୪ ଘଣ୍ଟା ବରଫରେ ଚାଲି ଚାଲି ୧୦୦ ଜବାନ ଜଣେ ଗର୍ଭବତୀଙ୍କୁ ହସ୍ପିଟାଲରେ ପହଞ୍ଚାଇଲେ; ପ୍ରଧାନ ମନ୍ତ୍ରୀ ଟୁଇଟ୍ କରି ପ୍ରଶଂସା କଲେ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଭିଡିଓକୁ ଟୁଇଟ୍ କରି ଭାରତୀୟ ସେନାକୁ ପ୍ରଶଂସା କରିବା ସହ ସଲାମ କରିଛନ୍ତି । ଏହା ସହ ମା’ ଶମୀମା ଏବଂ ତାଙ୍କ ପିଲାର ସୁସ୍ଥ ଜୀବନ କାମନା କରିଛନ୍ତି ।

୪ ଘଣ୍ଟା ବରଫରେ ଚାଲି ଚାଲି ୧୦୦ ଜବାନ ଜଣେ ଗର୍ଭବତୀଙ୍କୁ ହସ୍ପିଟାଲରେ ପହଞ୍ଚାଇଲେ; ପ୍ରଧାନ ମନ୍ତ୍ରୀ ଟୁଇଟ୍ କରି ପ୍ରଶଂସା କଲେ
ସୈନ୍ୟମାନେ ଗର୍ଭବତୀ ଶମିମାକୁ ହସ୍ପିଟାଲ ନେଉଛନ୍ତି ।
  • News18 Odia
  • Last Updated: January 15, 2020, 1:01 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ଭାରତୀୟ ସେନା ଆଜି ୭୨ତମ ସେନା ଦିବସ ପାଳନ କରୁଥିବାବେଳେ ସୀମାରେ ଦେଶର ସୁରକ୍ଷା ଲାଗି ଉପସ୍ଥିତ ଥିବା ଜବାନ ମାନଙ୍କ ଉପରେ ଦେଶ ଗର୍ବ ଅନୁଭବ କରୁଛି । ଏହା ଭିତରେ ଜାମୁ ଓ କାଶ୍ମୀରରୁ ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ଦେଶର ସୁରକ୍ଷା ଲାଗି ମୁତୟନ ହୋଇଥିବା ଜବାନ କେବଳ ଶତ୍ରୁଙ୍କ ଉପରେ ଆକ୍ରମଣ କରନ୍ତି ନାହିଁ ବରଂ ସାଧାରଣ ଲୋକଙ୍କୁ ଦରକାରସମୟରେ ସାହାଯ୍ୟ ମଧ୍ୟ କରିବାକୁ ପ୍ରସ୍ତୁତ ହୋଇଯାନ୍ତି ।

ଏହି ଭିଡିଓରେ ସେନାର ୧୦୦ ଜଣ  ଜବାନ ଚାରିଘଣ୍ଟା ଧରି ବରଫ ଉପରେ ଚାଲିଚାଲି ଜଣେ ଗର୍ଭବତୀଙ୍କୁ ହସ୍ପିଟାଲରେ ପହଞ୍ଚାଉଥିବା ଦେଖାଯାଇଛି । ଏହି ଭିଡିଓ ଭାଇରାଲ ହେବାପରେ ପ୍ରଧାନମନ୍ତ୍ରୀ ମୋଦି ଏହାକୁ ରିଟୁଇଟ କରି ସେନାର ଜବାନମାନଙ୍କୁ ପ୍ରଶଂସା କରିଛନ୍ତି । ଜବାନମାନେ କାଶ୍ମୀରର ଜଣେ ଗର୍ଭବତୀ ଶମୀମା ଯାହାଙ୍କ ଅବସ୍ଥା ସଙ୍କଟାପନ୍ନ ଥିଲା ତାଙ୍କୁ ଚାରିଘଣ୍ଟାକାଳ ଷ୍ଟ୍ରେଚର ସାହାଯ୍ୟରେ ବରଫ ଉପରେ ଚାଲିଚାଲି ୩୦ଜଣ ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ହସ୍ପିଟାଲ ନେଇଯାଇଥିଲେ । ସେଠାରେ ଶମୀମା ଏକ ପିଲାକୁ ଜନ୍ମ ଦେଇଥିବାବେଳେ ଉଭୟେ ମା’ ଓ ଶିଶୁ ସୁସ୍ଥ ଥିବା ଜଣାପଡ଼ିଛି ।

ପ୍ରଧାନମନ୍ତ୍ରୀ ମୋଦି କରିଥିବା ଟୁଇଟ୍


ନିଜ ଟୁଇଟରେ ପ୍ରଧାନମନ୍ତ୍ରୀ ମୋଦି ‘‘ ଆମର ସେନାକୁ ବୀରତ୍ବ, କର୍ତ୍ତବ୍ୟପରାୟଣତା ଏବଂ ମାନବୀୟ ଭାବନା ଲାଗି ସମ୍ମାନ କରାଯାଇଥାଏ । ସେହିପରି ଯେବେ ବି ଲୋକଙ୍କୁ ସାହାଯ୍ୟର ଆବଶ୍ୟକତା ଥାଏ ଆମର ସେନା ସେଠାର ଉପସ୍ଥିତ ରହି ଯଥାସମ୍ଭବ ସାହାଯ୍ୟ କରିଥାଏ । ଏଥିପାଇଁ ଆମ ସେନା ଉପରେ ଗର୍ବ ଅନୁଭବ ହୋଇଥାଏ । ମୁଁ ଶମୀମା ଏବଂ ତାଙ୍କ ପିଲାର ଭଲ ସ୍ବାସ୍ଥ୍ୟ ଲାଗି କାମନା କରୁଛି ।’’ ବୋଲି ଲେଖିଛନ୍ତି ।

ନୂଆ ଦିଲ୍ଲୀରେ ଆଜି ସେନା ଦିବସ ଅବସରରେ ଭାରତୀୟ ସେନାର ସୌର୍ଯ୍ୟ ଓ ବୀରତ୍ବକୁ ସାରା ଦେଶ ଦେଖୁଥିବାବେଳେ ଜାମୁ ଓ କାଶ୍ମୀରରେ ସେନାର ଏଭଳି କାର୍ଯ୍ୟ ଦେଶବାସୀଙ୍କ ମନରେ ପ୍ରେରଣା ଭରିଛି ।

 
First published: January 15, 2020, 1:01 PM IST