ଖୁବ୍ ଶୀଘ୍ର ଶେଷ ହୋଇପାରେ ପଞ୍ଜାବ କଂଗ୍ରେସର ବିବାଦ; ସିଦ୍ଧୁଙ୍କୁ ମିଳିପାରେ ପଞ୍ଜାବ କଂଗ୍ରେସର ଦାୟିତ୍ବ

ଗତ କିଛି ମାସ ହେବ ପଞ୍ଜାବ କଂଗ୍ରେସରେ ଖୋଲା ମତଭେଦ ଦେଖା ଦେଇଛି । ସିଦ୍ଧୁ ଓ ତାଙ୍କ ସମର୍ଥକ ନେତାମାନେ ଅମରିନ୍ଦରଙ୍କୁ ବିରୋଧ କରୁଛନ୍ତି । ୨୦୧୫ରେ ଧାର୍ମିକ ଗ୍ରନ୍ଥ ‘ବେଅଦବୀ’ ମାମଲା ଓ ପରେ ହୋଇଥିବା ପୋଲିସ ଗୁଳି ବିନିମୟରେ ସିଦ୍ଧୁ ଖୋଲାଖୋଲି ଭାବେ ଅମରିନ୍ଦରଙ୍କ ବିରୋଧରେ ମନ୍ତବ୍ୟ ଦେଇଥିଲେ ।

ଖୁବ୍ ଶୀଘ୍ର ଶେଷ ହୋଇପାରେ ପଞ୍ଜାବ କଂଗ୍ରେସର ବିବାଦ; ସିଦ୍ଧୁଙ୍କୁ ମିଳିପାରେ ପଞ୍ଜାବ କଂଗ୍ରେସର ଦାୟିତ୍ବ
ଅମରିନ୍ଦର ସିଂ ଓ (ଡାହାଣ) ନବଜୋତ ସିଂ ସିଦ୍ଧୁ (ଫାଇଲ୍‌ ଫଟୋ)
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ଦୀର୍ଘ ଦିନରୁ ପଞ୍ଜାବ କଂଗ୍ରେସରେ ଚାଲିଥିବା ବିବାଦ ଆଜି ଶେଷ ହେବାର ସମ୍ଭାବନା ରହିଛି  । ମୁଖ୍ୟ ମନ୍ତ୍ରୀ କ୍ୟାପେଟନ୍ ଅମରିନ୍ଦର ସିଂ ଓ ନବଜୋତ ସିଂ ସିଦ୍ଧୁଙ୍କ ମଧ୍ୟରେ ଚାଲିଥିବା କଳହକୁ ଶେଷ କରିବାକୁ ହାଇ କମାଣ୍ଡ ଏକ ଯୋଜନା କରିଛନ୍ତି । ଦଳର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କ ନିକଟ ସୂତ୍ରରୁ ଜଣା ପଡ଼ିଛି ଯେ ଶନିବାର ଏହି ବିବାଦ ଉପରେ ନିଷ୍ପତ୍ତି ନିଆଯିବ  ।

ନବଜୋତଙ୍କୁ ପ୍ରଦେଶ ଅଧ୍ୟକ୍ଷ ଭାବରେ ନିଯୁକ୍ତ କରିବା ସମ୍ପର୍କରେ ମୁଖ୍ୟ ମନ୍ତ୍ରୀ ଅମରିନ୍ଦରଙ୍କୁ ସୂଚନା ଦେଇଛନ୍ତି କଂଗ୍ରେସ ପଞ୍ଜାବ ପ୍ରଭାରୀ ହରିଶ ରାୱତ ଓ ଏହା ଦଳର ନିଷ୍ପତ୍ତି ବୋଲି ସେ କହିଛନ୍ତି । ସେ ସୋନିଆଙ୍କ ସହ କଥାବାର୍ତ୍ତା କରିବା ପରେ ଭେଣୁଗୋପାଳ ଏକ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ଅଧିକାରୀକ ଘୋଷଣା କରିବେ ।

୧୦ ଜନପଥରୁ ମିଳୁଥିବା ଖବର ଅନୁଯାୟୀ ପଞ୍ଜାବ କଂଗ୍ରେସର ବିବାଦ ଖୁବ୍ ଶୀଘ୍ର ଶେଷ ହେବାକୁ ଯାଉଛି  । ଶନିବାର ଏ ବିଷୟରେ ଏକ ନିଷ୍ପତ୍ତି ନିଆଯାଇ ପାରେ । ସୂଚନାନୁସାରେ, ସିଦ୍ଧୁଙ୍କୁ ପଞ୍ଜାବ କଂଗ୍ରେସର ଅଧ୍ୟକ୍ଷ କରାଯିବା ଓ ତାଙ୍କ ସହ ଚାରିଜଣ କାର୍ଯ୍ୟକାରୀ ଅଧ୍ୟକ୍ଷ ମଧ୍ୟ ନିଯୁକ୍ତ ହେବେ । ଏଥିମଧ୍ୟରେ କୁଲଜିତ୍ ନାଗର ଓ ଗିଲ୍ଜିୟାଙ୍କ ନାମ କାର୍ଯ୍ୟକାରୀ ଅଧ୍ୟକ୍ଷ ରୂପେ ସାମ୍ନାକୁ ଆସିଥିବା ବେଳେ ଆଉ ଦୁଇ ଜଣଙ୍କ ନାମ ଏଯାବତ୍ ସ୍ଥିର ହୋଇନାହିଁ।

ପୂର୍ବତନ ମନ୍ତ୍ରୀ ନବଜୋତଙ୍କୁ ପଞ୍ଜାବ କଂଗ୍ରେସର ଅଧ୍ୟକ୍ଷ କରାଯିବା ପ୍ରସଙ୍ଗକୁ ମୁଖ୍ୟ ମନ୍ତ୍ରୀ ଅମରିନ୍ଦର ସିଂ ଓ ତାଙ୍କ ସମର୍ଥକମାନେ ବିରୋଧ କରିଛନ୍ତି । ଏ ବାବଦରେ ଅମରିନ୍ଦର ଅନ୍ତରୀଣ ଅଧ୍ୟକ୍ଷ ସୋନିଆଙ୍କୁ ଚିଠି ଲେଖି କହିଛନ୍ତି ଯେ ସିଦ୍ଧୁଙ୍କୁ ପଞ୍ଜାବ କଂଗ୍ରେସ ଅଧ୍ୟକ୍ଷ କରା ଗଲେ ଆସନ୍ତା ବିଧାନସଭା ନିର୍ବାଚନରେ ଏହାର ପ୍ରଭାବ ପଡ଼ିପାରେ । ସେ ଏହି ଚିଠି ଏମିତି ସମୟରେ ଲେଖିଛନ୍ତି, ଯେବେ କଂଗ୍ରେସ ହାଇ କମାଣ୍ଡ ସିଦ୍ଧୁଙ୍କୁ ପ୍ରଦେଶର ଅଧ୍ୟକ୍ଷ ତଥା ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ ଭୂମିକା ଦେବାର ସମ୍ଭାବନା ଅଛି ।

ଗତ କିଛି ମାସ ହେବ ପଞ୍ଜାବ କଂଗ୍ରେସରେ ଖୋଲା ମତଭେଦ ଦେଖା ଦେଇଛି  । ସିଦ୍ଧୁ ଓ ତାଙ୍କ ସମର୍ଥକ ନେତାମାନେ ଅମରିନ୍ଦରଙ୍କୁ ବିରୋଧ କରୁଛନ୍ତି । ୨୦୧୫ରେ ଧାର୍ମିକ ଗ୍ରନ୍ଥ ‘ବେଅଦବୀ’ ମାମଲା ଓ ପରେ ହୋଇଥିବା ପୋଲିସ ଗୁଳି ବିନିମୟରେ ସିଦ୍ଧୁ ଖୋଲାଖୋଲି ଭାବେ ଅମରିନ୍ଦରଙ୍କ ବିରୋଧରେ ମନ୍ତବ୍ୟ ଦେଉଥିବା ବେଳେ ଯାଞ୍ଚରେ ବିଳମ୍ବ କରିବାରର ଅଭିଯୋଗ ମଧ୍ୟ କରିଆସୁଛନ୍ତି। ପଞ୍ଜାବ ଏବଂ ହରିୟାଣା ହାଇ କୋର୍ଟଙ୍କ ଦ୍ବାରା ୨୦୧୫ରେ ପୋଲିସ ଗୁଳି ବିନିମୟ ମାମଲାର ତଦନ୍ତ ବନ୍ଦ କରାଯିବା ପରଠୁ ସିଦ୍ଧୁ କ୍ୟାପେଟନ୍ ଅମରିନ୍ଦରଙ୍କ ବିରୋଧରେ ବାରମ୍ବାର ସ୍ବର ଉତ୍ତୋଳନ କରୁଛନ୍ତି  ।

ଦଳରେ ଥିବା ଅସନ୍ତୋଷର ସମାଧାନ ପାଇଁ ରାଜ୍ୟସଭା ସଦସ୍ୟ ତଥା ବିରୋଧୀ ଦଳର ନେତା ମଲ୍ଲିକାର୍ଜୁନ ଖଡ଼ଗେଙ୍କ ଅଧ୍ୟକ୍ଷତାରେ କଂଗ୍ରେସର ହାଇ କମାଣ୍ଡ ତିନିଜଣିଆ କମିଟି ଗଠନ କରିଥିଲେ। ଏହି କମିଟି ମୁଖ୍ୟ ମନ୍ତ୍ରୀଙ୍କ ସମେତ ପଞ୍ଜାବ କଂଗ୍ରେସର ୧୦୦ରୁ ଅଧିକ ନେତାଙ୍କ ମତାମତ ନେଇଥିଲେ ଏବଂ ପରେ ଏହାର ରିପୋର୍ଟ ହାଇ କାମାଣ୍ଡରେ ଦାଖଲ କରିଥିଲେ । ନିକଟରେ ସୋନିଆଙ୍କୁ ଅମରିନ୍ଦର ଭେଟିଥିବା ବେଳେ ରାହୁଲ ଗାନ୍ଧୀଙ୍କୁ ସାକ୍ଷାତ କରିଥିଲେ ସିଦ୍ଧୁ  ।
Published by: Lipina Das
First published: July 17, 2021, 7:54 PM IST