ତାମିଲ ନାଡୁରେ ଭୟଙ୍କର ସଡ଼କ ଦୁର୍ଘଟଣା: ଘରୋଇ ବସ୍ ଓ ଟ୍ରକ୍ ଧକ୍କାରେ ୨୦ ମୃତ, ୨୪ ଆହତ

ବସର ଆଗ ଆଡ଼କୁ ବସିଥିବା ୨୦ ଜଣ ଯାତ୍ରୀଙ୍କର ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା । ଉଭୟ ବସ୍ ଓ ଟ୍ରକର ଡ୍ରାଇଭର୍ ମଧ୍ୟ ମୃତ୍ୟୁବରଣ କରିଛନ୍ତି ।

ତାମିଲ ନାଡୁରେ ଭୟଙ୍କର ସଡ଼କ ଦୁର୍ଘଟଣା: ଘରୋଇ ବସ୍ ଓ ଟ୍ରକ୍ ଧକ୍କାରେ ୨୦ ମୃତ, ୨୪ ଆହତ
ଦୁର୍ଘଟଣା ସ୍ଥଳର ଦୃଶ୍ୟ
  • News18 Odia
  • Last Updated: February 20, 2020, 3:07 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ତାମିଲ ନାଡୁର ତିରୁପୁର ଜିଲ୍ଲାର ଅବିନାଶୀରେ ଆଜି ସକାଳେ ଏକ ବଡ଼ ସଡ଼କ ଦୁର୍ଘଟଣାରେ ୨୦ ଜଣ ଲୋକ ମୃତ୍ୟୁ ବରଣ କରିଛନ୍ତି ଓ ୨୪ ଜଣ ଗୁରୁତର ଆହତ ହୋଇଛନ୍ତି । ଏହି ଦୁର୍ଘଟଣା ଏକ ବସ୍ ସହ ଏକ ଟ୍ରକର ଧକ୍କା ଯୋଗୁଁ ଘଟିଥିଲା ।

ଦୁର୍ଘଟଣାର ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ବସ୍ରୁ ବାହାର କରି ହସ୍ପିଟାଲକୁ ପଠାଇଥିଲା । ଆହତମାନଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା ଅତି ଗୁରୁତର ଥିବା ଜଣାଯାଇଛି । ସୂଚ଼ନା ଅନୁସାରେ କେରଳ ରାଜ୍ୟ ସଡ଼କ ପରିବହନ ନିଗମ (କେଏସ୍ଆରଟିସି)ର ଏହି ବସ୍‌ ବେଙ୍ଗାଲୁରୁରୁ ଏର୍ଣ୍ଣାକୁଲମ୍‌ ଯାଉଥିବା ସମୟରେ ତାମିଲନାଡୁର ଅବିନାଶୀରେ ଏକ କଣ୍ଟେନର୍‌ ଟ୍ରକ୍ ସହ ଭୋର୍‌ ପାଖାପାଖି ୩:୩୦ରେ ମୁହାଁମୁହିଁ ଧକ୍କା ହୋଇଥିଲା ।

ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ବସର ଆଗ ଅଂଶ ସମ୍ପୁର୍ଣ୍ଣ ରୂପେ ଟ୍ରକ ତଳେ ଦବି ଯାଇଥିଲା । ବସର ଆଗ ଆଡ଼କୁ ବସିଥିବା ୨୦ ଜଣ ଯାତ୍ରୀଙ୍କର ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା । ଉଭୟ ବସ୍‌ ଓ ଟ୍ରକର ଡ୍ରାଇଭର୍‌ ମଧ୍ୟ ମୃତ୍ୟୁବରଣ କରିଛନ୍ତି ।

ପୋଲିସ ଘଟଣାର ଅନୁସନ୍ଧାନ କରୁଛି । ପ୍ରାଥମିକ ଅନୁସନ୍ଧାନରୁ ଜଣାଯାଇଛି ଯେ ବସଟି ୪୮ ସିଟ୍ ବିଶିଷ୍ଟ ଥିଲା ଓ ଏହି ଦୁର୍ଘଟଣା ହେବା ସମୟରେ ବସର ଯାତ୍ରୀମାନେ ଶୋଇପଡି଼ଥିଲେ ।

ମୃତ୍ୟୁ ବରଣ କରିଥିବା ୧୪ ଜଣ ଲୋକଙ୍କୁ ଅବିନାଶୀର ଏକ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିବା ବେଳେ ତିନିଟି ମୃତ ଦେହକୁ ସରକାରୀ ହସ୍ପିଟାଲରେ ରଖାଯାଇଛି । ଆଉ ଜଣେ ମୃତକଙ୍କର ପରିଚ଼ୟ ଏ ପର୍ଯ୍ୟନ୍ତ ମିଳିପାରି ନାହିଁ ।

ତାମିଲନାଡ଼ୁରେ ଆଜି ଘଟିଥିବା ଆଉ ଏକ ସଡ଼କ ଦୁର୍ଘଟଣାରେ ପାଞ୍ଚ ଜଣ ତୀର୍ଥ ଯାତ୍ରୀ ମୃତ୍ୟୁବରଣ କରିଛନ୍ତି । ଏକ ଘରୋଇ ଓମ୍ନି ଲଗ୍ଜରୀ ବସ୍‌ ଓ ଏକ ମିନି ବସ୍‌ ମଧ୍ୟରେ ଏହି ଦୁର୍ଘଟଣା ହୋଇଥିଲା । ମିନି ବସଟି କନ୍ୟାକୁମାରୀରୁ ରାଜସ୍ଥାନ ଯାଉଥିଲା ।
First published: February 20, 2020, 3:07 PM IST
corona virus btn
corona virus btn
Loading