News18 Odia Digital
ହାଇଦ୍ରାବାଦ: ସାର୍, ମତେ କ୍ୟାନ୍ସର ହୋଇଛି। ମୁଁ ଆଉ ବେଶୀ ଦିନ ବଞ୍ଚିବିନି। ଏ କଥା ଦୟାକରି ମୋ ବାପାମାଆଙ୍କୁ ଜଣାଇବେନି। ସେମାନେ ଜାଣିଲେ ତାଙ୍କୁ ବହୁତ କଷ୍ଟ ହେବ। ଡାକ୍ତରଙ୍କୁ ଏମିତି କିଛି କହି ନିବେଦନ କଲା ୬ ବର୍ଷର ନାବାଳକ। ଏହା ଶୁଣି ଭାବୁକ ହୋଇଗଲେ ଡାକ୍ତର ଏବଂ ସେୟାର କଲେ ଏକ ଭାବବିହ୍ୱଳ ପୋଷ୍ଟ।
ମଣିଷ ଜୀବନରେ ଦୁଇଟି ସତ। ଗୋଟିଏ ହେଉଛି ଜନ୍ମ ଏବଂ ଅନ୍ୟଟି ମୃତ୍ୟୁ। ମୃତ୍ୟୁ କେତେବେଳେ ଓ କେମିତି ଆସେ ତାହା କେହି କହିପାରିବେନି। କିନ୍ତୁ ନିଜର ମୃତ୍ୟୁର ସମୟ ଜାଣିପାରିଛି ଏକ ୬ ବର୍ଷର ଶିଶୁ। ଯିଏକି କର୍କଟ ଭଳି ଭୟାନକ ରୋଗରେ ପୀଡ଼ିତ। ୬ ବର୍ଷର ଶିଶୁ ହୋଇଥିଲେ ବି ବୁଦ୍ଧି କୌଣସି ବଡ଼ ଲୋକଠୁ କମ୍ ନୁହେଁ।
ବାପା-ମାଆ ନିଜ ପିଲାଙ୍କୁ କେତେ ଶ୍ରଦ୍ଧା କରନ୍ତି ତାହା ତ ସଭିଁଙ୍କୁ ଜଣା। ମାତ୍ର ବେଳେ ବେଳେ ପିଲାଙ୍କ ଭଲପାଇବା ବି ବଡ଼ ଲୋକଙ୍କ ଆଖିରେ ଲୁହ ଆଣି ଦିଏ। ଜଣେ ଛୋଟ ପିଲା ନିଜକୁ କର୍କଟ ହୋଇଛି ବୋଲି ଜାଣିବା ପରେ ଏକଥା ତା’ର ବାପାମାଆଙ୍କୁ ନଜଣାଇବା ପାଇଁ ଡାକ୍ତରଙ୍କୁ ଯେଉଁ ଭଳି ଭାବେ ନିବେଦନ କରିଥିଲା ତାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଚର୍ଚ୍ଚାର ବିଷୟ ପାଲଟିଛି।
ଏଭଳି ଘଟଣା ହାଇଦ୍ରାବାଦ୍ରରେ ଦେଖିବାକୁ ମିଳିଛି। ୬ ବର୍ଷର ଶିଶୁ ମନୁ। ଯେବେ ମନୁକୁ ଜଣାପଡ଼ିଲା କି ତାକୁ କର୍କଟ ହୋଇଛି ସେ ନିଜ ବାପା-ମାଆଙ୍କ ବିଷୟରେ ଭାବି ବିବ୍ରତ ହୋଇପଡ଼ିଲା। ତା’ ରୋଗ ବିଷୟରେ ଜାଣିଲେ ତା’ ବାପା-ମାଆ ମନ ଦୁଃଖ କରିବେ ଓ ଭାଙ୍ଗିପଡ଼ିବେ ବୋଲି ଚିନ୍ତା କରି ସେ ତା’ର ରୋଗ ବିଷୟରେ ନିଜ ପରିବାର ଲୋକଙ୍କୁ ନକହିବାକୁ ଡାକ୍ତରଙ୍କୁ ନିବେଦନ କରିଥିଲା।
ଏହି କଥାକୁ ହାଇଦ୍ରାବାଦ୍ର ଆପୋଲୋ ହସ୍ପିଟାଲର ନ୍ୟୁରୋଲୋଜିଷ୍ଟ ଡାକ୍ତର ସୁଧୀର ଗୁପ୍ତା ନିଜ ଟ୍ୱିଟର୍ ପେଜରେ ସେୟାର କରିଛନ୍ତି। ସେ ଲେଖିଛନ୍ତି, ‘‘୬ ବର୍ଷର ପିଲା ମୋତେ କହିଲା ସାର୍ ମୋତେ କର୍କଟ ହୋଇଛି ଓ ମୁଁ ଏବେ ୪ର୍ଥ ପର୍ଯ୍ୟାୟରେ। ଜମା ଆଉ ୬ ମାସ ବଞ୍ଚିବି। ମୁଁ ରୋଗ ବିଷୟରେ ଇଣ୍ଟର୍ନେଟରେ ପଢ଼ି ସବୁ ଜାଣିସାରିଛି। ହେଲେ ଏକଥା ମୋ ମାଆ-ବାପାଙ୍କୁ ଜଣାଇବେନି।’’
ଡାକ୍ତର ଜଣକ ଅନ୍ୟ ଏକ ଟ୍ୱିଟ୍ କରି ଲେଖିଛନ୍ତି ଯେ ପରବର୍ତ୍ତୀ ମୁହୂର୍ତ୍ତରେ ସେ ସମାନ କଥା ମନୁଙ୍କ ବାପା-ମାଆଙ୍କ ମୁହଁରୁ ମଧ୍ୟ ଶୁଣିଲେ। ମନୁର ବାପା-ମାଆ ଡାକ୍ତରଙ୍କୁ ଅନୁରୋଧ କରି ରୋଗ ବିଷୟରେ ମନୁକୁ ନ ଜଣାଇବା ପାଇଁ କହିଥିଲେ। ସେମାନେ କହିଥିଲେ ଯେ ମନୁକୁ ଆମେ କର୍କଟ ବିଷୟରେ ଲୁଚାଇଛୁ, ଆପଣ ବି କହିବେନି। ସନ୍ତାନ ଓ ବାପା-ମାଆଙ୍କର ପରସ୍ପର ପ୍ରତି ଥିବା ଏହି ଅନୁରାଗର କାହାଣୀ କାହାରି ବି ଆଖିରେ ଲୁହ ଆଣି ଦେଇପାରେ। ତେବେ ଏବେକା ଯୁଗରେ ପିଲାମାନେ ବାପାମା‘ଙ୍କୁ ବୃଦ୍ଧାଶ୍ରମରେ ଛାଡ଼ି ଦେଉଥିବା ବେଳେ ମନୁ ଭଳି ଏକ ନାବାଳକ ସମସ୍ତଙ୍କ ପାଇଁ ଉଦାହରଣ ସାଜିଛି। କେବଳ ବାପା-ମା‘ଙ୍କ ପ୍ରତି ଭଲ ପାଇବା ତାହା ନୁହେଁ, ଏତେ ଛୋଟ ବୟସରେ ମୃତ୍ୟୁତୁ ହୃଦୟଙ୍ଗମ କରିପାରିବା ବି ଏକ ପ୍ରକାର ଉଦାହରଣ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।