News18 Odia Digital
ନୂଆ ଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା ଏମ୍ଏସକେ ପ୍ରସାଦଙ୍କ ନେତୃତ୍ବାଧୀନ ଚୟନ ସମିତିର କାର୍ଯ୍ୟକାଳ ସରିଯାଇଥିବାରୁ ବର୍ତ୍ତମାନ ନୂତନ ଚୟନ ସମିତି ଅଧ୍ୟକ୍ଷ ଖୋଜା ପ୍ରକ୍ରିୟା ଆରମ୍ଭ କରାଯାଇଛି । ଏହି ପଦବୀ ଲାଗି ପୂର୍ବତନ ଭାରତୀୟ ଲେଗ ସ୍ପିନର ଲକ୍ଷ୍ମଣ ଶିବରାମକୃଷ୍ଣନ, ପୂର୍ବତନ ଅଫ୍ ସ୍ପିନର ରାଜେଶ ଚୌହାନ ଏବଂ ପୂର୍ବତନ ବାମହାତି ବ୍ୟଟସମ୍ୟାନ ଅମୟ ଖୁରାସିଆ ଆବେଦନ କରିଥିବା ଜଣାପଡ଼ିଛି । ଏମଏସକେ ପ୍ରସାଦଙ୍କ ନେତୃତ୍ବାଧୀନ ଚୟନ ସମିତିର କାର୍ଯ୍ୟକାଳ ସମୟରେ ଟିମ୍ ଇଣ୍ଡିଆ ଦୁଇଟି ଆଇସିସି ଟୁର୍ଣ୍ଣମେଣ୍ଟ ଖଳିଥିଲା । ୨୦୧୭ରେ ଚାମ୍ପିଅନ୍ସ ଟ୍ରଫିରେ ରନରଅପ୍ ହୋଇଥିବାବେଳେ ଆଇସିସି କ୍ରିକେଟ ବିଶ୍ବକପରେ ସେମିଫାଇନାଲରେ ନ୍ୟୁଜିଲାଣ୍ଡଠାରୁ ହାରିଯାଇଥିଲା । ତେବେ ଏହି ପଦବୀ ଲାଗି ଆବେଦନ କରିଥିବା ଖେଳାଳିମାନଙ୍କ କ୍ୟାରିଅର ସମ୍ପର୍କରେ ଜାରନ୍ତୁ ।
ଲକ୍ଷ୍ମଣ ଶିବରାମକୃଷ୍ଣନ

ଲକ୍ଷ୍ମଣ ଶିବରାମ କୃଷ୍ଣନ
ଟିମ୍ ଇଣ୍ଡିଆର ପୂର୍ବତନ ଲେଗ ସ୍ପିନର ଲକ୍ଷ୍ମଣ ଶିବରାମକୃଷ୍ଣନ ୯ଟି ଟେଷ୍ଟ, ୧୬ଟି ଓ୍ବାନଡେରେ ଦେଶପାଇଁ ପ୍ରତିନିଧିତ୍ବ କରିଛନ୍ତି । ଟେଷ୍ଟରେ ୨୬ ଟି ଉଇକେଟ ନେଇଥିବାବେଳେ ଓ୍ବାନଡରେ ୧୫ଟି ଉଇକେଟ୍ ନେଇଛନ୍ତି । ବର୍ତ୍ତମାନ ସେ ଭାଷ୍ୟକାର ଭାବେ କାର୍ଯ୍ୟକରୁଛନ୍ତି । ଶିବରାମକୃଷ୍ଣନ ୧୯୮୩ରୁ ୧୯୮୭ ମଧ୍ୟରେ ଭାରତୀୟ ଦଳର ସଦସ୍ୟ ରହିଥିଲେ । ବେନସନ୍ ଏବଂ ହେଜେସ ବିଶ୍ବ ଚାମ୍ପିଅନସିପ୍ ରେ ଭାରତୀୟ ଦଳର ବିଜୟର ହିରୋଥିଲେ ଲକ୍ଷ୍ମଣ । ସେ ବିଗତ ୨୦ ବର୍ଷ ଧରି ଭାଷ୍ୟକାର ଭୂମିକା ନିର୍ବାହ କରୁଥିବାବେଳେ ଜାତୀୟ କ୍ରିକେଟ ଏକାଡେମୀରେ ସ୍ପିନ ବୋଲିଂ କୋଚ ଭୂମିକା ନିର୍ବାହ କରିସାରିଛନ୍ତି । ଶିବ କହିଛନ୍ତି ଯେ, ମୁଁ ମୋର ପରିବାର ସହିତ କଥା ହେବା ପରେ ଏହି ପଦବୀ ଲାଗି ଆବେଦନ କରିବାକୁ ଆଗ୍ରହ ପ୍ରକାଶ କରିଥିଲି । ‘‘ ଯଦି ବିସିସିଆଇ ମୋତେ ସୁଯୋଗ ଦେବ ତାହାଲେ ମୁଁ ପରିବର୍ତ୍ତନ କରିବି । ଯଦି ମୋତେ ୪ବର୍ଷର କାର୍ଯ୍ୟକାଳ ମିଳେ ତାହାଲେ ଭାରତୀ କ୍ରିକେଟକୁ ଭଲସ୍ଥିତିରେ ପହଞ୍ଚାଇବି ବିଶେଷକରି ସ୍ପିନ ବିଭାଗରେ । ଯୁଜବେନ୍ଦ୍ର ଚହଲଙ୍କ ବୋଲିଂ ଦେଖି ସେ ଭାରତୀୟ ଦଳ ଲାଗି ଉପଯୋଗୀ ହୋଇପାରିବେ ବୋଲି ମେନେଜମେଣ୍ଟକୁ କହିଥିଲେ ବୋଲି କହିଛନ୍ତି‘‘ ।
ରାଜେଶ ଚୌହାନ

ରାଜେଶ ଚୌହାନ
ଭାରତୀୟ ଟିମର ପୂର୍ବତନ ଅଫସ୍ପିନର ରାଜେଶ ଚୌହାନ ଭାରତ ଲାଗି ୨୧ ଟି ଟେଷ୍ଟ ୩୫ଟି ଏକଦିବସୀୟ ଖେଳିଛନ୍ତି । ଟେଷ୍ଟରେ ୪୭ଟି ଉଇକେଟ ନେଇଥିବାବେଳେ ଏକଦିବସୀୟରେ ୨୯ଟି ଉଇକେଟ ନେଇଛନ୍ତି । ୯୦ ଦଶକରେ ଚୌହାନ ଟିମ୍ ଇଣ୍ଡିଆର ଧୁରନ୍ଦର ଖେଳାଳି ଭେଙ୍କଟପତି ରାଜୁ ଏବଂ ଅନୀଲ କୁମ୍ବଲେଙ୍କ ସହିତ ମ୍ୟାଚ ଖେଳିଥିଲେ । ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ‘‘ ମୁଁ ଗତଥର ମଧ୍ୟ ଏହି ପଦବୀ ଲାଗି ଆବେଦନ କରିଥିଲି, ଏହି କାମକୁ ନେଇ ମୁଁ ବହୁତ ଉତ୍ସାହିତ ଅଛି । ଆଶାକରୁଛି ମୋ ନାମ ବିଚାରକୁ ନିଆଯିବ ।
ଅମୟ ଖୁରାସିଆ

ଅମୟ ଖୁରାସିଆ
ମୁଖ୍ୟ ଚୟନକର୍ତ୍ତା ପଦବୀ ଲାଗି ଆବେଦନ କରିଥିବା ୩ଜଣଙ୍କ ମଧ୍ୟରେ ଅମୟ ହେଉଛନ୍ତି କମ୍ ଅନୁଭବୀ । ଅମୟ ଭାରତ ପାଇଁ ୧୨ଟି ଏକଦିବସୀୟ ଖେଳିଥିବାବେଳେ ୧୧ଟି ଇନିଂସରେ ୧୪୯ରନ୍ ସ୍କୋର କରିଛନ୍ତି । ସେହିପରି ପ୍ରଥମଶ୍ରେଣୀ କ୍ରିକେଟରେ ସେ ୧୧୯ଟି ମ୍ୟାଚ ଖେଳି ୪୦.୮୦ ଆଭାରେଜରେ ୭୩୦୪ ରନ ସ୍କୋର କରିଛନ୍ତି । ଏଥିରେ ୨୧ ଶତକ ଏବଂ ୩୧ ଅର୍ଦ୍ଧ ଶତକ ସାମିଲ ଅଛି । ୧୧୨ଟି ଲିଷ୍ଟ ଏ ମ୍ୟାଚରେ ଖୁରାସିଆ ୩୮.୦୬ ଆଭାରେଜରେ ୩୭୬୮ ରନ୍ ସ୍କୋର କରିଛନ୍ତି ।
ମୁଖ୍ୟ ଚୟନକର୍ତ୍ତା ପଦବୀ ଲାଗି ଆବେଦନର ସମୟସୀମା ୨୪ ଜାନୁଆରୀ ରଖାଯାଇଛି । ବିସିସିଆଇ ବର୍ତ୍ତମାନର ଚୟନ ସମିତିରେ ଦକ୍ଷିଣ କ୍ଷେତ୍ରରୁ ଏମଏସକେ ପ୍ରସାଦ, ମଧ୍ୟରୁ ଗଗନ ଖୋଡ଼ାଙ୍କର କାର୍ଯ୍ୟକାଳ ସମ୍ପୂର୍ଣ୍ଣ ହୋଇଛି । ସେହିପରି ଉତ୍ତର କ୍ଷେତ୍ରରେ ଶରଣଦୀପ ସିଂ, ପଶ୍ଚିମ କ୍ଷେତ୍ରରୁ ଯତିନ ପରାଞ୍ଜପେ ଏବଂ ପୂର୍ବ କ୍ଷେତ୍ରରୁ ଦେବାଙ୍ଗ ଗାନ୍ଧୀଙ୍କ ଆହୁରି ଗୋଟିଏ ସତ୍ରର କାର୍ଯ୍ୟକାଳ ବାକି ଅଛି । ପୂର୍ବତନ ଭାରତୀୟ ବୋଲର ଭେଙ୍କଟେଶ ପ୍ରସାଦ ଏବଂ ପୂର୍ବତନ କୋଚ ସଞ୍ଜୟ ବାଙ୍ଗର ମୁଖ୍ୟ ଚୟନକର୍ତ୍ତା ପଦବୀ ଲାଗି ଆବେଦନ କରିପାରନ୍ତି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।