News18 Odia Digital
ବେଜିଂ: ଆଫଗାନିସ୍ତାନରେ ତାଲିବାନ ସରକାର ଗଠନର ୨୪ ଘଣ୍ଟା ମଧ୍ୟରେ ଚୀନ୍ ନିଜର ରାଜକୋଷ ଖୋଲିଛି । ଚୀନ୍ ବୁଧବାର ତାଲିବାନକୁ ସରକାର ଚଳାଇବା ପାଇଁ ୩୧୦ ଲକ୍ଷ ଡଲାର୍ ସହାୟତା ଘୋଷଣା କରିଛି । ଏହା ସହିତ ଚୀନ୍ ଆଫଗାନିସ୍ତାନକୁ କରୋନା ଟିକା ମଧ୍ୟ ପଠାଉଛି । ବିଶୃଙ୍ଖଳାକୁ ଦୂର କରିବା ଓ ଶୃଙ୍ଖଳା ଫେରାଇବା ପାଇଁ ଏହି ସହାୟତା ଆବଶ୍ୟକ ବୋଲି ଚୀନ୍ କହିଛି ।
ଆଫଗାନିସ୍ତାନର ପରିସ୍ଥିତିକୁ ନେଇ ପଡୋଶୀ ଦେଶର ବୈଦେଶିକ ମନ୍ତ୍ରୀମାନଙ୍କର ପ୍ରଥମ ବୈଠକରେ ଚୀନର ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟି କହିଛନ୍ତି ଯେ ଚୀନ୍ ଆଫଗାନିସ୍ତାନକୁ ଖାଦ୍ୟ ଶସ୍ୟ, ଶୀତକାଳୀନ ସାମଗ୍ରୀ, କରୋନା ଟିକା ସମେତ ୨୦୦ ମିଲିୟନ୍ ୟୁଆନ୍ (୩୧ ମିଲିୟନ୍ ଡଲାର୍) ସହାୟତା ପ୍ରଦାନ କରିବ । ଆବଶ୍ୟକତା ଔଷଧ ମଧ୍ୟ ଯୋଗାଇ ଦେବ ।
ପାକିସ୍ତାନ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଇରାନ, ତାଜିକିସ୍ତାନ, ତୁର୍କମେନିସ୍ତାନ ଓ ଉଜବେକିସ୍ତାନର ବୈଦେଶିକ ମନ୍ତ୍ରୀମାନେ ଯୋଗ ଦେଇଥିଲେ । ତେବେ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଶାହ ମହମୁଦ କୁରୈଶୀଙ୍କ ଦ୍ବାରା ଆୟୋଜିତ ଏହି ବୈଠକରେ ଋଷ ଅଂଶଗ୍ରହଣ କରି ନାହିଁ । ୱାଙ୍ଗ ୟି କହିଛନ୍ତି ଯେ ପ୍ରଥମ ବ୍ୟାଚରେ ଆଫଗାନିସ୍ତାନକୁ ୩୦ ମିଲିୟନ ଟିକା ଦାନ କରିବାକୁ ଚୀନ୍ ନିଷ୍ପତ୍ତି ନେଇଛି ।
ଚୀନ୍ ପୂର୍ବରୁ ଆବେଦନ କରିସାରିଛି ଯେ ତାଲିବାନ ସହିତ ବିଶ୍ୱ ମିଳିତ ଭାବେ କାମ କରିବା ଉଚିତ୍, ଏହି କ୍ରମରେ ଆର୍ଥିକ ସହାୟତା ଜାରି କରିବା ଆବଶ୍ୟକ । ଆଫଗାନିସ୍ତାନକୁ ଦିଆଯାଉଥିବା ଏହି ସହାୟତା କେବଳ ଆରମ୍ଭ ମାତ୍ର । ଚୀନ୍ କହିଛି ଯେ ତାଲିବାନ ବର୍ତ୍ତମାନ ଆଫଗାନିସ୍ତାନର ସ୍ଥିତିକୁ ସ୍ୱାଭାବିକ କରିବା ଉଚିତ୍ ।
ତାଲିବାନ ଗତ ସପ୍ତାହରେ ମଧ୍ୟ ଘୋଷଣା କରିଥିଲା ଯେ ଚୀନ୍ ଏକ ଅର୍ଥନୈତିକ ଶକ୍ତି, ତେଣୁ ଏହାକୁ ଏକ ବଡ଼ ଅଂଶୀଦାର ବୋଲି ବିବେଚନା କରୁଛି । ତାଲିବାନ ମୁଖପାତ ଜାବିହୁଲ୍ଲା ମୁଜାହିଦ୍ ଏକ ଇଟାଲୀ ଖବରକାଗଜକୁ କହିଛନ୍ତି ଯେ ତାଙ୍କ ଗୋଷ୍ଠୀ ମୁଖ୍ୟତଃ ଚୀନର ଆର୍ଥିକ ସହାୟତା ଉପରେ ନିର୍ଭରଶୀଳ । ନିକଟ ଅତୀତରେ ଆମେରିକା ସମେତ ପାଶ୍ଚାତ୍ୟ ଦେଶମାନେ ଆଫଗାନିସ୍ତାନକୁ ଆର୍ଥିକ ସହାୟତାକୁ ସୀମିତ ରଖିଛନ୍ତି । ଏହା ପରେ ତାଲିବାନ ସରକାର ଚଳାଇବା ପାଇଁ ଏକ ଆର୍ଥିକ ସଙ୍କଟ ଦେଇ ଗତି କରୁଛି । ଏଭଳି ପରିସ୍ଥିତିରେ ଚୀନ୍ ଏକ ସାହାଯ୍ୟ ହାତ ବଢ଼ାଇଛି ।
ଏହି ସମୟରେ ଚୀନ୍ ତାଲିବାନ ମାଧ୍ୟମରେ ବଗରାମ ଏୟାରବେସକୁ କାବୁ କରିବାକୁ ଚେଷ୍ଟା କରୁଥିବା ଖବର ମଧ୍ୟ ରହିଛି । ଆଫଗାନିସ୍ତାନ ଯୁଦ୍ଧ ସମୟରେ ଆମେରିକା ପ୍ରାୟ ୨୦ ବର୍ଷ ଧରି ଏହି ଏୟାରବେସ୍ ବ୍ୟବହାର କରିଥିଲା ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।