ମାଙ୍କଡ଼ାମି ଚ଼ଳିବ ନାହିଁ: ଟ୍ରମ୍ପଙ୍କ ଆଗମନ ପୂର୍ବରୁ ତାଜ୍ ମହଲକୁ ମାଙ୍କଡ଼ ମୁକ୍ତ କରି ରଖିଛି ଆଗ୍ରା ପ୍ରଶାସନ

ତାଜ୍ ମହଲରେ ୫୦୦ରୁ ୫,୦୦୦ ମାଙ୍କଡ଼ ଅଛନ୍ତି ଓ ମୋଗଲ କାଳର ସେହି ପ୍ରେମର ପ୍ରତୀକକୁ ନିଜ ପ୍ରେମ ସ୍ଥାନ ବନେଇଛନ୍ତି । ଟ୍ରମ୍ପଙ୍କ ତାଜ୍ ମହଲ୍ ବୁଲି ଦେଖିବା ସମୟରେ କୌଣସି ମାଙ୍କଡ଼କୁ ସେ ଅଞ୍ଚଳକୁ ଆସିବାକୁ ନ ଦେବା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

ମାଙ୍କଡ଼ାମି ଚ଼ଳିବ ନାହିଁ: ଟ୍ରମ୍ପଙ୍କ ଆଗମନ ପୂର୍ବରୁ ତାଜ୍ ମହଲକୁ ମାଙ୍କଡ଼ ମୁକ୍ତ କରି ରଖିଛି ଆଗ୍ରା ପ୍ରଶାସନ
ଟ୍ରମ୍ପ୍‌ଙ୍କ ସ୍ୱାଗତ ପାଇଁ ଲାଗିଥିବା ଗୋଟେ ହୋର୍ଡିଂ ଉପରେ ମାଙ୍କଡ଼ଟିଏ ବସିଛି । (ଏ.ପି.)
  • News18 Odia
  • Last Updated: February 24, 2020, 3:59 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡ଼ୋନଲ୍ଡ ଟ୍ରମ୍ପ ଓ ଫାଷ୍ଟ୍‌ ଲେଡି ମେଲାନିଆ ଟ୍ରମ୍ପ ଅହମଦାବାଦରେ ପହଞ୍ଚିବାର ପାଞ୍ଚ ଘଣ୍ଟା ପରେ ଆଗ୍ରାରେ ପହଞ୍ଚିବା ମାତ୍ରେ ସେଠାରେ ତାଙ୍କୁ ରାଜକୀୟ ଢଙ୍ଗରେ ସ୍ୱାଗତ କରାଯିବାର ବ୍ୟବସ୍ଥା ହୋଇଛି । ଆମେରିକାର ପ୍ରଥମ ପରିବାର ଆଗ୍ରାରେ ଖୁବ୍‌ ଉଭିଭୁତ ହୁଅନ୍ତୁ ବୋଲି ସୁନିଶ୍ଟିତ କରିବା ପାଇଁ ଉତ୍ତର ପ୍ରଦେଶ ପ୍ରଶାସନ ସବୁ ପ୍ରକାର ବ୍ୟବସ୍ଥା କରିଛନ୍ତି ।

ତାଜ୍‌ ମହଲରେ ଟ୍ରମ୍ପ୍‌ ଓ ତାଙ୍କ ପରିବାରର ଆଖି ସାମନାକୁ କୌଣସି ବନ୍ୟ ପ୍ରାଣୀ ଯେମିତି ନ ଆସନ୍ତି ତା’ର ବିସ୍ତୃତ ବ୍ୟବସ୍ଥା କରାଯାଇଛି । ବିଭିନ୍ନ ବନ୍ୟ ପ୍ରାଣୀ ଆଗ୍ରାର ସ୍ଥାନୀୟ ଲୋକ ଓ ତାଜ୍‌ ମହଲ୍‌ ବୁଲି ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ସାଧାରଣତଃ ଅନେକ ବିପଦ ସୃଷ୍ଟି କରିଥା’ନ୍ତି ।

ତାଜ୍‌ ମହଲର ଚ଼ତୁଃପାର୍ଶ୍ୱରେ ଘୁରିବୁଲୁଥିବା ବୁଲା ଗୋରୁମାନଙ୍କୁ ଧରି ଗୌଶାଳାକୁ ପଠେଇ ଦିଆଯାଇଛି । ସବୁ ବୁଲା କୁକୁରଙ୍କୁ ଧରି ଆଗ୍ରା ସହର ବାହାରେ ନେଇ ଛାଡ଼ି ଦିଆଯାଇଛି । ଏହି ମାସର ଆରମ୍ଭରେ ନରୱେରୁ ଆସିଥିବା ଜଣେ ପର୍ଯ୍ୟଟକ ତାଜ୍‌ ମହଲରେ ଫଟୋ ଉଠାଉଥିବା ବେଳେ ତାଙ୍କୁ ଏକ ବୁଲା ଗାଇ ଆକ୍ରମଣ କରିଥିଲା, ଫଳରେ ତାଙ୍କର ଦୁଇଟି ଫ୍ରାକ୍ଚ଼ର ହୋଇଥିଲା ଓ ମଥାରେ ଆଘାତ ଲାଗିଥିଲା ।

କିନ୍ତୁ ମାଙ୍କଡ଼ ସମସ୍ୟା ଆଗ୍ରା ପ୍ରଶାସନର ମୁଣ୍ଡ ବ୍ୟଥାର କାରଣ ସାଜିଛି । ତାଜ୍‌ ମହଲ୍‌ ଚ଼ତୁଃପାର୍ଶ୍ୱରେ ପାଖାପାଖି ୫୦୦ରୁ ୫,୦୦୦ ମାଙ୍କଡ଼ ଅଛନ୍ତି ଓ ମୋଗଲ କାଳର ସେହି ପ୍ରେମର ପ୍ରତୀକକୁ ଅନେକ ବର୍ଷ ହେବ ନିଜ ପ୍ରେମ ସ୍ଥାନ ବନେଇଛନ୍ତି ।

ଟ୍ରମ୍ପଙ୍କ ତାଜ୍‌ ମହଲ୍‌ ବୁଲି ଦେଖିବା ସମୟରେ କୌଣସି ମାଙ୍କଡ଼କୁ ସେ ଅଞ୍ଚଳକୁ ଆସିବାକୁ ନ ଦେବା ପାଇଁ ତାଜ୍‌ ମହଲ୍‌ ଆଖପାଖରେ ପାଖାପାଖି ୧୨୫ ଜଣ ପୋଲିସ କର୍ମୀଙ୍କୁ ବିଭିନ୍ନ କୋଠାର ଛାତ ଉପରେ ଠିଆ କରାଯାଇଛି । ମାଙ୍କଡ଼ମାନଙ୍କୁ ନିୟନ୍ତ୍ରଣରେ ରଖିବାକୁ ଏଆରପୋର୍ଟରୁ ତାଜ୍‌ ମହଲ୍‌ ପର୍ଯ୍ୟନ୍ତ ୧୦ କିଲୋମିଟର୍‌ ଭି.ଆଇ.ପି. ରାସ୍ତାରେ ପ୍ରଶାସନ ତରଫରୁ ପାଞ୍ଚଟି ଲଙ୍ଗୁର ମଧ୍ୟ ରଖାଯାଇଛି ।

ତାଜ୍‌ ମହଲରେ ସି.ଆଇ.ଏସ୍‌.ଏଫ୍‌. କର୍ମୀମାନଙ୍କୁ ତୈନାତ କରାଯାଇଛି ।


ଆଗ୍ରାର ମାଙ୍କଡ଼ମାନେ ତାଜ୍‌ ମହଲ୍‌ ପାଇଁ ତଥା ଭାରତ ପାଇଁ ଅନ୍ତରାଷ୍ଟ୍ରୀୟ ସ୍ତରରେ ଯେମିତି ଖବର ତିଆରି କରିପାରନ୍ତି, ତାହା ନଜରରେ ରଖି ଆହୁରି ଅନେକ ବ୍ବବସ୍ଥା ମଧ୍ୟ କରାଯାଇଛି, ହେଲେ ପ୍ରଶାସନ ତାହା ବିଷୟରେ ଖୋଲି କରି କିଛି କହିବାକୁ ଚ଼ାହୁଁ ନାହିଁ ।

ଉତ୍ତର ପ୍ରଦେଶର ରାଜ୍ୟପାଳ ଆନନ୍ଦିବେନ ପଟେଲ ଓ ମୁଖ୍ୟ ମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଗ୍ରା ଏୟାରପୋର୍ଟରେ ଟ୍ରମ୍ପ୍‌ ପହଞ୍ଚିବା ସମୟରେ ତାଙ୍କୁ ସ୍ବାଗତ ଜଣାଇବେ ଓ ସେଠାରେ ଶତାଧିକ କଳାକାର ନୃତ୍ୟ ଓ ସଙ୍ଗୀତ ପ୍ରଦର୍ଶନ କରିବେ ।

‘‘ୟୁ.ପି. ରାଜ୍ୟପାଳ ଓ ମୁଖ୍ୟ ମନ୍ତ୍ରୀ ଦୁହେଁ ଖେରିୟା ଏୟାରପୋର୍ଟରେ ଆମେରିକାର ରାଷ୍ଟ୍ରପତି ଡ଼ୋନାଲ୍ଡ ଟ୍ରମ୍ପଙ୍କୁ ସ୍ବାଗତ କରିବେ, ହେଲେ ସେମାନେ ତାଙ୍କ ସହ ତାଜ୍‌ ମହଲ୍‌ ଯିବେ ନାହିଁ । ରାଜ୍ୟପାଳ ଓ ମୁଖ୍ୟ ମନ୍ତ୍ରୀ ଟ୍ରମ୍ପଙ୍କ ଏୟାରପୋର୍ଟରେ ବିଦାୟ ଦେବେ,‘‘ କହିଛନ୍ତି ଆଗ୍ରାର ଜିଲ୍ଲାପାଳ (ଡ଼ି.ଏମ.) ପ୍ରଭୁ ଏନ. ସିଂହ ।

ଅହମଦାବାଦରେ ବିମାନରୁ ଓହ୍ଲେଇବା ପରେ ଟ୍ରମ୍ପ୍‌ଙ୍କୁ ମୋଦି ଆଲିଙ୍ଗନ କରୁଛନ୍ତି । ପାଖରେ ଅଛନ୍ତି ମେଲାନିଆ ଟ୍ରମ୍ପ୍‌ ।


ଏୟାରପୋର୍ଟରୁ ଅମର ବିଳାସ ପ୍ରାସାଦ ପର୍ଯ୍ୟନ୍ତ ୧୦ କି.ମି. ରାସ୍ତାକୁ ରାତି ସାରା କାମ କରି ଏକ ସବୁଜ କ୍ଷେତ୍ରରେ ପରିଣତ କରାଯାଇଛି । ରାସ୍ତାର ଦୁଇ କଡ଼ରେ ୧୬,୦୦୦ କୁଣ୍ଡରେ ଥିବା ଗଛ ସଜାଇ ରଖାଯାଇଛି । ୬୦,୦୦୦ ଭାରତୀୟ ଓ ଆମେରିକୀୟ ପତାକା ଧରି ପିଲାମାନେ ରାସ୍ତାର ଦୁଇ ପାଖରେ ଲାଇନ୍‌ ଲଗେଇ ଠିଆ ହେବେ ଓ ଟ୍ରମ୍ପଙ୍କ ପାଇଁ ଚ଼ିୟର କରିବେ ।

୩,୦୦୦ ନର୍ତ୍ତକ ରାସ୍ତାର ଦୁଇ କଡ଼ରେ ୨୧ ଟି ସ୍ଥାନରେ ରହି ଉତ୍ତର ପ୍ରଦେଶର ପାରମ୍ପରିକ ସାଂସ୍କୃତିକ ନୃତ୍ୟ ପ୍ରଦର୍ଶନ କରିବେ । ଏୟାରପୋର୍ଟ ଠାରୁ ସପ୍ତଦଶ ଶତାବ୍ଦୀର ଏହି ‘ପ୍ରେମର ଅମର ପ୍ରତୀକ‘ ତାଜ୍‌ ମହଲ୍‌ ପର୍ଯ୍ୟନ୍ତ ଆଠ ମିନିଟର ଯାତ୍ରାରେ ଟ୍ରମ୍ପ ଓ ତାଙ୍କ ପରିବାରକୁ ଏହି ସମସ୍ତ ରଙ୍ଗବେରଙ୍ଗ ଦୃଶ୍ୟ ଓ ଧ୍ବନିରେ ଆପ୍ୟାୟିତ କରାଯିବାକୁ ଚ଼େଷ୍ଟା କରାଯାଉଛି ।

‘‘ଏୟାରପୋର୍ଟରେ ପାଖାପାଖି ୨୫୦ କଳାକାର ଉତ୍ତର ପ୍ରଦେଶର ସୁନ୍ଦରତା ଓ ସଂସ୍କୃତିକୁ ଦର୍ଶାଉଥିବା ବିଶେଷ ନୃତ୍ୟ ପ୍ରଦର୍ଶନ କରିବେ । ତାଜ୍‌ ମହଲ୍‌ ପର୍ଯ୍ୟନ୍ତ ରାସ୍ତାରେ ୨୧ ନିର୍ଦ୍ଧିଷ୍ଟ ସ୍ଥାନରେ ୩,୦୦୦ କଳାକାର ବ୍ରିଜ, ଆୱଧ ଓ ଅନ୍ୟ କ୍ଷେତ୍ରର ପାରମ୍ପରିକ ନୃତ୍ୟ ପ୍ରସ୍ତୁତ କରିବେ । ଏ ସବୁ କୃଷ୍ଣ ଲୀଳା ଓ ରାଧାଙ୍କ ଉପରେ ଆଧାରିତ ନୃତ୍ୟ ଓ ବିଭିନ୍ନ କ୍ଷେତ୍ରର ଅନ୍ୟ ସାଂସ୍କୃତିକ ନୃତ୍ୟ,’’ କହିଛନ୍ତି ଆଗ୍ରାର ଜିଲ୍ଲାପାଳ ।
First published: February 24, 2020, 3:59 PM IST
corona virus btn
corona virus btn
Loading