ଅମରୁଲ୍ଲା ସାଲେହଙ୍କ ଦାବି ISIS ସହ ତାଲିବାନର ଅଛି ସମ୍ପର୍କ
News18 Odia Digital
କାବୁଲ: ଗୁରୁବାର ସନ୍ଧ୍ୟାରେ ଆଫଗାନିସ୍ତାନର (Afghanistan) ରାଜଧାନୀ କାବୁଲର ହମିଦ କରଞ୍ଜାଇ ଅନ୍ତର୍ଜାତୀୟ ବିମାନବନ୍ଦର ସମ୍ମୁଖରେ ସିରିଏଲ୍ ବୋମା ବିସ୍ଫୋରଣ ହୋଇଥିଲା। ଦୁଇଟି ବିସ୍ଫୋରଣରେ ଶିଶୁଙ୍କ ସମେତ ୮୦ ଜଣ ପ୍ରାଣ ହରାଇଥିବା ବେଳେ ୨୦୦ରୁ ଅଧିକ ଲୋକ ଆହତ ହୋଇଥିବା କୁହାଯାଉଛି। ଏହି ଆକ୍ରମଣରେ ତିନି ଜଣ ଆମେରିକୀୟ ସୈନିକ ମଧ୍ୟ ଆହତ ହୋଇଛନ୍ତି ।
ନ୍ୟୁଜ୍ ଏଜେନ୍ସି ରଏଟର୍ସ ଅନୁଯାୟୀ ଆତଙ୍କବାଦୀ ସଙ୍ଗଠନ ଆଇଏସଆଇଏସର ଖୋରାସାନ୍ ଗ୍ରୁପ୍ ଏହି ଆକ୍ରମଣ ପାଇଁ ଦାୟୀ ବୋଲି କହିଛି। ଏହି ସମୟରେ ଆଫଗାନିସ୍ତାନର ଆତ୍ମ ଘୋଷିତ କାର୍ଯ୍ୟନିର୍ବାହୀ ରାଷ୍ଟ୍ରପତି ଅମରୁଲ୍ଲା ସାଲେହ ଦାବି କରିଛନ୍ତି ଯେ ଖୋରାସାନ ଗୋଷ୍ଠୀ ସହ ତାଲିବାନର ସମ୍ପର୍କ ରହିଛି। ତେବେ ତାଲିବାନ ଏହି ଆକ୍ରମଣ ପାଇଁ ଆମେରିକାକୁ ଦାୟୀ କରିଛି ।
ବିସ୍ଫୋରଣ ପରେ ସାଲେହ ଟ୍ୱିଟ୍ କରି କହିଥିଲେ, ‘‘ତାଲିବାନ ସେମାନଙ୍କ ମାଲିକଙ୍କଠାରୁ ଏକ ଭଲ ଶିକ୍ଷା ଲାଭ କରିଛି। ତାଲିବାନ ଆଇଏସଆଇଏସ ସହ ସମ୍ପର୍କକୁ ପ୍ରତ୍ୟାଖ୍ୟାନ କରିଛି। ଯେପରି ସେ କ୍ୱେଟା ଶୁରା ଉପରେ ପାକିସ୍ତାନର ଲିଙ୍କକୁ ଅସ୍ୱୀକାର କରିଛି । ଆମ ପାଖରେ ଥିବା ପ୍ରତ୍ୟେକ ପ୍ରମାଣ ଦର୍ଶାଏ ଯେ ଆଇଏସଆଇଏସର ଖୋରାସାନ ଗୋଷ୍ଠୀର ମୂଳ ତାଲିବାନ ଓ ହକାନୀ ନେଟୱାର୍କରେ ରହିଛି।’’
ଇତିମଧ୍ୟରେ ଆମେରିକାର ସେଣ୍ଟ୍ରାଲ କମାଣ୍ଡର ଜେନେରାଲ କେନେଥ ମ୍ୟାକେଂଜି କହିଛନ୍ତି ଯେ କାବୁଲ ବିସ୍ଫୋରଣରେ ପ୍ରାଣ ହରାଇଥିବା ୧୨ ଜଣ ସାମୁଦ୍ରିକ କମାଣ୍ଡୋ ଥିବା ବେଳେ ୧୫ ଜଣ ଆହତ ହୋଇଛନ୍ତି। ବିସ୍ଫୋରଣ ପରେ କାବୁଲ ବିମାନବନ୍ଦରରୁ ସମସ୍ତ ବିମାନ ଚଳାଚଳ ବନ୍ଦ ହୋଇଯାଇଛି।
ଆମେରିକାର ପ୍ରତିରକ୍ଷା ମନ୍ତ୍ରଣାଳୟ ପେଣ୍ଟାଗନ୍ କହିଥିଲେ, ‘‘ପ୍ରଥମ ବିସ୍ଫୋରଣ ଗୁରୁବାର ଦିନ ହମିଦ କରଞ୍ଜାଇ ଅନ୍ତର୍ଜାତୀୟ ବିମାନବନ୍ଦରର ଅବ୍ବେ ଗେଟ୍ରେ ଘଟିଛି । ଏହାର କିଛି ସମୟ ପରେ ବିମାନବନ୍ଦର ନିକଟରେ ଥିବା ବୈରନ ହୋଟେଲ ନିକଟରେ ଆଉ ଏକ ବିସ୍ଫୋରଣ ଘଟିଥିଲା। ବ୍ରିଟେନ ସୈନିକମାନେ ଏଠାରେ ରହିଥିଲେ। ତିନି ଜଣ ଅଭିଯୁକ୍ତଙ୍କୁ ବିମାନବନ୍ଦର ବାହାରେ ଦେଖିବାକୁ ମିଳିଥିଲା। ସେମାନଙ୍କ ମଧ୍ୟରୁ ଦୁଇଜଣ ଆତ୍ମଘାତୀ ବିସ୍ଫୋରଣକାରୀ ହୋଇଥିବା ବେଳେ ତୃତୀୟଟି ବନ୍ଧୁକ ଆଣିଥିଲା । ମୃତ୍ୟୁ ସଂଖ୍ୟା ବଢ଼ିବାର ସମ୍ଭାବନା ରହିଛି।’’
Published by:Lipina Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।