନୁଯାୟୀ, ଅମୁଲ ଗ୍ରାହକଙ୍କଠାରୁ ଗ୍ରହଣ କରୁଥିବା ପ୍ରତ୍ୟେକ ଏକ ଟଙ୍କା ମଧ୍ୟରୁ ଦୁଗ୍ଧ ଉତ୍ପାଦକମାନଙ୍କୁ ୮୦ ପଇସା ପ୍ରଦାନ କରେ। ମୂଲ୍ୟର ଉନ୍ନତି ଦୁଗ୍ଧ ଉତ୍ପାଦନକାରୀଙ୍କୁ ସାହାଯ୍ୟ କରିବ ଓ ସେମାନଙ୍କୁ ଅଧିକ କ୍ଷୀର ଉତ୍ପାଦନ କରିବାକୁ ଉତ୍ସାହିତ କରିବ। ଏହି ବୃଦ୍ଧି ସହିତ ମାର୍ଚ୍ଚ ଠାରୁ କ୍ଷୀରର ମୂଲ୍ୟ ଲିଟର ପିଛା ୪ ଟଙ୍କା ବୃଦ୍ଧି ପାଇଛି।
ମଦର ଡାଏରୀ ବୁଧବାର ଠାରୁ ପୁରା କ୍ରିମ୍ କ୍ଷୀରର ମୂଲ୍ୟ ଲିଟର ପିଛା ୬୧ ଟଙ୍କାରେ ବିକ୍ରି ହେବ। ପୂର୍ବରୁ ଏହା ୫୯ ଟଙ୍କାରେ ମିଳୁଥିଲା। ଟୋନଡ୍ କ୍ଷୀରର ମୂଲ୍ୟ ୫୧ ଟଙ୍କା ଓ ଡବଲ୍ ଟୋନଡ କ୍ଷୀରର ମୂଲ୍ୟ ଲିଟର ପିଛା ୪୫ ଟଙ୍କାକୁ ବୃଦ୍ଧି ପାଇଛି। ଗାଈ କ୍ଷୀରର ମୂଲ୍ୟ ଲିଟର ପିଛା ୫୩ ଟଙ୍କା କରାଯାଇଛି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।