News18 Odia Digital
ଆହ୍ଲାବାଦ: ଆହ୍ଲାବାଦ ହାଇକୋର୍ଟ ଦମ୍ପତିଙ୍କ ବିଷୟରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଦେବା ସମୟରେ କହିଛନ୍ତି ଯେ ଦୁଇ ଜଣଙ୍କ ଜୀବନରେ ହସ୍ତକ୍ଷେପ କରିବାର ତୃତୀୟ ବ୍ୟକ୍ତିଙ୍କର କୌଣସି ଅଧିକାର ନାହିଁ। ଏକ ମାମଲାର ଶୁଣାଣି ବେଳେ କୋର୍ଟ ଏହି ନିଷ୍ପତ୍ତି ନେଇଛନ୍ତି।
କୋର୍ଟ ଆବେଦନକାରୀ ଯୁବକ ଓ ତାଙ୍କ ପତ୍ନୀଙ୍କୁ ଏକାଠି ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ହାଇକୋର୍ଟ କହିଛନ୍ତି ଯେ ଦୁଇଜଣ ସାବାଳକ ବ୍ୟକ୍ତିଗତ ଜୀବନରେ ହସ୍ତକ୍ଷେପ କରିବାର କାହାର ଅଧିକାର ନାହିଁ। ସନ୍ଦୀପ କୁମାର ଓ ଅନ୍ୟମାନଙ୍କ ହାବିସ୍ କର୍ପସ ଆବେଦନ ଉପରେ ହାଇକୋର୍ଟର ଏକକ ବେଞ୍ଚ ଏହି ନିର୍ଦ୍ଦେଶ ଦେଇଛନ୍ତି।
ବାସ୍ତବରେ ବାଗପତର ବାସିନ୍ଦା ସନ୍ଦୀପ କୁମାର ପତ୍ନୀଙ୍କୁ ତାଙ୍କ ବାପା ଘରେ ବନ୍ଦୀ କରି ରଖିଥିବା ଅଭିଯୋଗ କରିଥିଲେ। ପତ୍ନୀଙ୍କ ପରିବାର ସଦସ୍ୟ ଉକ୍ତ ଯୁବକଙ୍କ ବିରୋଧରେ ମାମଲା ଦାୟର କରିଥିଲେ। ଯୁବକ ତାଙ୍କ ଝିଅକୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଥିଲା। ଏହି ମାମଲାରେ କୋର୍ଟ ଉକ୍ତ ଝିଅକୁ ଡକାଇଥିଲେ। କୋର୍ଟରେ ହାଜର ହୋଇ ମହିଳା କହିଥିଲେ ଯେ ସେ ତାଙ୍କ ସ୍ୱାମୀଙ୍କ ସହ ରହିବାକୁ ଚାହୁଁଛନ୍ତି। ଯୁବତୀଙ୍କ ବିବୃତ୍ତି ପରେ କୋର୍ଟ ଆବେଦନକାରୀଙ୍କୁ ତାଙ୍କ ସହ ରହିବାକୁ ଅନୁମତି ଦେଇଛନ୍ତି। ଏହା ସହିତ ପରିବାର ସଦସ୍ୟ ଉଭୟଙ୍କ ଜୀବନରେ କୌଣସି ପ୍ରକାରର ହସ୍ତକ୍ଷେପକୁ ବାରଣ କରିଛନ୍ତି।
କୁହାଯାଉଛି ଯେ ଉଭୟ ଯୁବକ ଓ ଯୁବତୀ ପରସ୍ପରକୁ ଭଲ ପାଉଛନ୍ତି। ସେମାନେ ଉଭୟ ମଧ୍ୟ ବିବାହ କରିଛନ୍ତି। ପରିବାର ସେମାନଙ୍କୁ ଏକାଠି ରହିବାକୁ ଦେଉନାହାଁନ୍ତି। ଏ ସମ୍ପର୍କରେ ହାଇକୋର୍ଟରେ ଏକ ପିଟିସନ ଦାଖଲ କରାଯାଇଥିଲା। ଆବେଦନକାରୀ ଯୁବକ କହିଛନ୍ତି ଯେ ଉଭୟ ଝିଅ ଓ ପୁଅ ସାବାଳକ। ସେମାନେ ଦୁହେଁ ଏକାଠି ରହିବାକୁ ଚାହାଁନ୍ତି କିନ୍ତୁ ପରିବାର ଏହା କରିବାକୁ ଦେଉନାହାଁନ୍ତି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।