ଭାରତୀୟ ରେଳବାଇରେ ୧୧ ନକଲି TTE ଗିରଫ; ୧୫ ଦିନ ହେବ କରୁଥିଲେ ଡ୍ୟୁଟି
- News18 Odia
- Last Updated :
News 18 Odia Digital
ନୂଆଦିଲ୍ଲୀ : ଦେଶର ରାଜଧାନୀ ଦିଲ୍ଲୀର ସବୁଠାରୁ ପ୍ରମୁଖ ନୂଆଦିଲ୍ଲୀ ରେଳ ଷ୍ଟେସନରେ ୧୧ ଜଣ ନକଲି TTE ଡ୍ୟୁଟି କରୁଥିବାବେଳେ ଧରାପଡିଛନ୍ତି । ଅଭିଯୁକ୍ତମାନେ ୧୫ ଦିନ ଷ୍ଟେସନରେ କାର୍ଯ୍ୟ କରୁଥିଲେ ଏବଂ ଏହା ବିଷୟରେ କେହି ବି ସୁରାକ ପାଇନଥିଲେ । ଏହି ଘଟଣା ସାମ୍ନାକୁ ଆସିବା ପରେ ରେଳ ପ୍ରଶାସନ ଏବଂ ସୁରକ୍ଷା ଏଜେନ୍ସି ଉପରେ ଅନେକ ପ୍ରଶ୍ନ ଉଠିଥିଲା ଯେ ରାଜଧାନୀରେ ଏତେ ବଡ ନକଲି କାର୍ଯ୍ୟ କିପରି ଘଟୁଛି । ରିପୋର୍ଟ ଅନୁଯାୟୀ, ଭାରତୀୟ ରେଳ ଅଧିକାରୀଙ୍କୁ ସନ୍ଦେହ ହେବା ପରେ ଏହି ଅଭିଯୁକ୍ତମାନେ ଧରାପଡିଛନ୍ତି । ଆରପିଏଫ ଏବଂ ରେଳ କର୍ମଚାରୀମାନେ ଏହି ଠଙ୍କୁ ରେଳ ପୋଲିସକୁ ହସ୍ତାନ୍ତର କରିଥିଲେ ।
ହିନ୍ଦୁସ୍ତାନରେ ପ୍ରକାଶିତ ଖବର ଅନୁଯାୟୀ ଅଭିଯୁକ୍ତମାନଙ୍କୁ ପ୍ଲାଟଫର୍ମରେ ଡ୍ୟୁଟି ଦିଆଯାଇଥିଲା । ଟିକେଟ୍ ସଂଗ୍ରହକାରୀଙ୍କ ପରି ସେ ଧଳା ସାର୍ଟ ଏବଂ କଳା ପ୍ୟାଣ୍ଟ ପିନ୍ଧି ଡ୍ୟୁଟିକୁ ଆସୁଥିଲେ ଏବଂ ଡ୍ୟୁଟି ସରିବା ପରେ ଫେରିଯାଉଥିଲେ । ଦେଶର ରାଜଧାନୀରେ ଏହା ପ୍ରଥମ ଥର ଯେ ଏତେ ସଂଖ୍ୟକ ନକଲି TTE ଧରାପଡିଛି । ସୂଚନାନୁସାରେ, ମଙ୍ଗଳବାର ରେଳ ଅଧିକାରୀ ରିତେଶ ୱାଡୱା କାନପୁର ଶତାବାଡିରୁ ଯାତ୍ରା କରୁଥିଲେ । ଯେତେବେଳେ ସେ ଟିକେଟ୍ ଯାଞ୍ଚ କରୁଥିବା ବ୍ୟକ୍ତିକୁ ଦେଖିଲେ ଓ ତାଙ୍କୁ ପଚରାଉଚରା କଲେ, ତାଙ୍କୁ ସନ୍ଦେହ ହେଲା । ଏହା ପରେ ସେହି ବ୍ୟକ୍ତିକୁ ନୂଆଦିଲ୍ଲୀ ଷ୍ଟେସନରେ ଗିରଫ କରାଯାଇଥିଲା ।
ରିପୋର୍ଟ ଅନୁଯାୟୀ, ରେଳବାଇ ଡିସିପି ହରେନ୍ଦ୍ର ସିଂ କହିଛନ୍ତି ଯେ, ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରାଯାଇଛି ଏବଂ ଅନ୍ୟ ମାନଙ୍କର ସଂପୃକ୍ତିକୁ ନେଇ ତଦନ୍ତ ଚାଲିଛି । ଅଭିଯୁକ୍ତ ଜଣକ ଗୋରଖପୁରର ଭୁପେନ୍ଦ୍ର ଚୌରାରାସିଆ ବୋଲି ଜଣାପଡିଛି । ପଚରାଉଚରା ବେଳେ ସେ ଅନ୍ୟ ୧୦ ଜଣଙ୍କ ବିଷୟରେ କହିଥିଲା ଏବଂ କିଛି ଅଭିଯୁକ୍ତଙ୍କଠାରୁ ନକଲି ନିଯୁକ୍ତି ପତ୍ର ମଧ୍ୟ ମିଳିଥିଲା ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।