News18 Odia Digital
କାବୁଲ: ଆଫଗାନିସ୍ତାନରେ ତାଲିବାନର ଆତଙ୍କ ବିରୋଧରେ ଆମେରିକା ପୁଣି ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛି। ଆମେରିକାର ପ୍ରତିରକ୍ଷା ବିଭାଗର ମୁଖ୍ୟାଳୟ ପେଣ୍ଟାଗନ୍ ଏହା ସୂଚିତ କରିଛି। ପିଟିଆଇ ନ୍ୟୁଜ୍ ଏଜେନ୍ସି ଅନୁଯାୟୀ ପେଣ୍ଟାଗନ୍ ସଚିବ ଜନ୍ କିର୍ବି କହିଛନ୍ତି ଯେ ଆଫଗାନିସ୍ତାନରେ ଡ୍ରୋନ୍ ଷ୍ଟ୍ରାଇକ୍ ଜାରି କରିବାକୁ ଆମେରିକାର ଅଧିକାର ଅଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଆତଙ୍କବାଦ ବିରୋଧରେ ଲଢ଼ିବା ଓ ଆମ ଦେଶକୁ ସୁରକ୍ଷିତ କରିବାର ଅଧିକାର ଆମର ଅଛି।
ଏହି ବିବୃତ୍ତି ପେଣ୍ଟାଗନ୍ ଦ୍ବାରା ଜାରି ଏମିତି ସମୟରେ ଜାରି କରାଯାଇଛି ଯେଉଁ ସମୟରେ ତାଲିବାନ ଆମେରିକାକୁ ଚେତାବନୀ ଦେଇଛି। ଆମେରିକାର କିଛି ଡ୍ରୋନ୍ ଆଫଗାନିସ୍ତାନ ଉପରେ ଉଡୁଥିବା ଦେଖିବାକୁ ମିଳିଛି । ଏହା ପରେ ତାଲିବାନ କହିଛି ଯେ ଆମେରିକା ଦୋହା ଚୁକ୍ତି ଭଙ୍ଗ କରୁଛି। ଏ ସମ୍ପର୍କରେ ଆମେରିକାକୁ ଏକ ଚେତାବନୀ ମଧ୍ୟ ଦିଆଯାଇଛି।
ପେଣ୍ଟାଗନ୍ ସଚିବ ଜନ୍ କିର୍ବି କହିଛନ୍ତି ଯେ ସମଗ୍ର ବିଶ୍ୱରେ ଆମେରିକାର ଲୋକଙ୍କୁ ସୁରକ୍ଷା ଦେବା ଆମର ଅଧିକାର ଓ ଏଥି ପାଇଁ କିଛି ବି କରିବୁ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଆମେ ମଧ୍ୟ ଏହା କରିବାକୁ ଯାଉଛୁ।
ଆମେରିକାର ପ୍ରତିରକ୍ଷା ବିଭାଗର ମୁଖ୍ୟାଳୟ ପାକିସ୍ତାନକୁ ନେଇ ଉଦ୍ବେଗ ପ୍ରକାଶ କରିଛି। ପେଣ୍ଟାଗନ୍ କହିଛି ଯେ ପାକିସ୍ତାନ ସହିତ ଆଫଗାନିସ୍ତାନ ସୀମା ଆତଙ୍କବାଦୀଙ୍କ ପାଇଁ ଏକ ସୁରକ୍ଷିତ ସ୍ଥାନ ଓ ଆମେରିକା ଏହାକୁ ନେଇ ଚିନ୍ତିତ। ଏହି ସମୟରେ ତାଲିବାନ ଆତଙ୍କବାଦୀଙ୍କୁ ନେଇ ଆମେରିକା ପାକିସ୍ତାନକୁ ମଧ୍ୟ ସମାଲୋଚନା କରିଛି।
ପେଣ୍ଟାଗନ୍ ଦାବି କରିଛି ଯେ ତାଲିବାନ ଆତଙ୍କବାଦୀକୁ ପାକିସ୍ତାନରେ ସୁରକ୍ଷିତ ଆଶ୍ରୟ ଦିଆଯାଇଛି ଓ ସେମାନଙ୍କୁ ମଧ୍ୟ ଚିକିତ୍ସା କରାଯାଇଥିଲା।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।