News18 Odia Digital
ନୂଆ ଦିଲ୍ଲୀ: ତାଲିବାନୀଙ୍କ ବର୍ବରତା ସହି ନ ପାରି ଭିଟାମାଟି ଛାଡ଼ି ପଳାଉଥିବା ଆଫଗାନ୍ ନାଗରିକମାନେ ଏବେ ମହା ଅଡ଼ୁଆରେ ପଡ଼ିଛନ୍ତି । ଭାରତ ସମେତ କିଛି କିଛି ଦେଶ ଶରଣାର୍ଥୀଙ୍କୁ ଶରଣ ଦେଇଛନ୍ତି । ହେଲେ ଆଶ୍ଚର୍ଯ୍ଯର କଥା ଯେ ଏହି ମୁସଲମାନ ଶରଣାର୍ଥୀମାନଙ୍କୁ ଶରଣ ଦେବାକୁ ପଛାଉଛନ୍ତି ଖୋଦ୍ ମୁସଲମାନ ରାଷ୍ଟ୍ରମାନେ ।
ପାକିସ୍ତାନ, ୟୁଏଇ, ସାଉଦି ଆରବ, ତୁର୍କୀ ଏବଂ ବାହାରିନ ଭଳି ମୁସଲମାନ ଦେଶ ଆଫଗାନଙ୍କ ପାଇଁ ଦୁଆର ବନ୍ଦ କରିଦେଇଛନ୍ତି ବା ନିରବ ରହୁଛନ୍ତି । ପଡ଼ୋଶୀ ତୁର୍କମେନିସ୍ତାନ, ଉଜ୍ବେକିସ୍ତାନ ଏବଂ ତାଜିକିସ୍ତାନ ମଧ୍ୟ ଶରଣାର୍ଥୀମାନଙ୍କ ପାଇଁ ଟାଣିଛନ୍ତି ଲକ୍ଷ୍ମଣ ରେଖା । ମୁସଲମାନଙ୍କ ସ୍ବାର୍ଥ ପାଇଁ ଗଠିତ ଅର୍ଗାନାଇଜେସନ ଅଫ୍ ଦ ଇସଲାମିକ୍ କୋଅପରେସନରେ (OIC) ୫୪ଟି ଦେଶ ସଦସ୍ଯ ଥିବା ବେଳେ ସେଥିରୁ ହାତ ଗଣତି ଦେଶଙ୍କୁ ବାଦ ଦେଲେ ଅଧିକାଂଶ ସିଧାସଳଖ ମନା କରିଦେଉଛନ୍ତି। ମନା କରିବା ପଛରେ ସେମାନେ ଦର୍ଶାଇଛନ୍ତି ଭିନ୍ନ ଭିନ୍ନ କାରଣ।
ଏହା ବି ପଢ଼ନ୍ତୁ | Matric Result: ବାହାରିଲା ଓଡ଼ିଶା ମ୍ୟାଟ୍ରିକ୍ ଅଫଲାଇନ୍ ପରୀକ୍ଷା ଫଳ; ପାସ୍ ହାର ଅଛି ୮୦.୮୩ ପ୍ରତିଶତ
ବିଶ୍ବର ଅଧିକାଂଶ ଇସଲାମ ଦେଶ ଯେଉଁମାନେ ପରସ୍ପରକୁ ସାହାଯ୍ୟ କରିବା ପାଇଁ ବଦ୍ଧପରିକର ଥିଲେ ଓ ଅସୁବିଧା ସମୟରେ ନିଜ ଧର୍ମର ଲୋକଙ୍କୁ ସହାୟତାର ହାତ ବଢାଇବା ପାଇଁ ଗଠନ କରିଥିଲେ OIC ସଙ୍ଗଠନ ଆଜି ସେହି ସଙ୍ଗଠନର ବଡ଼ ବଡ଼ ସଦସ୍ୟ ରାଷ୍ଟ୍ର ନିଜ ଜାତି ଭାଇଙ୍କୁ ସାହାଯ୍ୟ କରିବା ପାଇଁ ମନା କରିଦେଉଛନ୍ତି । ଆଫଗାନିସ୍ତାନକୁ ତାଲିବାନ କବ୍ଜା କରିବା ପରେ ଅନ୍ୟ ଦେଶରେ ଆଶ୍ରୟ ପାଇଁ ଗୁହାରି କରୁଛନ୍ତି ଆଫଗାନ ନାଗରିକ । ନିଜକୁ ଏବଂ ନିଜ ପରିବାରକୁ ତାଲିବାନଙ୍କ ଶିକାରରୁ ବଞ୍ଚାଇବା ପାଇଁ କାକୁତି ମିନତି ହେଉଛନ୍ତି । ସେମାନଙ୍କ ଅବସ୍ଥା ଦେଖି ୟୁରୋପୀୟ ଦେଶଗୁଡିକୁ ବି ଦୟା ଆସୁଛି ।

ପାକିସ୍ତାନ ସୀମାରେ ଆଫଗାନ୍ ଶରଣାର୍ଥୀମାନେ (ରୟଟର୍ସ ଫଟୋ)
ଏହା ବି ପଢ଼ନ୍ତୁ | ଚାଲିଗଲେ ବାପି: ଓଡ଼ିଶା କଂଗ୍ରେସର ଯୁବ ନେତା ସଂଗ୍ରାମ କେଶରୀ ଜେନାଙ୍କୁ ଛଡ଼େଇ ନେଲା କରୋନା
ଭାରତ ସମେତ ଅନେକ ବଡ଼ ବଡ଼ ୟୁରୋପୀୟ ଦେଶ ଆଫଗାନ ନାଗରିକଙ୍କୁ ଶରଣାର୍ଥୀ ଭାବେ ଗ୍ରହଣ କରିବା ପାଇଁ ରାଜି ଅଛନ୍ତି । ସେମାନଙ୍କ ଉଦ୍ଧାର ପାଇଁ ବିମାନ ପଠାଉଛନ୍ତି । କିନ୍ତୁ ସେହି ନୀରିହ ଆଫଗାନ ନାଗରିକଙ୍କ ଚିତ୍କାର, କାନ୍ଦ, ବଡ ବଡ ମୁସଲିମ୍ ଦେଶଗୁଡିକ କାନରେ ପଡୁନାହିଁ । ସବୁ ଜାଣି ସେମାନେ ଅଜଣା ହେଉଛନ୍ତି । ଆଫଗାନିସ୍ତାନରେ ବର୍ତ୍ତମାନ ସ୍ଥିତି ଏତେ ଗମ୍ଭୀର ଯେ କୌଣସି ଦେଶ ଆଫଗାନୀ ନାଗରିକଙ୍କ ସମର୍ଥନରେ ବାହାରିବାକୁ ସଙ୍କୋଚ କରୁନାହାନ୍ତି । କିନ୍ତୁ ଇସ୍ଲାମିକ ଦେଶଗୁଡିକୁ ଏସବୁରେ ଯେପରି ଫରକ୍ ପଡୁନାହିଁ । OIC ର ସଦସ୍ୟ ଥିବା ପାକିସ୍ତାନ, ୟୁଏଇ, ସାଉଦି ଆରବ, ତୁର୍କୀ ଓ ବାହାରିନ୍ ଆଫଗାନ ଶରଣାର୍ଥୀଙ୍କୁ ଗ୍ରହଣ କରିବା ପ୍ରସଙ୍ଗରେ ଚୁପ୍ ରହିବା ସହ ନିଜ ନିଜ ଦେଶର ସୀମାକୁ ଆଫଗାନିସ୍ତାନ ପାଇଁ ବନ୍ଦ କରିଦେଇଛନ୍ତି ।
ଏହା ବି ପଢ଼ନ୍ତୁ | ସୌମ୍ୟଙ୍କ ମୃତ୍ୟୁ: ହସପିଟାଲରେ ଜମାନବନ୍ଦୀ ବେଳେ DFO ଥିଲେ; ବିଦ୍ୟାଙ୍କୁ ଶୀଘ୍ର ଜେରା କରାଯିବ
OIC ର ଅନ୍ୟତମ ସଦସ୍ୟ ଦେଶ ଇରାନ୍ କିନ୍ତୁ ପରିସ୍ଥିତିକୁ ଦେଖି ଆଖି ବୁଜି ଦେଇନାହିଁ । ଇରାନ ଯଥା ସମ୍ଭବ ଆଫଗାନ୍ ନାଗରିକଙ୍କ ସାହାଯ୍ୟ ପାଇଁ ହାତ ବଢାଇଛି । ଜାତିସଙ୍ଘ ଶରଣାର୍ଥୀ ଏଜେନ୍ସୀର ଏକ ରିପୋର୍ଟ ଅନୁଯାୟୀ ବର୍ତ୍ତମାନ ସୁଦ୍ଧା ଇରାନ୍ ୩.୩୮ ନିୟୁତ ଆଫଗାନ୍ ଶରଣାର୍ଥୀଙ୍କୁ ଉଦ୍ଧାର କରି ନିଜ ଦେଶରେ ସ୍ଥାନ ଦେଇଛି । ଇରାନ-ଆଫଗାନିସ୍ତାନ ସୀମାରେ ଜରୁରୀକାଳୀନ ଟେଣ୍ଟ୍ ତିଆରି କରି ଆଫଗାନ ନାଗରିକଙ୍କୁ ସ୍ଥିତି ସୁଧୁରିବା ପର୍ଯ୍ୟନ୍ତ ରହିବା ପାଇଁ ଅନୁମତି ଦେଇଛି ଇରାନ । OIC ର ସଦସ୍ୟ ଦେଶ ମଧ୍ୟରୁ ଇରାନ ହେଉଛି ଏକମାତ୍ର ବଡ଼ ଦେଶ ଯିଏ ଏହି ଆଫଗାନୀ ଶରଣାର୍ଥୀଙ୍କ ପାଇଁ ନିଜ ଦ୍ବାର ଖୋଲା ରଖିଛି ।
ଏହା ବି ପଢ଼ନ୍ତୁ | ମୟୂରଭଞ୍ଜରେ ମାସକର ଶିଶୁ ପୁତ୍ରକୁ ମା’ କୋଳରୁ ଛଡ଼ାଇ ନେଲା, ₹୧,୧୦୦ ଦେଲା, ତା’ ପରେ ବିକିଦେଲା
OICର ଅନ୍ୟତମ ବଡ଼ ସଦସ୍ୟ ପାକିସ୍ତାନ ବଡ଼ ସଂଖ୍ୟାରେ ଆଫଗାନୀ ଶରଣାର୍ଥୀଙ୍କୁ ନିଜ ଦେଶରେ ସ୍ଥାନ ଦେଇଛି ସତ, ହେଲେ ଏବେ ଆଉ ଅଧିକ ଶରଣାର୍ଥୀଙ୍କୁ ଆଶ୍ରୟ ଦେବାକୁ ମନା କରିଦେଇଛି । OICରେ ୫୪ଟି ମୁସଲିମ୍ ଦେଶ ସଦସ୍ୟତା କରୁଛନ୍ତି ଓ ନିଜକୁ ମୁସଲିମ୍ ସମାଜର ସ୍ବର ବୋଲି କହୁଛନ୍ତି । ହେଲେ ଏଭଳି ସ୍ଥିତିରେ ମୁହଁ ନ ଖୋଲିବା ପାଇଁ କିଛି ମୁସଲିମ୍ ଦେଶ ନିଷ୍ପତ୍ତି ନେଇଛନ୍ତି ।
ଆଫଗାନିସ୍ତାନରେ ସୃଷ୍ଟି ହୋଇଥିବା ସ୍ଥିତି ନେଇ OIC ତରଫରୁ ଏକ ଜରୁରିକାଳୀନ ବୈଠକ ବସିଥିଲା । ଏଥିରେ ଆଫଗାନ୍ ନାଗରିକଙ୍କୁ ସୁରକ୍ଷିତ ସ୍ଥାନାନ୍ତର କରିବା ଓ ସେମାନଙ୍କୁ ସୁରକ୍ଷିତ ସ୍ଥାନରେ ରଖିବା ସମ୍ପର୍କରେ ଆଲୋଚନା ହୋଇଥିଲା ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।