News 18 Odia Digital
ନୂଆଦିଲ୍ଲୀ : ମଣିପୁରରେ ୬ ଜଣ ଜେଡିୟୁ ବିଧାୟକଙ୍କ ମଧ୍ୟରୁ ପାଞ୍ଚ ଜଣ ଶୁକ୍ରବାର ଦିନ ବିଜେପିରେ ଯୋଗ ଦେଇଛନ୍ତି । ମଣିପୁର ଜେଡିୟୁ ବିଧାୟକମାନେ ବିଜେପିରେ ଯୋଗଦେବା ପରେ ବିଜେପି ରାଜ୍ୟସଭା ସାଂସଦ ସୁଶୀଲ ମୋଦି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ କଟାକ୍ଷ କରି କହିଛନ୍ତି ଯେ ମଣିପୁର ଏବଂ ଅରୁଣାଚଳ ଭଳି ରାଜ୍ୟରୁ ଜେଡିୟୁ ମୁକ୍ତ ହୋଇଯାଇଛି ।
ଏହା ପୂର୍ବରୁ ଅଗଷ୍ଟ ପ୍ରଥମ ସପ୍ତାହରେ ନୀତିଶ କୁମାରଙ୍କ ଦଳ ଜେଡିୟୁ ବିହାରରେ ବିଜେପି ସହ ଗଠବନ୍ଧନ ସରକାରକୁ ଭାଙ୍ଗିବା ସହ ନ୍ୟାସନାଲ ଡେମୋକ୍ରାଟିକ୍ ଆଲାଇନ୍ସ (ଏନଡିଏ)ରୁ ଓହରି ଯାଇଥିଲା ।
ପାଟନାରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ବିଜେପି ଜାତୀୟ କାର୍ଯ୍ୟକାରିଣୀ ଵୈଠକ ପୂର୍ବରୁ ବିଜେପିରେ ଯୋଗ ଦେଇଥିବା ଜେଡିୟୁ ବିଧାୟକଙ୍କ ମଧ୍ୟରେ ଖୁମୁକୁମ୍ ସିଂ, ନଗୁରସାଙ୍ଗାଲୁର ସାନିଟ, ଆଖବ ଉଦ୍ଦିନ, ଥାନଜାମ ଅରୁଣ କୁମାର ଏବଂ ଏଲଏମ ଖୁଟେ ଅଛନ୍ତି । ମଣିପୁର ବିଧାନସଭାର ବାଚସ୍ପତି ଜେଡିୟୁର ବିଧାୟକଙ୍କ ବିଜେପି ସହିତ ମିଶ୍ରଣକୁ ମଧ୍ୟ ଅନୁମୋଦନ କରିଛନ୍ତି।
ଗତ ନଅ ଦିନ ମଧ୍ୟରେ ନୀତିଶ କୁମାରଙ୍କୁ ଏହା ହେଉଛି ଦ୍ୱିତୀୟ ଝଟକା ଲାଗିଛି । ଏହା ପୂର୍ବରୁ ଅଗଷ୍ଟ ୨୫ରେ ଅରୁଣାଚଳ ପ୍ରଦେଶର ଥିବା ଏକମାତ୍ର ବିଧାୟକ ଟେକି କାସୋ ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡାଙ୍କ ଉପସ୍ଥିତିରେ ବିଜେପିରେ ଯୋଗ ଦେଇଥିଲେ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।