‘‘ଇନଶାଲ୍ଲା, ଏଠିକି ଶୀଘ୍ର ଶାନ୍ତି ଫେରିଆସିବ’’: ଦିଲ୍ଲୀର ଦଙ୍ଗାଗ୍ରସ୍ତ ଅଞ୍ଚଳ ଦେଖିବା ପରେ କହିଛନ୍ତି ଅଜିତ ଡୋଭାଲ

‘‘ମୁଁ ତମକୁ କଥା ଦେଉଛି ଯେ ସବୁ କିଛି ଠିକ୍ ହୋଇଯିବ,’’ ଦିଲ୍ଲୀରେ ସ୍ଥିତି ‘‘ଅସମ୍ଭାଳ’’ ଥିବାରୁ କ୍ଲାସ୍ କରିବା ପାଇଁ ବାହାରକୁ ଯିବାରେ ଅସମର୍ଥ ହୋଇଥିବା ଜଣେ ଛାତ୍ରୀଙ୍କୁ କହିଛନ୍ତି ରାଷ୍ଟ୍ରୀୟ ସୁରକ୍ଷା ଉପଦେଷ୍ଟା (NSA) ଅଜିତ ଡୋଭାଲ ।

‘‘ଇନଶାଲ୍ଲା, ଏଠିକି ଶୀଘ୍ର ଶାନ୍ତି ଫେରିଆସିବ’’: ଦିଲ୍ଲୀର ଦଙ୍ଗାଗ୍ରସ୍ତ ଅଞ୍ଚଳ ଦେଖିବା ପରେ କହିଛନ୍ତି ଅଜିତ ଡୋଭାଲ
ଦିଲ୍ଲୀରେ ଦଙ୍ଗା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରୁଛନ୍ତି NSA ଅଜିତ ଡୋଭାଲ ।
  • News18 Odia
  • Last Updated: February 26, 2020, 9:49 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ଦିଲ୍ଲୀ ପୋଲିସର ବରିଷ୍ଠ ଅଧିକାରୀଙ୍କ ସହିତ ବୈଠକ ପରେ ଦଙ୍ଗା ପ୍ରଭାବରେ ଥିବା ଉତ୍ତରପୂର୍ବ ଦିଲ୍ଲୀରେ ସ୍ଥିତି ନିୟନ୍ତ୍ରଣକୁ ଆସିଛି ବୋଲି କହିଛନ୍ତି ରାଷ୍ଟ୍ରୀୟ ସୁରକ୍ଷା ଉପଦେଷ୍ଟା (NSA) ଅଜିତ ଡୋଭାଲ । ସେ ଦଙ୍ଗାରେ ପ୍ରଭାବିତ ହୋଇଥିବା କେତେକ ଅଞ୍ଚଳ ପରିଦର୍ଶନ କରିଛନ୍ତି ।

ଡୋଭାଲ ପୁଣି ଥରେ ସ୍ବାଭାବିକ ଅବସ୍ଥା ଆସିବ ପ୍ରତିଜ୍ଞା କରିବା ସହ ଜଣେ ଛାତ୍ରୀଙ୍କୁ କହିଛନ୍ତି: ‘‘ମୁଁ ତମକୁ କଥା ଦେଉଛି ଯେ ସବୁକିଛି ଠିକ୍ ହୋଇଯିବ’’ । ଛାତ୍ରୀ ଜଣକ ଡୋଭାଲଙ୍କୁ କହିଥିଲେ ଯେ ସ୍ଥିତି ‘‘ଅସମ୍ଭାଳ’’ ଥିବାରୁ ସେ କ୍ଲାସ୍‌ କରିବା ପାଇଁ ବାହାରକୁ ଯିବାରେ ଅସମର୍ଥ ହୋଇଛନ୍ତି ।

‘‘ମୁଁ ସମସ୍ତଙ୍କୁ ଏହି ସନ୍ଦେଶ ଦେଉଛି ଯେ ଦେଶକୁ ଭଲ ପାଉଥିବା ପ୍ରତ୍ୟେକ ବ୍ୟକ୍ତି ସମାଜକୁ ଓ ନିଜ ପଡ଼ୋଶୀକୁ ମଧ୍ୟ ଭଲପାଏ । ପ୍ରତ୍ୟେକ ନାଗରିକ ଅନ୍ୟମାନଙ୍କ ସହ ପ୍ରେମ ଓ ସଦଭାବରେ ରହିବା ଉଚି଼ତ୍ । ଲୋକେ ଜଣେ ଅନ୍ୟ ଜଣଙ୍କର ସମସ୍ୟାକୁ ସମାଧାନ କରିବା ପାଇଁ ଚ଼େଷ୍ଟା କରିବା ଉଚି଼ତ୍, ସମସ୍ୟା ବଢ଼େଇବା ଉଚ଼ିତ ନୁହେଁ,’’ କହିଛନ୍ତି ଡୋଭାଲ ।

ଉତ୍ତରପୂର୍ବ ଦିଲ୍ଲୀରେ ତିନି ଦିନ ହେଲା ଚ଼ାଲିଥିବା ସାଂପ୍ରଦାୟିକ ହିଂସାରେ ୨୩ ଜଣ ଲୋକ ମୃତ୍ୟୁ ବରଣ କରିଛନ୍ତି ଓ ୨୦୦ରୁ ଅଧିକ ଆହତ ହୋଇଛନ୍ତି । ଏହି ଦଙ୍ଗାରେ ମୁଖ୍ୟ ରୂପେ ପ୍ରଭାବିତ ହୋଇଥିବା ଅଞ୍ଚଳ ଗୁଡ଼ିକ ହେଉଛି ଜାଫରାବାଦ, ମୌଜପୁର, ବାବରପୁର, ଯମୁନା ବିହାର, ଭଜନପୁରା, ଚାନ୍ଦ ବାଗ ଓ ଶିବ ବିହାର ।

ଏହି ହିଂସାକାଣ୍ଡର ଅନୁସନ୍ଧାନ ଦାୟିତ୍ବ ନେଇଥିବା ଡୋଭାଲ ସୀଲମପୁରରେ ଡ଼େପୁଟି ପୋଲିସ କମିସନର (ଉତ୍ତରପୂର୍ବ)ଙ୍କ କାର୍ଯ୍ୟାଳୟରେ ଦିଲ୍ଲୀ ପୋଲିସର ବରିଷ୍ଠ ଅଧିକାରୀମାନଙ୍କ ସହିତ ଏକ ବୈଠକ କରିଥିଲେ ।

‘‘ଲୋକଙ୍କ ମଧ୍ୟରେ ଏକତାର ଭାବନା ରହିଛି, କୌଣସି ଶତ୍ରୁତା ନାହିଁ । କେତେକ ଅପରାଧୀ ଏହି ଭଳି କାଣ୍ଡ କରନ୍ତି । ଏବେ ଲୋକେ ସେମାନଙ୍କୁ ଚ଼ିହ୍ନଟ କରି ଅଲଗା କରିବା ଆରମ୍ଭ କରିଛନ୍ତି । ପୋଲିସ ମଧ୍ୟ ତା’ କାମ କରୁଛି । ମୁଁ ଏଠି ଗୃହ ମନ୍ତ୍ରୀ ଅମିତ ଶାହା ଓ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଦେଶ ଅନୁସାରେ କାମ କରୁଛି,’’ କହିଛନ୍ତି ଡୋଭାଲ । ‘‘ଇନସାଲ୍ଲା, ୟହାଁ ପର ବିଲକୁଲ ଅମନ ହୋଗା (ଯଦି ଭଗବାନ ଚ଼ାହାଁନ୍ତି ତେବେ ନିଶ୍ଚୟ ଶାନ୍ତି ଫେରିଆସିବ)’’ ସେ କହିଛନ୍ତି ।

ଅଧ ଘଣ୍ଟା ଧରି ହୋଇଥିବା ଏହି ବୈଠକରେ ଆଡିସିଓନାଲ ପୋଲିସ କମିସନର (ଅପରାଧ) ମନଦୀପ ସିଂ ରାନ୍ଧୱା, ନୂତନ ଭାବେ ନିଯୁକ୍ତି ହୋଇଥିବା ସ୍ପେସିଆଲ ସି.ପି. ଏସ୍‌. ଏନ୍‌. ଶ୍ରୀବାସ୍ତବ, ସ୍ପେସିଆଲ ସି.ପି. (ଆଇନ ବ୍ୟବସ୍ଥା) ସତୀଶ ଗୋଲଚ଼ା ଓ ଉତ୍ତରପୂର୍ବ ଦିଲ୍ଲୀର ଡି.ସି.ପି. ବେଦ ପ୍ରକାଶ ଆର୍ୟ ଉପସ୍ଥିତ ଥିଲେ । ଏହା ଡୋଭାଲଙ୍କ ଏହି କାର୍ଯ୍ୟାଳୟକୁ ଦିତ୍ବୀୟ ଯାତ୍ରା ଥିଲା । ସେ କାର୍ଯ୍ୟାଳୟର ପରିଦର୍ଶନ କରିଥିଲେ ଓ ମଙ୍ଗଳବାର ରାତିରେ ବରିଷ୍ଠ ଅଧିକାରୀଙ୍କ ସହ ଦେଖା କରିଥିଲେ ।

ବୈଠକ ପରେ ଡୋଭାଲ ସ୍ଥିତିର ମୂଲ୍ୟାଙ୍କନ କରିବା ପାଇଁ ଜାଫରାବାଦ ଓ ମୌଜପୁର ଯାଇଥିଲେ । ସେ ସ୍ଥାନୀୟ ଲୋକଙ୍କ ସହିତ କଥାବର୍ତ୍ତା କରିଥିଲେ ଓ ବହୁତ ଶୀଘ୍ର ଶାନ୍ତି ଫେରିବ ବୋଲି ସେମାନଙ୍କୁ ଆଶ୍ବାସନା ଦେଇଥିଲେ ।

‘‘ସ୍ଥିତି ନିୟନ୍ତ୍ରଣରେ ରହିଛି ଓ ଲୋକେ ସନ୍ତୁଷ୍ଟ ଅଛନ୍ତି । ଆଇନ ପାଳନକାରୀ ସଂସ୍ଥାଗୁଡ଼ିକ ଉପରେ ଆମର ଭରସା ରହିଛି । ପୋଲିସ ତା’ କାର୍ଯ୍ୟ କରୁଛି ଓ ସତ୍ତର୍କ ରହିଛି,’’ ସାମ୍ବାଦିକମାନଙ୍କୁ କହିଥିଲେ ଡୋଭାଲ ।
First published: February 26, 2020, 9:33 PM IST
corona virus btn
corona virus btn
Loading