ଏକ ହଜାର ସହରରେ ୫ଜି ସେବା ଆରମ୍ଭ କରିବା ପାଇଁ ଯୋଜନା ପ୍ରସ୍ତୁତ କରିଛି ଜିଓ
News 18 Odia Digital
ଭୁବନେଶ୍ୱର; ଦେଶର ସବୁଠୁ ବଡ଼ ଟେଲିକମ୍ କଂପାନି ରିଲାଏନ୍ସ ଜିଓ ଦେଶର ପ୍ରାୟ ୧,୦୦୦ ସହରରେ ୫ଜି ସେବା ଆରମ୍ଭ କରିବା ଲାଗି ଏହାର ଯୋଜନାକୁ ଚୂଡ଼ାନ୍ତ କରିଛି । ଏଥି ସହିତ କଂପାନି ସ୍ୱଦେଶରେ ବିକଶିତ ୫ଜି ଟେଲିକମ୍ ଉପକରଣର ପରୀକ୍ଷଣ ମଧ୍ୟ ଶେଷ କରିଛି । ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (ଆର୍ଆଇଏଲ୍) ବାର୍ଷିକ ରିପୋର୍ଟ ୨୦୨୧-୨୨ରେ ଜଣାଇଛି ଯେ ଏହାର ଟେଲିକମ୍ କଂପାନି ଜିଓ ୨୦୨୧-୨୨ ଆର୍ଥିକ ବର୍ଷରେ ଶତ ପ୍ରତିଶତ ସ୍ୱଦେଶୀ ପ୍ରଯୁକ୍ତି ଜ୍ଞାନକୌଶଳ ସହିତ ୫ଜି ସେବା ଲାଗି ନିଜକୁ ପ୍ରସ୍ତୁତ କରିବା ପାଇଁ ଅନେକ ପଦକ୍ଷେପ ଗ୍ରହଣ କରିଛି । ନିକଟରେ ଶେଷ ହୋଇଥିବା ୫ଜି ସ୍ପେକ୍ଟ୍ରମ୍ ନିଲାମରେ କଂପାନି ସର୍ବାଧିକ ସ୍ପେକ୍ଟ୍ରମ କିଣିଛି । ମୋଟ ୧.୫୦ ଲକ୍ଷ କୋଟି ଟଙ୍କାର ସ୍ପେକ୍ଟ୍ରମ୍ ନିଲାମ କରାଯାଇଥିବା ବେଳେ ଜିଓ ଏକାକୀ ୮୮,୦୭୮ କୋଟି ଟଙ୍କାର ସ୍ପେକ୍ଟ୍ରମ୍ କିଣିବାକୁ ବିଡ୍ ଦାଖଲ କରିଥିଲା ।
ଆର୍ଆଇଏଲ୍ର ବାର୍ଷିକ ରିପୋର୍ଟ ଅନୁଯାୟୀ, ଦେଶର ୧୦୦୦ ସହରରେ ୫ଜି ସେବା ପ୍ରଦାନ କରିବା ଲାଗି ଯୋଜନାକୁ ସମ୍ପୂର୍ଣ୍ଣ କରିଛି ଜିଓ । ଏହି ସମୟରେ ଆର୍ଟିଫିସିଆଲ ଇଟେଂଲିଜେନ୍ସ (ଏଆର୍), ଭର୍ଚୁଆଲ୍ ରିଅଲିଟି (ଭିଆର୍), କ୍ଲାଉଡ୍ ଗେମିଂ, ଟିଭି ଷ୍ଟ୍ରିମିଂ, ହସ୍ପିଟାଲ୍ ଓ ଉଦ୍ୟୋଗରେ ବ୍ୟବହାର ଲାଗି ଏହାକୁ କଂପାନି ପରଖି ସାରିଛି । ଟେଲିକମ୍ ବିଭାଗ ଅନୁଯାୟୀ ୪ଜି ତୁଳନାରେ ୫ଜିରେ ଡାଉନ୍ଲୋଡ୍ ସ୍ପିଡ୍ ୧୦ ଗୁଣା ଅଧିକ ରହିଥାଏ ଏବଂ ସ୍ପେକ୍ଟ୍ରମ୍ର କ୍ଷମତା ମଧ୍ୟ ତିନି ଗୁଣା ବୃଦ୍ଧି ପାଇଥାଏ ।
ରିଲାଏନ୍ସ ଜିଓ ଅତି ଗୁରୁତ୍ୱପୂର୍ଣ୍ଣ ୭୦୦ ମେଗାହର୍ଜ ବ୍ୟାଣ୍ଡ୍ର ସ୍ପେକ୍ଟ୍ରମ୍ ହାସଲ କରିଛି ଯାହାର ଗୋଟିଏ ଟାୱାର ୬-୧୦ କିଲୋମିଟର ବ୍ୟାପୀ ଅଂଚଳକୁ ସିଗ୍ନାଲ୍ ପ୍ରଦାନ କରିଥାଏ । କଂପାନି ଦେଶର ସମସ୍ତ ୨୨ ଟେଲିକମ୍ ସର୍କଲ୍ ଓ ଜୋନ୍ରେ ୫ଜି ସେବା ପ୍ରଦାନ କରିବା ଲାଗି ଉତମ ଆଧାର ପ୍ରସ୍ତୁତ କରିପାରିଛି । ୬ଜି ସେବାର ଗବେଷଣାକୁ ତ୍ୱରାନ୍ୱିତ କରିବା ଲାଗି ବିଶ୍ୱର ପ୍ରଥମ ପ୍ରମୁଖ ୬ଜି ଗବେଷଣା କାର୍ଯ୍ୟକ୍ରମ ପାଇଁ ଫିନ୍ଲ୍ୟାଣ୍ଡ୍ର ୟୁନିଭର୍ସିଟି ଅଫ୍ ଓୟୁଲୁସହିତ ଜିଓ ହାତ ମିଳାଇଛି ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।