News18 Odia Digital
ଭୁବନେଶ୍ବର: ଓଡ଼ିଶାବାସୀଙ୍କ ପାଇଁ ଖୁସି ଖବର। ଓଡ଼ିଶାରେ ୩୦୦ କୋଟିରୁ ଅଧିକ ଟଙ୍କାର ପୁଞ୍ଜିନିବିଶରେ ଆରମ୍ଭ ହେବ ଉଡ଼ନ୍ତା ଟ୍ୟାକ୍ସି ବା ଏୟାର ଟ୍ୟାକ୍ସି ପ୍ରକଳ୍ପ। ବମ୍ବଲ ବି ନାମକ ଏକ କମ୍ପାନୀ ମାଧ୍ୟମରେ ଏହାକୁ ଆରମ୍ଭ କରିବାକୁ ଯାଉଛନ୍ତି ଜଣେ ଓଡ଼ିଶା ଶିଳ୍ପୋଦ୍ୟୋଗୀ।
ବ୍ରିଟେନ୍ରେ ପଞ୍ଜିକୃତ ଜଣାଶୁଣା କମ୍ପାନୀ ଏମରାମ ଓ ଏସରାମ ଟେକ୍ନୋଲୋଜି କମ୍ପାନୀ ଏହି ପ୍ରକଳ୍ପ ପାଇଁ ପୁଞ୍ଜିନିବେଶରେ ସହଯୋଗ କରିବେ। ଆସନ୍ତା ବର୍ଷକ ଭିତରେ ଏହି ଏୟାର ଟ୍ୟାାକ୍ସି ପ୍ରକଳ୍ପର ପ୍ରାରମ୍ଭିକ କାର୍ଯ୍ୟ ଆରମ୍ଭ ହେବ ବୋଲି ଆଶା କରାଯାଇଛି।
ବିଶେଷକରି ଅର୍ବାନ ଏୟାର ମୋବିଲିଟି ଉଦ୍ୟମକୁ ତ୍ୱରାନ୍ବିତ କରିବା ପାଇଁ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବ ବୋଲି କୁହାଯାଉଛି। ଓଡ଼ିଶାରେ ଏଭଳି ପ୍ରକଳ୍ପ ଅନେକ ସମ୍ଭାବନା ସୃଷ୍ଠି କରିବାର ଥିବାରୁ ଏହାକୁ ବିଭିନ୍ନ ମହଲରୁ ସ୍ୱାଗତ କରାଯାଉଛି।
୨୦୨୩ ଏପ୍ରିଲ ସୁଦ୍ଧା ବମ୍ବଲ ବି ଫ୍ଲାଇଟ୍ସ୍ କମ୍ପାନୀ ଓଡ଼ିଶାରେ ଉଡ଼ନ୍ତା କାର ନିର୍ମାଣ ପାଇଁ ଉଦ୍ୟମ ଆରମ୍ଭ କରିବ। ଯଦି ଏହି ଉଦ୍ୟମ ସଫଳ ହୁଏ ଓ ଠିକ୍ ସମୟରେ ପ୍ରସ୍ତାବିତ କାର୍ଯ୍ୟକୁ ଅନୁମୋଦନ ମିଳେ ତେବେ ୨୦୨୪ ସୁଦ୍ଧା ଏହି ଉଡ଼ନ୍ତା କାରର ଉତ୍ପାଦନ ଆରମ୍ଭ ହେବ।
ଏଥିପାଇଁ ଓଡ଼ିଶାରେ ପ୍ରାୟ ୩୦୦ କୋଟି ବା ୩୭ ମିଲିୟନ ଡ଼ଲାର ଅର୍ଥ ବିନିଯୋଗ ହେବାର ସମ୍ଭାବନା ରହିଛି। ଜଣେ ଓଡ଼ିଆ ପ୍ରମୋଟରଙ୍କ ଉଦ୍ୟମରେ ବ୍ରିଟେନ୍ସ୍ଥିତ ଏସ୍ରାମ ଓ ଏମ୍ରାମ ଟେକ୍ନୋଲୋଜି କମ୍ପାନୀ ଏଥିପାଇଁ ଆର୍ଥିକ ଓ କାରିଗରୀ କୌଶଳରେ ସହଯୋଗ କରିବ।
ମିଳିଥିବା ସୂଚନା ଅନୁସାରେ, ବେଙ୍ଗାଲୁରୁର ଏକ ଷ୍ଟାର୍ଟଅପ୍ କମ୍ପାନୀ ଏଭଳି ଉଦ୍ୟମକୁ ତ୍ୱରାନ୍ୱିତ କରିଛି। କମ୍ପାନୀର ଯୋଜନାଅନୁସାରେ ଦେଶର ପ୍ରଥମ ଉଡ଼ନ୍ତାକାର ନିର୍ମାଣର ଶୁଭାରମ୍ଭ ଓଡ଼ିଶାରୁ ଆରମ୍ଭ ହେବ। ୨୦୨୩ ଏପ୍ରିଲ ସୁଦ୍ଧା ଏହି ଉଡ଼ନ୍ତା କାର ଯୋଜନାରେ ଓଡ଼ିଶାକୁ ସ୍ୱତନ୍ତ୍ର ପରିଚିତି ମିଳିବ ବୋଲି ବମ୍ବଲ ବି ଫ୍ଲାଇଟ୍ସ ପକ୍ଷରୁ କୁହାଯାଇଛି।
ସବିଶେଷ ସୂଚନା ଅନୁସାରେ, ଏହି କମ୍ପାନୀ ଓଡ଼ିଶାରୁ ଏୟାର ଟ୍ୟାକ୍ସିର ନିର୍ମାଣ ଓ ବିତରଣ କାର୍ଯ୍ୟ କରିବ। ବି ବମ୍ବଲ ଫ୍ଲାଇଟ୍ସ ବ୍ୟାନରେ ଏହା ନିର୍ମାଣ ହେବ, ଯାହା ୨୦୨୪ ସୁଦ୍ଧା ଉତ୍ପାଦନ ଆରମ୍ଭ କରିବ। ଓଡ଼ିଆ ପ୍ରମୋଟର ଅର୍ଜ୍ଜୁନ ଦାସଙ୍କ ବେଙ୍ଗାଲୁରୁସ୍ଥିତ ଷ୍ଟାର୍ଟଅପ୍ କମ୍ପାନୀ ଏହି କାର୍ଯ୍ୟକୁ ତ୍ୱରାନ୍ୱିତ କରିବାରେ ଅଗ୍ରଣୀ ଭୂମିକା ରଖିବ ବୋଲି କହିଛନ୍ତି ବରିଷ୍ଠ ଅର୍ଥନୀତିଜ୍ଞ ଚିତରଞ୍ଜନ ବେହେରା।
କମ୍ପାନୀ ପକ୍ଷରୁ କୁହାଯାଇଛି ଯେ ଏହି ଉଦ୍ୟମ ଦ୍ୱାରା ସାରା ବିଶ୍ୱରେ ଅର୍ବାନ ଏୟାର ମୋବିଲିଟ୍ କ୍ଷେତ୍ରରେ ଭାରତ ଓ ଓଡ଼ିଶାକୁ ସ୍ୱତନ୍ତ୍ର ପରିଚିତି ମିଳିବ। କାରଣ ବର୍ଦ୍ଧିତ ଜନସଂଖ୍ୟା ଦୃଷ୍ଟିରୁ ଏୟାର ମୋବିଲିଟି ଭବିଷ୍ୟତରେ ଟ୍ରାଫିକ୍ ନିୟନ୍ତ୍ରଣ କରିବାରେ ବଡ଼ ମହତ୍ୱ ରଖେ।
୨୦୩୫ ସୁଦ୍ଧା ଏୟାର ଟ୍ୟାକ୍ସି ଆବଶ୍ୟକତା ଦୃଷ୍ଟିକୋଣରୁ ଲୋକଙ୍କ ଦ୍ୱାରା ଗ୍ରହଣୀୟ ହେବ। ଏହି ସମୟ ଭିତରେ ସାମଗ୍ରୀକ ପରିବହନ ବ୍ୟବସ୍ଥାର ଅତିକମ୍ରେ ୧୦ ପ୍ରତିଶତ ସ୍ଥାନ ନେବ ଏୟାର ଟ୍ୟାକ୍ସି। ଏଥିରେ ସୋଲାର ପାୱାରକୁ ମୁଖ୍ୟ ଉତ୍ସ ଭାବେ ବ୍ୟବହାର କରାଯିବ। ମୁଖ୍ୟତଃ ଅର୍ବାନ ଏୟାର ମୋବିଲିଟ୍କୁ ଏଥିରେ ଗୁରୁତ୍ୱ ଦିଆଯାଉଥିବାରୁ ଏହାକୁ ବିଭିନ୍ନ ମହଲରୁ ସ୍ୱାଗତ କରାଯାଉଛି।
ଓଡ଼ିଶା ହୋଟେଲ ଆଣ୍ଡ ରେସ୍ତୋରାଁ ଆସୋସିଏସନ ହାରୋର ମହାସଚିବ ଶ୍ରୀନିବାସ ସୁବୁଦ୍ଧି କହିଛନ୍ତି ଯେ ପରୋକ୍ଷ ଭାବରେ ରାଜ୍ୟ ଅର୍ଥନୀତିକୁ ଏହା ବେଗଶୀଳ କରାଇବ। ସେହିପରି ଆଇଟିଏଓର ସମ୍ପାଦକ ଦେବାଶିଷ ମିଶ୍ର କହିଛନ୍ତି ଯେ ଏହା ରାଜ୍ୟ ଅର୍ଥନୀତିକୁ ଅଧିକ ଆଗକୁ ନେବରେ ସାହାଯ୍ୟ କରିବ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।