ଏକ ଆଲିଙ୍ଗନ ଓ ଏକ ଜନ୍ମ ଦିନ ‘ଉପହାର’: କେଜରୀୱାଲ୍ ଓ ପତ୍ନୀ ସୁନିତା ରାଜନୀତିରେ ଆଣୁଛନ୍ତି ପରିବର୍ତ୍ତନ

ଦିଲ୍ଲୀ ନିର୍ବାଚ଼ନରେ ବିପୁଳ ବିଜୟ ପାଇବାର ଠିକ୍ ପରେ କେଜରୀୱାଲ୍ ତାଙ୍କ ପତ୍ନୀ ସୁନିତାଙ୍କୁ ସର୍ବ ସମ୍ମୁଖରେ ଆଲିଙ୍ଗନ କରିବା ଓ କେକ୍ ଖୁଆଇବାର ଫଟୋସବୁ ସୋସଲ୍ ମିଡ଼ିଆରେ ଭାଇରାଲ୍ ହୋଇଛି । ଏହି ପ୍ରେମଭରା ଯୋଡ଼ି ଭାରତୀୟ ରାଜନୀତିରେ କିଛି ପରିବର୍ତ୍ତନ ଆଣୁଥିବାର ସଙ୍କେତ ମିଳୁଛି ।

ଏକ ଆଲିଙ୍ଗନ ଓ ଏକ ଜନ୍ମ ଦିନ ‘ଉପହାର’: କେଜରୀୱାଲ୍ ଓ ପତ୍ନୀ ସୁନିତା ରାଜନୀତିରେ ଆଣୁଛନ୍ତି ପରିବର୍ତ୍ତନ
ଆପ୍‌ ଜିତିବା ପରେ କେଜରୀୱାଲ ନିଜ ପତ୍ନୀ ସୁନିତାଙ୍କୁ ହଗ୍ (ଆଲିଙ୍ଗନ) କରୁଛନ୍ତି ।
  • News18 Odia
  • Last Updated: February 13, 2020, 3:44 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
ଆଦ୍ରିଜା ବୋଷ୍‌ | News18 Odia Digital

ନୂଆ ଦିଲ୍ଲୀ: ୨୦୧୫ରେ ଅରବିନ୍ଦ କେଜରୀୱାଲ ଦିଲ୍ଲୀ ବିଧାନ ସଭା ନିର୍ବାଚନରେ ବିଜୟ ଲାଭ କରିବା ପରେ ତାଙ୍କ ପତ୍ନୀ ସୁନିତାଙ୍କୁ ସମସ୍ତଙ୍କ ସାମନାରେ ହଗ୍‌ (ଆଲିଙ୍ଗନ) କରିଥିଲେ । ସେହି ଫଟୋଟି ଭାରତୀୟ ରାଜନେତାମାନେ ସେ ପର୍ଯ୍ୟନ୍ତ ନିଜକୁ ଜନତାଙ୍କ ସାମନାକୁ ଆଣିବା ପାଇଁ ଆପଣେଇଥିବା ସବୁ ମାନଦଣ୍ଡକୁ ଭାଙ୍ଗିଦେଇଥିଲା ।

ପାଞ୍ଚ ବର୍ଷ ପରେ, ଏଇ ଫ୍ରେବୃୟାରୀ ୧୧, ୨୦୨୦ର ଭୋଟ ଗଣତି ଦିନ ସେ ଦିଲ୍ଲୀରେ ଜିତିବାର ଠିକ୍‌ ପୂର୍ବରୁ ଓ ପରେ ଆସିଥିବା ତାଙ୍କର ଫଟୋସବୁକୁ ଦେଖିଲେ ସେ ଯେ ଜଣେ ଭିନ୍ନ କିସମର ରାଜନେତା ତାହା ଆହୁରି ସ୍ପଷ୍ଟ ହୋଇଯିବ ।

କେଜରୀୱାଲଙ୍କ ଆମ୍ ଆଦମୀ ପାର୍ଟି (AAP) ପାଞ୍ଚ ବର୍ଷ ପୂର୍ବେ କରିଥିବା ନିଜର ଉତ୍ତମ ପ୍ରଦର୍ଶନକୁ ଦୋହରାଇ ଏ ଥର ଦିଲ୍ଲୀର ୭୦ଟି ଆସନରୁ ୬୨ଟି ଜିତିଛି । ଫଳାଫଳ ଘୋଷଣା ହେବାର ଠିକ ପରେ କେଜରୀୱାଲ ନିଜ ପତ୍ନୀଙ୍କୁ କେକ୍‌ ଖୁଆଉଥିବାର ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି । ଦିଲ୍ଲୀର ଆପ କାର୍ଯ୍ୟାଳୟରେ ସେ ନିଜର ପିତା ଓ ପିଲାମାନଙ୍କ ସହିତ ପତ୍ନୀ ସୁନିତାଙ୍କ ୫୪ତମ ଜନ୍ମ ଦିବସ ପାଳିଥିଲେ । ବହୁତ ଶୀଘ୍ର ତାଙ୍କର ଏହି ବିଜୟ ତାଙ୍କ ପତ୍ନୀଙ୍କ ପାଇଁ ‘ଜନ୍ମଦିନର ଉପହାର’ ପାଲଟିଯାଇଥିଲା ।

ସୁନିତା ମିଡ଼ିଆକୁ କହିଛନ୍ତି: ‘‘ମୋ’ର ବିଶ୍ବାସ ଥିଲା ବିଜୟ ନିଶ୍ଚିତ ହେବ ଓ ବହୁତ ଭଲ ବିଜୟ ହେବ । ଦିଲ୍ଲୀର ଲୋକେ ଏକ ଭଲ ଉପହାର ଦେଇଛନ୍ତି ।’’

‘ମାଚ଼ୋ’ ବା ମର୍ଦାଙ୍ଗୀପୂର୍ଣ୍ଣ ରାଜନେତାର ଛବି ଭାରତୀୟ ରାଜନୀତିରେ ନୂଆ ନୁହେଁ । ଏଠି ରାଜନେତାମାନେ ନିଜ ଛାତିର ଆକାର ବିଷୟରେ ସଗର୍ବେ ଭାଷଣ ଦିଅନ୍ତି, କିନ୍ତୁ ବିବାହିତ ହୋଇଥିଲେ ବି ଅଧିକାଂଶ ସମୟରେ ନିଜ ସହଧର୍ମିଣୀଙ୍କ ସହ ଲୋକଲୋଚ଼ନକୁ ଆସିବାରେ ଅନିଚ୍ଛା ପ୍ରକାଶ କରନ୍ତି । ଭାରତୀୟ ରାଜନେତା ଜଣେ ଏକାନ୍ତପ୍ରିୟ ବ୍ୟକ୍ତିତ୍ବ ହେବା, ଅବିବାହିତ ହୋଇଥିବା ବା ଆସକ୍ତିବିହୀନ ହୋଇଥିବାର ଯେଉଁ ଅବଧାରଣା ଅଛି ତାହା ବୋଧ ହୁଏ ପଶ୍ଚିମ ଦେଶମାନଙ୍କ ରାଜନୈତିକ ପରମ୍ପରାର ବିପରୀତ ଏଠି ନିଜ ବୈବାହିକ ସମ୍ପର୍କକୁ ଦେଖାଇବାର ଆବଶ୍ୟକତା ପଡ଼ୁ ନ ଥିବା ଯୋଗୁଁ ହିଁ ରହିଆସିଛି । ଭାରତୀୟ ରାଜନୀତିରେ ତ ଅବିବାହିତ ରହିବା ଏକ ପ୍ରକାର ଉତ୍ତମତାର ପ୍ରତୀକ ପାଲଟିଯାଇଛି ।

କେଜରୀୱାଲ ଓ ପତ୍ନୀ ସୁନିତା


ପୁରୁଷ ରାଜନେତାମାନେ ନିଜ ଭାବୁକତାକୁ ଅଧିକାଂଶ ସମୟରେ କ୍ରୋଧପୂର୍ଣ୍ଣ ଓ ଘୃଣ୍ୟ ରାଜନୈତିକ ପ୍ରଚ଼ାର ଅଭିଯାନରେ ଦେଖାଉଥିବା ବେଳେ ମହିଳା ରାଜନେତାମାନେ ନିଜ ପତିମାନଙ୍କୁ ସାଧାରଣତଃ ମିଡ଼ିଆଠାରୁ ଦୂରରେ ରଖିଥାନ୍ତି । ପ୍ରିୟଙ୍କା ଗାନ୍ଧୀଙ୍କ ପତି ରବର୍ଟ ଭଦ୍ରା ଅବଶ୍ୟ ଏକ ବ୍ୟତିକ୍ରମ, ହେଲେ ସେ (ପ୍ରିୟଙ୍କା) ଠିକ୍‌ ଏମିତି ସ୍ଥିତି କେବେ ବି ପସନ୍ଦ କରନ୍ତେ ନାହିଁ ।

ବାସ୍ତବରେ ସର୍ବସମ୍ମୁଖରେ ଆଲିଙ୍ଗନ କରିବା ଓ ଜଣେ ଅନ୍ୟ ଜଣଙ୍କୁ କେକ୍‌ ଖୁଆଇବା ତ ଦୂରର କଥା, ଏ ପର୍ଯ୍ୟନ୍ତ କୌଣସି ଭାରତୀୟ ରାଜନୈତିକ ଦମ୍ପତି ଏକ ଯୋଡ଼ି ଭାବରେ ନିଜ ବ୍ୟବହାର ପାଇଁ ଲୋକପ୍ରିୟ ହୋଇନାହାନ୍ତି । ଭାରତୀୟ ରାଜନେତାମାନେ କୌଣସି କାରଣ ବଶତଃ ବିଶ୍ୱାସ କରନ୍ତି ଯେ ମିଶେଲ୍‌ ଓ ବାରାକ୍‌ ଓବାମାଙ୍କ ପରି ସୁନ୍ଦର ଓ ପ୍ରେମପୂର୍ଣ୍ଣ ଯୋଡ଼ି ରୂପେ କେବେ ବି ଲୋକଙ୍କ ସାମନାକୁ ଆସିବା ଉଚ଼ିତ ନୁହେଁ କାରଣ ତା’ ଦ୍ୱାରା ମତଦାତାମାନେ ସେମାନଙ୍କ ସଚ୍ଚୋଟତାକୁ ସବୁବେଳେ ପରଖିବେ ।

ଦିଲ୍ଲୀରେ ବିଜୟ ପାଇବାର କିଛି ସମୟ ପରେ ଏକ ରୋଡ଼ ଶୋ ଆୟୋଜିତ କରିବା ପୂର୍ବରୁ କେଜରୀୱାଲ ଆପ୍‌ ମୁଖ୍ୟାଳୟର ବାଲକୋନୀରେ ନିଜ ଦଳର କିଛି ସହଯୋଗୀଙ୍କ ସହିତ ନିଜ ମୁହଁରେ ଏକ ପ୍ରଶସ୍ତ ହସ ଧରି ଠିଆ ହୋଇଥିଲେ । ୫୧ ବର୍ଷର ଏହି ପୂର୍ବ ପ୍ରଶାସକ ଓ ଭ୍ରଷ୍ଟାଚାର-ବିରୋଧୀ କାର୍ଯ୍ୟକର୍ତ୍ତା ଜୋରରେ କହିଲେ, ‘‘ଦିଲ୍ଲୀବାସୀ… ଆଇ ଲଭ୍‌ ୟୁ’’ । ତାଙ୍କ ଆଗରେ ସମବେତ ଶତାଧିକ କ୍ୟାଡ଼ର ଓ ସମର୍ଥକଙ୍କ ଏହା ଶୁଣି ଖୁସିରେ ଚ଼ିତ୍କାର କରିଥିଲେ । ସୁନିତା ତାଙ୍କ ପାଖରେ ଓଠରେ ସ୍ମିତ ହସ ଧରି ଠିଆ ହୋଇଥିଲେ ।

କେଜରୀୱାଲଙ୍କ ଏହି ଟିପ୍ପଣୀ ଅପ୍ରତ୍ୟାଶିତ ଥିଲା । ଆପଣ କେତେ ଥର ଜଣେ ରାଜନେତାଙ୍କୁ (ବା କୌଣସି ପୁରୁଷଙ୍କୁ) ନିଜ ପତ୍ନୀଙ୍କ ଜନ୍ମ ଦିନ ବିଷୟରେ ସାର୍ବଜନିକ ରୂପେ କହୁଥିବାର ଶୁଣିଛନ୍ତି?

‘‘ମୋ’ର କାର୍ଯ୍ୟକର୍ତ୍ତାମାନେ ଓ ମୋ’ ପରିବାର ମୋତେ ବହୁତ ସମର୍ଥନ କରିଛନ୍ତି । ଆଜି ମୋ’ ପତ୍ନୀଙ୍କ ଜନ୍ମ ଦିନ ବି! ମୁଁ ତ କେକ୍‌ ଖାଇଲି, ମୁଁ ଆପଣ ସମସ୍ତଙ୍କ ସହ କେକ୍‌ ସେୟାର ବି କରିବି । ଆପଣ ସମସ୍ତଙ୍କୁ ଧନ୍ୟବାଦ,’’ କହିଥିଲେ କେଜରୀୱାଲ୍‌ ।

ଜିତିବା ପରେ କେଜରୀୱାଲ୍‌ ଜନତାକୁ ଫ୍ଲାଇଂ କିସ୍‌ ଦେଉଛନ୍ତି ।


ସୁନିତା ଦିଲ୍ଲୀ ନିର୍ବାଚନରେ ନିଜ ପତିଙ୍କ ପାଇଁ ପ୍ରଚାର କରିଥିଲେ । ଆପ୍‌ କାର୍ଯ୍ୟକର୍ତ୍ତାଙ୍କ ସହିତ ଦ୍ବାର-ଦ୍ବାର ବୁଲିଥିଲେ । ସେଥିରୁ ଅନେକେ ସନ୍ଦେହ ବି ପ୍ରକାଶ କରିଥିଲେ ଯେ ସେ ହୁଏତ ରାଜନୀତିରେ ପ୍ରବେଶ କରିବେ । ହେଲେ ସେ ସ୍ପଷ୍ଟ ମନା କରିଥିଲେ ଓ କହିଥିଲେ: ‘‘ସମର୍ଥନର ବ୍ୟବସ୍ଥା ଆହୁରି ମଜବୁତ ହେବା ଆବଶ୍ୟକ’’।

ପାଞ୍ଚ ବର୍ଷ ପୂର୍ବେ ଦିଲ୍ଲୀରେ ଐତିହାସିକ ବିଜୟ ପାଇବା ପରେ କେଜରୀୱାଲ୍‌ ସମସ୍ତଙ୍କ ସାମନାରେ ସୁନିତାଙ୍କୁ ଜାବୁଡ଼ି ଧରି କହିଥିଲେ: ‘‘ଇଏ ହେଉଛି ମୋ’ ପତ୍ନୀ ।ସେ କେବେ ଜନତାଙ୍କ ସମ୍ମୁଖକୁ ଆସିନାହାନ୍ତି । ଆଜି ମୁଁ ତାଙ୍କୁ ଏଠାକୁ ଆସିବାକୁ ବାଧ୍ୟ କରିଛି’’ ।

ଅନଲାଇନ୍‌ ପ୍ରକାଶନ ‘କ୍ବାର୍ଟଜ୍‌’ ମନ୍ତବ୍ୟ ଦେଇଛି ଯେ କେଜରୀୱାଲ ଓ ପତ୍ନୀ ସୁନିତାଙ୍କ ସର୍ବସମ୍ମୁଖରେ ଆଲିଙ୍ଗନ ମୋଦି ଓ ଓବାମାଙ୍କ ଆଲିଙ୍ଗନ ପରି ମହତ୍ୱପୂର୍ଣ୍ଣ କାରଣ ‘‘ଏହି ଗୋଟିଏ ଭଙ୍ଗୀ ଦ୍ୱାରା ଆପର ସହ-ସଂସ୍ଥାପକ ଦିଲ୍ଲୀର ଲକ୍ଷ୍ୟ ଲକ୍ଷ୍ୟ ମହିଳାଙ୍କୁ ନିଜ ପ୍ରତି ଆକୃଷ୍ଟ କରିନେଲେ । ମହିଳାମାନେ ଦିଲ୍ଲୀରେ ଏକ ବଡ଼ ଭୋଟ୍‌ ବ୍ୟାଙ୍କ୍‌ । ପାଖାପାଖି ୬୦ ଲକ୍ଷ ମହିଳା ଏ ଥର ଦିଲ୍ଲୀ ନିର୍ବାଚ଼ନରେ ଭୋଟ୍‌ ଦେଇଥିଲେ ।’’
First published: February 13, 2020, 3:44 AM IST