News 18 Odia Digital
Blind snake: ସାପ ଏପରି ଏକ ଜୀବ ଯାହାକୁ କେବଳ ମଣିଷ ଭୟ କରେ ତାହା ନୁହେଁ । ଅନେକ ପଶୁ, ପକ୍ଷୀ ମଧ୍ୟ ସାପକୁ ଦେଖିଲେ ଭୟ କରିଥାନ୍ତି । ସାପକୁ ଭୟ କରିବା ମଧ୍ୟ ସ୍ୱାଭାବିକ । କାରଣ ସାପ ଦାନ୍ତରେ ଥାଏ ହଳାହଳ ବିଷ । ଅଜାଣତରେ ସାପ ଉପରେ ପାଦ ପଡିଗଲେ ସେ ଆକ୍ରମଣ କରିଥାଏ । ସାପ ଏକ ବିଷାକ୍ତ ପ୍ରାଣୀ ହୋଇଥିବାରୁ ଅଧିକାଂଶ ଲୋକେ ଏହାକୁ ଭୟ କରନ୍ତି । ଦୁନିଆରେ ଆନୁମାନିକ ପ୍ରାୟ ୩ ହଜାର ପ୍ରଜାତିର ସାପ ଅଛନ୍ତି, କିନ୍ତୁ କେବଳ ୨୦୦ ପ୍ରଜାତିର ସାପ ବିଷାକ୍ତ ଅଟନ୍ତି । ଅର୍ଥାତ୍ ଯଦି ଉକ୍ତ ବିଷାକ୍ତ ପ୍ରଜାତିର ସାପ କାମୁଡେ ତେବେ ମଣିଷ ମରିଯାଇପାରେ ବୋଲି ସୂଚନା ରହିଛି । କିନ୍ତୁ କିଛି ବ୍ୟକ୍ତିଙ୍କର ଧାରଣା ରହିଛି ଯେ, ସମସ୍ତ ସାପ ବିଷାକ୍ତ ।
କେବଳ ବିଷ ନୁହେଁ ଅନେକ ସାପମାନଙ୍କର ଆକୃତି, ଗଠନ ତଥା ରଙ୍ଗ ମଧ୍ୟ ଅନ୍ୟକୁ ଭୟଭୀତ କରାଇବାର ଏକ କାରଣ । କେତେକ ସାପ ଅଜଗର ପରି ବଡ଼ ଓ ଆଉ କେତେକ ସାପଙ୍କର ଦୁଇଟି ମୁହଁ ରହିଥାଏ । ଆଜି ଆପଣଙ୍କୁ ଯେଉଁ ସାପ ବିଷୟରେ ଜଣାଇବାକୁ ଯାଉଛୁ ତାହା ଜାଣିବା ପରେ ଆପଣ ଆଶ୍ଚର୍ଯ୍ୟ ହୋଇପାରନ୍ତି । କାରଣ ଏହି ସାପଟିକୁ ଦେଖିବା ପରେ ଆପଣ ହୁଏତ ଭାବି ପାରନ୍ତି ଏହା ଏକ କୀଟପତଙ୍ଗ ହୋଇଥାଇପାରେ । କାରଣ ଏହି ସାପଟି ଦେଖିବାକୁ ଏକ ଛୋଟ କୀଟପତଙ୍ଗ ପରି । ଶରୀର ଖୁବ୍ ପତଳା ଏବଂ ଦେଖିବାକୁ ମଧ୍ୟ ଛୋଟ ।
ସାପଟିକୁ କେହି କେହି କୀଟ ସାପ କହୁଥିବାବେଳେ ଆଉ କିଛି ବ୍ୟକ୍ତି ବ୍ଲାଇଣ୍ଡ୍ ସ୍ନେକ୍ ବା ଅନ୍ଧ ସାପ ବୋଲି କହିଥାନ୍ତି । ଏହି ସାପର ସମ୍ପୂର୍ଣ୍ଣ ନାମ ହେଉଛି 'Indotyphlops braminus' । ଏହି ସାପଟିର ଗତିବିଧି ଏବଂ ରଙ୍ଗ ଠିକ କୀଟ ପରି ।
ଏହି ସାପକୁ ଅତି ନିକଟରୁ ଦେଖିବା ପରେ ଆପଣ ସ୍ପଷ୍ଟ ଭାବରେ ଜାଣିପାରିବେ ଯେ, ଏହାର ଶରୀରରେ ଛୋଟ ଛୋଟ ରେଖା ରହିଛି, ଏହାର ମୁଣ୍ଡ ନିକଟରେ ଦୁଇଟି ଛୋଟ ବିନ୍ଦୁ ଅଛି । ସେମାନଙ୍କ ଆଖି ଉପରେ ଏକ ଆବରଣ ରହିଛି, ଅର୍ଥାତ୍ ଇଣ୍ଡୋଥାଇପ୍ଲପ୍ସ ବ୍ରାମିନିଆସ୍ ସାପ ପ୍ରାୟ ଅନ୍ଧ । ସେମାନେ କିଛି ଦେଖିପାରନ୍ତି ନାହିଁ ।
ଆପଣଙ୍କ ମନକୁ ବର୍ତ୍ତମାନ ପ୍ରଶ୍ନ ଆସୁଥିବ ଯେ, ଏହି ସାପଟି କଣ ବିପଜ୍ଜନକ ?ସାପଙ୍କୁ ନେଇ ମନରେ ଭୟ ରହିଥିବାରୁ ଅନେକ ବ୍ୟକ୍ତି ସାପକୁ ଆଘାତ ଦିଅନ୍ତି ଯାହାଫଳରେ ସେମାନଙ୍କର ମୃତ୍ୟୁ ହୋଇଯାଏ । ତେଣୁ ଆପଣଙ୍କୁ କହିରଖିବୁ ଯେ, ସବୁ ସାପଙ୍କର ବିଷ ନଥାଏ । ଏକଥା ସତ ଯେ, ଅଜଗର କିମ୍ୱା ଆକାରରେ ବିଶାଳ ଶରୀର ରହିଥିବା ସାପମାନେ ଆଘାତ ପାଇଲେ ଶରୀରରେ ଗୁଡାଇ ହୋଇ ହାଡ଼ ଭାଙ୍ଗିଦିଅନ୍ତି । କିନ୍ତୁ ବ୍ଲାଇଣ୍ଡ୍ ସ୍ନେକ୍ ଆଦୌ ବିଷାକ୍ତ ନୁହେଁ । ଆପଣ ଏହାକୁ ନିଜ ପାଇଁ କେବେ ବିପଜ୍ଜନକ ବୋଲି ଭାବନ୍ତୁ ନାହିଁ । ଏହି ଛୋଟ ସାପ ସାଧାରଣତଃ ପିମ୍ପୁଡି, ଲାର୍ଭା, ଅଣ୍ଡା ଖାଇଥାନ୍ତି । ଏପରି ସାପ ମୁଖ୍ୟତ ଆଫ୍ରିକା ଏବଂ ଏସିଆ ମହାଦେଶକର କିଛି ସ୍ଥାନାରେ ଦେଖାଯାଇଥାଏ । ଏହି ସାପ ଏକାଥରକରେ ପ୍ରାୟ ୮ଟି ଅଣ୍ଡା ଦେଇପାରିଥାଏ ।
ଏହି ଖବର ପଢ଼ନ୍ତୁ -
ମାତ୍ର ୭୯୯ରେ ମିଳୁଛି 5G Smartphone! ଆମାଜନର ବଡ଼ ଅଫର୍ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।