ଛତିଶଗଡ଼ର ସୁକମାରେ ମାଓବାଦୀଙ୍କ ସହ ଗୁଳି ବିନିମୟରେ ୧୭ ଜଣ ସୁରକ୍ଷା କର୍ମୀ ମୃତ

ବରିଷ୍ଠ ମାଓବାଦୀ ନେତା ହିଡମାଙ୍କ ନିୟନ୍ତ୍ରଣରେ ଥିବା ପି.ଏଲ୍.ଜି.ଏ.ର ପାଖାପାଖି ୨୫୦ ମାଓବାଦୀ ଓ କମ୍ପାନୀ ୨ ନିୟନ୍ତ୍ରଣରେ ଥିବା ଅନ୍ୟ ମାଓବାଦୀ ସୁରକ୍ଷା କର୍ମୀଙ୍କୁ ଆକ୍ରମଣ କରିଥିଲେ ବୋଲି ସୂଚନା ମିଳିଛି ।

ଛତିଶଗଡ଼ର ସୁକମାରେ ମାଓବାଦୀଙ୍କ ସହ ଗୁଳି ବିନିମୟରେ ୧୭ ଜଣ ସୁରକ୍ଷା କର୍ମୀ ମୃତ
ଆହତ ଯୱାନମାନଙ୍କୁ ହସପିଟାଲରେ ଭେଟୁଛନ୍ତି ମୁଖ୍ୟ ମନ୍ତ୍ରୀ ଭୁପେଶ ବଘେଲ୍ ।
  • News18 Odia
  • Last Updated: March 22, 2020, 6:53 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ରାୟପୁର: ଛତିଶଗଡ଼ର ସୁକମାରେ ମାଓବାଦୀଙ୍କ ସହ ଗୁଳି ବିନିମୟରେ ୧୭ ଜଣ ସୁରକ୍ଷା କର୍ମୀ ପ୍ରାଣ ହରେଇଛନ୍ତି । ବସ୍ତର ଜିଲ୍ଲାର ଚିଣ୍ଟାଗୁଫାରେ ଶନିବାର ଅପରାହ୍ଣରେ ହୋଇଥିବା ଏନକାଉଣ୍ଟର୍‌ ପରେ ଏହି ସୁରକ୍ଷା କର୍ମୀମାନେ ନିଖୋଜ ହୋଇଯାଇଥିଲେ । ସେମାନଙ୍କ ମୃତ ଶରୀର ଆଜି ମିଳିଛି । ମୃତକମାନଙ୍କ ମଧ୍ୟରେ ୧୨ ଜଣ ଜିଲ୍ଲା ରିଜର୍ଭ ଫୋର୍ସ (DRG) ଓ ପାଞ୍ଚ ଜଣ ଏସ୍‌.ଟି.ଏଫ୍‌. (STF)ର  ବୋଲି ଛତିଶଗଡ଼ ପୋଲିସ ପକ୍ଷରୁ କୁହାଯାଇଛି ।

ସୁକମାର ଚିଣ୍ଟାଗୁଫା, ବୁର୍କାପାଲ ଓ ତିମେଲୱାଡାରୁ ଡି.ଆର୍‌.ଜି., ଏସ୍‌.ଟି.ଏଫ୍‌. ଓ କୋବ୍ରା (CoBRA)ର ଏକ ସଂଯୁକ୍ତ ଦଳକୁ ଏଲମାଗୁଣ୍ଡାକୁ ପଠାଯାଇଥିଲା, ଯେଉଁଠି ନକ୍ସଲମାନେ ଏକତ୍ରିତ ହୋଇଥିବାର ସୂଚନା ମିଳିଥିଲା । ଏହି ଦଳ ଏଲମାଗୁଣ୍ଡାରେ ପହଞ୍ଚି ଫେରୁଥିବା ବେଳେ କୋରଜଗୁଡା ପାହାଡ଼ ନିକଟରେ ଲୁଚିରହିଥିବା ମାଓବାଦୀମାନେ ସେମାନଙ୍କ ଉପରେ ଅତର୍କିତ ଆକ୍ରମଣ କରିଥିଲେ । ଗୁଳି ବିନିମୟରେ ପନ୍ଦର ଜଣ ଯବାନ ଆହତ ହୋଇଥିଲେ ।

ଛତିଶଗଡ଼ ଡିଜିପି ଦୁର୍ଗେଶ ଅୱସ୍ଥି କହିଛନ୍ତି ଯେ ସୁରକ୍ଷା କର୍ମୀମାନଙ୍କୁ ସୂଚନା ମିଳିଥିଲା ଯେ ପି.ଏଲ୍‌.ଜି.ଏ. ୧ (PLGA 1) ଓ କମ୍ପାନୀ ୨ର ମାଓବାଦୀମାନେ ଏଲମାଗୁଣ୍ଡାରେ ଏକାଠି ହୋଇଛନ୍ତି । “ଏହା ମାଓବାଦୀମାନଙ୍କର ବିଜେପୁର ଓ ସୁକମା ଠାରୁ ବି ବିଡ଼ ମଣ୍ଡଳୀ ଥିଲା । ସୂଚନା ପାଇ ଆମର ଯବାନମାନେ ସେମାନଙ୍କ ସହ ଲଢ଼ିବାକୁ ଯାଇଥିଲେ ଓ ଆକ୍ରମଣର ସାମନା କରିଥିଲେ,’’ ସେ କହିଛନ୍ତି ।

ବରିଷ୍ଠ ମାଓବାଦୀ ନେତା ହିଡମାଙ୍କ ନିୟନ୍ତ୍ରଣରେ ଥିବା ପି.ଏଲ୍‌.ଜି.ଏ.ର ପାଖାପାଖି ୨୫୦ ମାଓବାଦୀ ଓ କମ୍ପାନୀ ୨ ନିୟନ୍ତ୍ରଣରେ ଥିବା ଅନ୍ୟ ମାଓବାଦୀ ସୁରକ୍ଷା କର୍ମୀଙ୍କୁ ଆକ୍ରମଣ କରିଥିଲେ ବୋଲି ସୂଚନା ମିଳିଛି ।

“ପାଞ୍ଚ ଘଣ୍ଟାରୁ ଅଧିକ ସମୟ ଗୁଳି ବିନିମୟ ଚାଲିଥିଲା ଓ ଆମ ଯୱାନମାନେ ବୀରତ୍ୱପୂର୍ଣ୍ଣ ଲଢ଼େଇ କରିଥିଲେ । ଆମେ ବୁର୍କାପାଲ ଓ ଚିଣ୍ଟାଗୁଫାରୁ ପ୍ରାୟ ୫୫୦ ଯବାନଙ୍କ ଏକ ନୂଆ ଦଳ ପଠାଇଛୁ । ସେମାନେ ସେଠି ଥିବା ନକ୍ସଲ ଉପସ୍ଥିତିକୁ ନଷ୍ଟ କରିବାକୁ ଆଦେଶ ପାଇଛନ୍ତି,’’ ଅୱସ୍ଥି କହିଛନ୍ତି ।

୧୫ ଜଣ ଆହତ ଯୱାନଙ୍କୁ ଶନିବାର ବିଳମ୍ବିତ ରାତିରେ ରାୟପୁର ଅଭିମୁଖେ ନିଆଯାଇଥିଲା । ଏଥି ମଧ୍ୟରୁ ଚାରି ଜଣଙ୍କ ଛାତି ଓ ପେଟରେ ଗୁଳି ବାଜି ସ୍ଥିତି ଗୁରୁତର ଥିବା ଡାକ୍ତରଖାନା ସୂତ୍ରରୁ ପ୍ରକାଶ ।
First published: March 22, 2020, 6:53 PM IST