News18 Odia Digital
ନବନିର୍ବାଚିତ ୫୭ଜଣ ରାଜ୍ୟସଭା ସଦସ୍ୟଙ୍କ ମଧ୍ୟରୁ ୨୩ ଜଣ (ପ୍ରାୟ ୪୦ ପ୍ରତିଶତ) ନିଜ ନିର୍ବାଚନରେ ନିଜ ବିରୋଧରେ ଅପରାଧିକ ମାମଲା ଘୋଷଣା କରିଛନ୍ତି, ସେଥିମଧ୍ୟରୁ ନଅ ଜଣ ବିଜେପିର ଏବଂ ଚାରିଜଣ କଂଗ୍ରେସର।
ଏଥିମଧ୍ୟରୁ ଉତ୍ତରପ୍ରଦେଶରୁ ୬ ଜଣ ରାଜ୍ୟସଭା ସାଂସଦ, ମହାରାଷ୍ଟ୍ର ଏବଂ ବିହାରରୁ ଚାରିଜଣ, ତାମିଲନାଡୁରୁ ତିନିଜଣ, ତେଲେଙ୍ଗାନାରୁ ଦୁଇଜଣ ଏବଂ ଆନ୍ଧ୍ରପ୍ରଦେଶ, ଛତିଶଗଡ, ରାଜସ୍ଥାନ ଏବଂ ହରିୟାଣାର ପ୍ରତ୍ୟେକ ନିର୍ବାଚିତ ହୋଇଛନ୍ତି। ସାଂସଦମାନେ ଦେଇଥିବା ସତ୍ୟପାଠ ରିପୋର୍ଟକୁ ବିଶ୍ଳେଷଣ କରିବା ପରେ ଏଡିଆର୍ (ଆସୋସିଏସନ ଫର୍ ଡେମୋକ୍ରାଟିକ ରିସର୍ଚ୍ଚ) ପକ୍ଷରୁ ପ୍ରସ୍ତୁତ ରିପୋର୍ଟରୁ ଏହି ବିଷୟ ସାମ୍ନାକୁ ଆସିଛି। ରାଜ୍ୟସଭାକୁ ନିର୍ବାଚିତ ହୋଇଥିବା ସମୁଦାୟ ସାଂସଦଙ୍କ ମଧ୍ୟରୁ ୯୩ ପ୍ରତିଶତ ସାଂସଦ ହେଉଛନ୍ତି କୋଟିପତି। ଏଥିରେ ବିଜେଡ଼ିର ୩ ଜଣ କୋଟିପତି ସାଂସଦ ରହିଛନ୍ତି।
୫୩ କୋଟିପତି ରାଜ୍ୟସଭା ସାଂସଦଙ୍କ ଭିତରୁ ତେଲେଙ୍ଗାନାର ଟିଆର୍ଏସ୍ ସାଂସଦ ଡ ବି ପାର୍ଥ ସାରଥୀଙ୍କ ସମ୍ପତ୍ତି ସର୍ବାଧିକ ୫୩୦୦ କୋଟି ଟଙ୍କା ରହିଛି। ନବ ନିର୍ବାଚିତ କୋଟିପତି ସାଂସଦଙ୍କ ମଧ୍ୟରେ ସେ ଶୀର୍ଷରେ ଥିବାବେଳେ ଦ୍ବିତୀୟ ସ୍ଥାନରେ ଉତ୍ତର ପ୍ରଦେଶରୁ ସମାଜବାଦୀ ପାର୍ଟି ସମର୍ଥନରେ ନିର୍ବାଚିତ ହୋଇଥିବା କପିଲ ସିବଲ ଦ୍ବିତୀୟ ସ୍ଥାନରେ ରହିଛନ୍ତି। ତାଙ୍କର ମୋଟ ସଂପତ୍ତି ୬୦୮ କୋଟି ଟଙ୍କା ରହିଛି। ସେହିଭଳି ତୃତୀୟ ସ୍ଥାନରେ ପଞ୍ଜାବରୁ ଆପ୍ ସାଂସଦ ଭାବେ ନିର୍ବାଚିତ ହୋଇଥିବା ବିକ୍ରମଜିତ ସିଂହ ରହିଛନ୍ତି। ତାଙ୍କର ମୋଟ ସଂପତ୍ତି ୪୯୮ କୋଟି ଟଙ୍କା ରହିଛି। ଚତୁର୍ଥ ସ୍ଥାନରେ ମହାରାଷ୍ଟ୍ରର ଏନସିପି ନେତା ପ୍ରଫୁଲ୍ଲ ପଟେଲ(୪୧୬ କୋଟି), ପଞ୍ଚମରେ ହରିୟାଣାରୁ ନିର୍ବାଚିତ କାର୍ତ୍ତିକ ଶର୍ମା (୩୯୦ କୋଟି), ଷଷ୍ଠରେ ମସ୍ଥାନ ରାଓ ବିଦା (୨୪୩ କୋଟି), ସପ୍ତମରେ ପି ଚିଦମ୍ବରମ(୧୯୭ କୋଟି), ଅଷ୍ଟମରେ ରାଜସ୍ଥାନର ମୁକୁଲ ୱାସନିକ(୧୩୧ କୋଟି), ନବମ ସ୍ଥାନରେ ତେଲେଙ୍ଗାନାର ଦି ଦାମୋଦର ରାଓ (୧୨୪ କୋଟି) ଏବଂ ଦଶମ ସ୍ଥାନରେ ଭି ତନଖା (୧୦୫ କୋଟି) ରହିଛନ୍ତି।
ଓଡ଼ିଶାରୁ ରାଜ୍ୟସଭାକୁ ବିଜେଡି ଟିକଟରେ ନିର୍ବାଚିତ ହୋଇଥିବା ଚାରି ରାଜ୍ୟସଭା ସାଂସଦଙ୍କ ମଧ୍ୟରୁ ୩ ଜଣ କୋଟିପତି। ସେମାନଙ୍କ ମଧ୍ୟରୁ ମାନସ ମଙ୍ଗରାଜଙ୍କ ସଂପତ୍ତି ୮ କୋଟି ୭୯ ଲକ୍ଷ, ସସ୍ମିତ ପାତ୍ରଙ୍କ ସଂପତ୍ତି ୨ କୋଟି ୬୯ ଲକ୍ଷ, ସୁଲତା ଦେଓଙ୍କ ସଂପତ୍ତି ୧ କୋଟି ୬୮ ଲକ୍ଷ ଟଙ୍କାରୁ ଅଧିକ ରହିଥିବା ରିପୋର୍ଟରେ ଦର୍ଶାଯାଇଛି।
୧୨ ଜଣ (୨୧ ପ୍ରତିଶତ) ସାଂସଦଙ୍କ ନାମରେ ଗୁରୁତର ଅପରାଧିକ ମାମଲା ରହିଛି। ଜଣେ ସାଂସଦଙ୍କ ନାମରେ ହତ୍ୟା ମାମଲା ଥିବାବେଳେ ଜଣଙ୍କ ନାମରେ ହତ୍ୟା ଉଦ୍ୟମ ଏବଂ ଜଣେ ସାଂସଦଙ୍କ ନାମରେ ମହିଳାଙ୍କ ବିରୋଧରେ ଅପରାଧିକ ମାମଲା ରହିଛି। ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ନିର୍ବାଚିତ ୩ ରାଜ୍ୟସଭା ସାଂସଦଙ୍କ ନାମରେ କୌଣସି ଅପରାଧିକ ମାମଲା ନଥିବା ଆସୋସିଏସନ ଫର ଡେମୋକ୍ରେଟିକ ରିଫର୍ମସ(ଏଡିଆର) ରିପୋର୍ଟରେ ଦର୍ଶାଯାଇଛି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।