ଲୁହା ରଡ଼, ଛୁରୀ, ବାଡ଼ି ଓ ଏସିଡ୍… ଦିଲ୍ଲୀରେ ହିଂସା ଜାରି, ଏ ପର୍ଯ୍ୟନ୍ତ ଗଲାଣି ୧୩ ଜଣଙ୍କ ଜୀବନ, ୧୫୦ ଆହତ

ଦିଲ୍ଲୀର ସାତଟି ସ୍ଥାନରେ ଧାରା ୧୪୪ ଲଗାଯାଇଛି ଓ ୪,୦୦୦ ପୋଲିସ କର୍ମୀଙ୍କୁ ଶାନ୍ତି ଶୃଙ୍ଖଳା ଫେରାଇ ଆଣିବା ପାଇଁ କାମରେ ଲଗାଯାଇଛି । ଏବେ ବିଭିନ୍ନ ସ୍ଥାନରେ ହିଂସା ଜାରି ଅଛି ଓ ହସ୍ପିଟାଲଗୁଡ଼ିକରେ ଆହତ ଲୋକେ ଆସି ପହଞ୍ଚୁଛନ୍ତି ।

ଲୁହା ରଡ଼, ଛୁରୀ, ବାଡ଼ି ଓ ଏସିଡ୍… ଦିଲ୍ଲୀରେ ହିଂସା ଜାରି, ଏ ପର୍ଯ୍ୟନ୍ତ ଗଲାଣି ୧୩ ଜଣଙ୍କ ଜୀବନ, ୧୫୦ ଆହତ
ମଙ୍ଗଳବାର ଦିଲ୍ଲୀର ଏକ ହିଂସାଗ୍ରସ୍ତ ସ୍ଥାନରେ ସୁରକ୍ଷାକର୍ମୀଙ୍କ ଫ୍ଲାଗ୍‌ମାର୍ଚ୍ଚ
  • News18 Odia
  • Last Updated: February 25, 2020, 11:51 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ (CAA)ର ବିରୋଧରୁ ଆରମ୍ଭ ହୋଇଥିବା ହିଂସକ ଘଟଣା ସବୁରେ ଉତ୍ତର-ପୂର୍ବ ଦିଲ୍ଲୀରେ କାଲି ଠାରୁ ଆଜି (ମଙ୍ଗଳବାର) ରାତି ପର୍ଯ୍ୟନ୍ତ ୧୩ ଜଣ ଲୋକଙ୍କ ପ୍ରାଣ ଗଲାଣି । ଆହତ ଲୋକଙ୍କ ସଂଖ୍ୟା ବଢ଼ି ୧୫୦ ପହଞ୍ଚିଛି । ଏବେ ବି ଦିଲ୍ଲୀର ବିଭିନ୍ନ ସ୍ଥାନରେ ହିଂସା ଜାରି ଅଛି ଓ ହସ୍ପିଟାଲଗୁଡ଼ିକରେ ଆହତ ଲୋକେ ଆସି ପହଞ୍ଚୁଛନ୍ତି ।

ମଙ୍ଗଳବାର ରାତିରେ ଦିଲ୍ଲୀର ସାତଟି ସ୍ଥାନରେ ଧାରା ୧୪୪ ଲଗାଯାଇଛି ଓ ୪,୦୦୦ ପୋଲିସ କର୍ମୀଙ୍କୁ ଶାନ୍ତି ଶୃଙ୍ଖଳା ଫେରାଇ ଆଣିବା ପାଇଁ କାମରେ ଲଗାଯାଇଛି । ଗତ ଦୁଇ ଦିନ ଧରି ହିଂସାରେ ବୁଡ଼ି ରହିଥିବା ଚ଼ାନ୍ଦବାଗ ଅଞ୍ଚଳରେ ମଙ୍ଗଳବାର ପୋଲିସକୁ ରାସ୍ତାରେ ଭଙ୍ଗାରୁଜା କରୁଥିବା ଭିଡ଼କୁ ହଟେଇବା ପାଇଁ ଲୁହବୁହା ଗ୍ୟାସ୍‌ ଛାଡ଼ିବାକୁ ପଡ଼ିଥିଲା । ଦିଲ୍ଲୀ ମୁଖ୍ୟ ମନ୍ତ୍ରୀ ଅରବିନ୍ଦ କେଜରୀୱାଲ ଓ ଉପ-ମୁଖ୍ୟ ମନ୍ତ୍ରୀ ମନୀଷ ଶିଶୋଡ଼ିଆ ଆଜି ହସ୍ପିଟାଲକୁ ଯାଇ ଆହତ ଲୋକଙ୍କୁ ଦେଖିଥିଲେ ।

ଉତ୍ତର-ପୂର୍ବ ଦିଲ୍ଲୀର ମୌଜପୁର ଅଞ୍ଚଳରେ ଏବେ ଉତ୍ତେଜନା ଜାରି ଅଛି ଓ ସେଠି ଲୋକେ ଘରୋଇ ସମ୍ପତ୍ତି ଭଙ୍ଗାରୁଜା କରୁଛନ୍ତି ଓ ନିଆଁ ଲଗାଉଛନ୍ତି । ସାମ୍ବାଦିକମାନଙ୍କ ଉପରେ ବି ଆକ୍ରମଣ ହୋଇଛି । ଦଙ୍ଗାରେ ଲିପ୍ତ ଲୋକେ ସାମ୍ବାଦିକମାନଙ୍କୁ ନିଜ ମୋବାଇଲ୍‌ ଫୋନ ଓ କ୍ୟାମେରାରୁ ଦଙ୍ଗାର ଭିଡିଓ ସବୁ ନଷ୍ଟ କରିବାକୁ ବାଧ୍ୟ କରିଥିବାର ରିପୋର୍ଟ ଆସିଛି ।

ହାତରେ ଲୁହା ରଡ଼, ଛୁରୀ, ବାଡ଼ି ଓ ଏସିଡ୍‌ ବୋତଲ ଧରି ଲୋକେ ମୌଜପୁର ଅଞ୍ଚଳରେ ରାସ୍ତାରେ ବୁଲିବୁଲି ହିଂସା କରୁଥିବା ଦେଖାଯାଇଥିଲା । ଦଙ୍ଗାକାରୀମାନେ ଅନେକ ମଟରସାଇକେଲ ଓ କାର୍‌ ଜାଳିଦେଇଥିଲେ । ସୁରକ୍ଷା କର୍ମୀମାନେ ଦଙ୍ଗାକାରୀଙ୍କୁ ତଡ଼ିବାକୁ ଚ଼େଷ୍ଟା କଲାରୁ ଲେକେ ତାଙ୍କ ଉପରକୁ ଟେକା ପଥର ଫିଙ୍ଗିଥିଲେ ।

ସୋମବାର ଦିନ ଦଙ୍ଗାରେ ଦିଲ୍ଲୀ ପୋଲିସର ଜଣେ ହେଡ୍‌ କନଷ୍ଟେବଲର ମୃତ୍ୟୁ ହୋଇଥିଲା । ପୋଲିସ ସୂତ୍ରରୁ ପ୍ରାପ୍ତ ସୂଚ଼ନା ଅନୁସାରେ ଦୁଇ ଦିନରେ ପାଖାପାଖି ୧୫୦ ସାଧାରଣ ଲୋକ ଓ ୫୦ ଜଣ ପୋଲିସ କର୍ମୀ ଆହତ ହୋଇଛନ୍ତି ।

ହିଂସା ଉପରେ ଏଫ୍‌.ଆଇ.ଆର୍‌. କରିବା ଦାବି କରି ପୂର୍ବ ମୁଖ୍ୟ ସୂଚ଼ନା ଆୟୁକ୍ତ ୱଜାହତ୍‌ ହବିବୁଲ୍ଲାଙ୍ ଦାୟର କରିଥିବା ଏକ ଯାଚ଼ିକା ଉପରେ ସୁପ୍ରିମ୍‌ କୋର୍ଟ ବୁଧବାର ଦିନ ଶୁଣାଣି କରିବେ । ଦଙ୍ଗାର ତଦନ୍ତ ପାଇଁ ଏକ ଏସ୍.ଆଇ.ଟି. ଗଠନ ଓ କେନ୍ଦ୍ର ସରକାର ସେନାଙ୍କୁ ଦଙ୍ଗା ରୋକିବାରେ ସାହାଯ୍ୟ ପାଇଁ ଲଗେଇବାର ଦାବିକରି ଦିଲ୍ଲୀ ଉଚ୍ଚ ନ୍ୟାୟାଳୟରେ ଦାୟର ହୋଇଥିବା ଏକ ଯାଚ଼ିକାର ବି ବୁଧବାର ଶୁଣାଣି ହେବ ।

ଦିଲ୍ଲୀର ଶହୀନବାଗରେ ଅନେକ ଦିନ ହେବ ନାଗରିକତା ସଂଶୋଧନ ଆଇନର ବିରୋଧରେ ବସିରହିଥିବା ଲୋକଙ୍କୁ ସେଠୁ ତଡ଼ିବା ଦାବି କରି ସୁପ୍ରିମ କୋର୍ଟରେ ଦାୟର ହୋଇଥିବା ଦୁଇଟି ଯାଚ଼ିକାର ବି ଶୁଣାଣି ବୁଧବାର ହେବ ।
First published: February 25, 2020, 11:51 PM IST
corona virus btn
corona virus btn
Loading