ଦିଲ୍ଲୀ ହିଂସା: ଆମ୍ ଆଦମୀ ପାର୍ଟିର ପୂର୍ବତନ କର୍ପୋରେଟର ତାହିର ହୁସେନ ଗିରଫ ହେଲେ

ଅଙ୍କିତ ଶର୍ମାଙ୍କ ମୃତ ଦେହ ଫେବ୍ରୁଆରି ୨୬ ତାରିଖରେ ଉଦ୍ଧାର କରାଯାଇଥିଲା । ଅଙ୍କିତଙ୍କୁ ତାହିର ହତ୍ୟା କରିଥିବା ଅଭିଯୋଗ ଆସିବା ପରେ ପୋଲିସ ତାଙ୍କ ଘରେ ସର୍ଚ୍ଚ କରିଥିଲା ।

ଦିଲ୍ଲୀ ହିଂସା: ଆମ୍ ଆଦମୀ ପାର୍ଟିର ପୂର୍ବତନ କର୍ପୋରେଟର ତାହିର ହୁସେନ ଗିରଫ ହେଲେ
ତାହିର ହୁସେନ
  • News18 Odia
  • Last Updated: March 6, 2020, 12:17 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ଦିଲ୍ଲୀ ହିଂସାର ବିଭିନ୍ନ ଘଟଣା ସହ ଗୁଇନ୍ଦା ବ୍ୟୁରୋ ଅଧିକାରୀ ଅଙ୍କିତ୍‌ ଶର୍ମାଙ୍କ ହତ୍ୟା ମାମଲାରେ ଅଭିଯୁକ୍ତ ଥିବା ଆମ୍ ଆଦମୀ ପାର୍ଟିର ପୂର୍ବତନ କର୍ପୋରେଟର ତାହିର ହୁସେନ ଶେଷରେ ଦିଲ୍ଲୀ ପୋଲିସ ହାତରେ ଗିରଫ ହୋଇଛନ୍ତି । ସେ ସରେଣ୍ଡର କରିବାକୁ କୋର୍ଟକୁ ଆସିଥିବା ବେଳେ ଦିଲ୍ଲୀ କ୍ରାଇମ୍‌ ବ୍ରାଞ୍ଚ ତାଙ୍କୁ ଗିରଫ କରିଥିଲା ।

ପୂର୍ବରୁ ଦିଲ୍ଲୀର ଏକ କୋର୍ଟରେ ତାହିର ଆତ୍ମସମର୍ପଣ କରିବାକୁ ଆବେଦନ କରିଥିଲେ ମଧ୍ୟ କୋର୍ଟ ତାହାକୁ ଖାରଜ କରି ଦେଇଥିଲେ । ତା’ପରେ ତାହିର ନିଜେ କୋର୍ଟରେ ସରେଣ୍ଡର କରିବାକୁ ଆସିଥିଲେ । ଏହା ପୂର୍ବରୁ ତାହିର ଗତ ମଙ୍ଗଳବାର ଦିନ ଦିଲ୍ଲୀର ଏକ କୋର୍ଟରେ ଆଗୁଆ ଜାମିନ ପାଇଁ ଆବେଦନ କରିଥିଲେ । ହେଲେ କୋର୍ଟ ମାମଲାର ଶୁଣାଣି ଗୁରୁବାର ପର୍ଯ୍ୟନ୍ତ ଘୁଞ୍ଚାଇ ଦେଇଥିଲେ ।

ଅଙ୍କିତ ଶର୍ମାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରି ତାଙ୍କ ପିତା ଥାନାରେ ମାମଲା ରୁଜୁ କରିଥିଲେ । ଫେବୃଆରୀ ୨୭ ତାରିଖରେ ଦିଲ୍ଲୀର ଦୟାଲ ଥାନାରେ ହୁସେନଙ୍କ ବିରୋଧରେ ଆଇପିସିର ଦଫା ୩୦୨ ଓ ୩୬୫ରେ ମାମଲା ରୁଜୁ ହୋଇଥିଲା । ଏଫଆଇଆର ରୁଜୁ ହେବା ପରେ ଆପ୍‌ ଦଳରୁ ତାହିରଙ୍କୁ ନିଲମ୍ବିତ କରାଯାଇଥିଲା ।

ଦିଲ୍ଲୀରେ ସାମ୍ପ୍ରଦାୟିକ ହିଂସା ଚ଼ାଲିଥିବା ବେଳେ ତାହିର ହୁସେନ ନିଜ ଘରେ ହିଂସାକାରୀମାନଙ୍କୁ ଆଶ୍ରୟ ଦେବା ସହ ଆକ୍ରମଣ କରିଥିବା ସମୟର ଭିଡ଼ିଓ ଭାଇରାଲ ହୋଇଥିଲା । ତାହିରଙ୍କୁ ଗିରଫ କରିବାକୁ ପୋଲିସ ଉପରେ ପ୍ରବଳ ଚାପ ପଡ଼ି ଆସୁଥିଲା । ହୁସେନଙ୍କ ଘରର ଛାତ ଉପରୁ ମଧ୍ୟ ବିପୁଳ ପରିମାଣରେ ବିସ୍ଫୋରକ, ପେଟ୍ରୋଲ ବୋମା, ଏସିଡ, ପଥର ଓ ମାରଣାସ୍ତ୍ର ଆଦି ମିଳିଥିଲା ।

ଫେବ୍ରୁଆରି ୨୬ ତାରିଖରେ ଅଙ୍କିତ ଶର୍ମାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ଅଙ୍କିତଙ୍କୁ ତାହିର ହତ୍ୟା କରିଥିବା ଅଭିଯୋଗ ଆସିବା ପରେ ପୋଲିସ ତାଙ୍କ ଘରେ ସର୍ଚ୍ଚ କରିଥିଲା । ହେଲେ ତାହିରଙ୍କୁ ପାଇ ନଥିଲା ପୋଲିସ ।

ଦିଲ୍ଲୀ ହିଂସାକୁ ନେଇ ପୋଲିସ ଏପର୍ଯ୍ୟନ୍ତ ୫୩୧ଟି ମାମଲା ରୁଜୁ କରିଛି ।  ଏଥିରେ ୧,୬୪୭ ଜଣ ଲୋକଙ୍କୁ ଗିରଫ ବା ଅଟକ ରଖାଯାଇଛି । ହିଂସା ପ୍ରଭାବିତ ଅଞ୍ଚଳରେ ସ୍ଥିତି ସ୍ବାଭାବିକ ରହିଥିବା ପୋଲିସ ସୂଚନା ଦେଇଛି ।
First published: March 6, 2020, 12:17 AM IST